ଓଡ଼ିଶାଲାଇଭ୍‌ ବ୍ୟୁରୋ 

ନକ୍ସଲଙ୍କ ସହିଦ ସପ୍ତାହରେ ନକ୍ସଲଙ୍କୁ ଏକ ବଡା ଝଟକା ଲାଗିଛି। ଏକ ମାଓ ଦମ୍ପତ୍ତି ମାଲକାନାଗିରି ଏସ୍‌ପିଙ୍କ ନିକଟରେ ଆତ୍ମସମର୍ପଣ କରିଛନ୍ତି। ସେମାନେ ହେଲେ ଆଞ୍ଚଳିକ କମିଟି ସଦସ୍ୟ ମୁକେଶ ଏବଂ ଦଳୀୟ ସଦସ୍ୟ ରତ୍ନା।

ଇଶ୍ଵର ପଟ୍ଟନାୟକ (ମାଲକାନଗିରି): ମାଲକାନଗିରି ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ଗୋଟିଏ ମାଓ ଦମ୍ପତ୍ତି। ଏମାନେ ହେଲେ ମୁକେଶ ଓ ରତ୍ନା। ୨୦୦୮ ମସିହାରେ ମୁକେଶ ମାଓ ସଂଗଠନ ସହ ଜଡ଼ିତ ଥିବାବେଳେ ରତ୍ନା ୨୦୧୨ ମସିହାରେ ମାଓ ସଂଗଠନରେ ସାମିଲ ହୋଇଥିଲେ।

ଉଭୟ ବିଛିନ୍ନାଞ୍ଚଳରେ ସକ୍ରିୟ ସଦସ୍ୟ ରହି ମାଓ ହିଂସାକାଣ୍ଡରେ ସମ୍ପୃକ୍ତ ଥିଲେ। ମୁକେଶ ୨୫ଟି ବିଭିନ୍ନ ହିଂସାକାଣ୍ଡ ଘଟଣାରେ ସମ୍ପୃକ୍ତ ଥିବାବେଳେ ତା’ ନାଁରେ ୪ଲକ୍ଷ ଟଙ୍କା ପୁରସ୍କାର ଘୋଷଣା କରାଯାଇଥିଲା। ସେହିପରି ରତ୍ନା ନାଁରେ ଏକ ଲକ୍ଷ ଟଙ୍କା ପୁରସ୍କାର ରହିଥିଲା।

ଉଭୟ ମାଲକାନଗିରି, କୋରାପୁଟ ଓ ବିଶାଖାପାଟଣା ବୋର୍ଡ (ଏମକେଭିବି) ଡିଭିଜନରେ ସକ୍ରିୟ ସଦସ୍ୟ ଭାବେ କାର୍ଯ୍ୟରତ ରହିଥିଲେ। ମାଓବାଦୀମାନେ ସେମାନଙ୍କ ମୂଳଲକ୍ଷ୍ୟରୁ ପଥଭ୍ରଷ୍ଟ ହୋଇ କେବଳ ହିଂସାତ୍ମକ କାର୍ଯ୍ୟ କରିଆସୁଛନ୍ତି। ଏତଦବ୍ୟତୀତ ସରକାରଙ୍କ ଥଇଥାନ ନୀତି ଓ ଅଞ୍ଚଳର ଉନ୍ନତି ପାଇଁ ନିଆଯାଉଥିବା ପଦକ୍ଷେପରେ ଆକୃଷ୍ଟ ହୋଇ ଆତ୍ମସମର୍ପଣ କରିଥିବା ଉଭୟ ଦମ୍ପତ୍ତି କହିଛନ୍ତି।

ଗତ ୨୬ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁପ୍ରିୟା ସେତୁ ଉଦଘାଟନ ଅବସରରେ ମାଓବାଦୀମାନେ ମୁଖ୍ୟସ୍ରୋତରେ ସାମିଲ ହେବା ଲାଗି ଆହ୍ଵାନ ଦେଇଥିଲେ। ବିଛିନ୍ନାଞ୍ଚଳରେ ଅନେକ ଆଦିବାସୀ ଯୁବକ ତଥା ଅଞ୍ଚଳବାସୀ ମାଓବାଦୀଙ୍କୁ ବିରୋଧ କରିବାରେ ଲାଗିଛନ୍ତି। ତେଣୁ ସେହି ସବୁ ଅଞ୍ଚଳରେ ମାଓ ସଂଗଠନ କ୍ରମଶଃ ଦୁର୍ବଳ ହେବାରେ ଲାଗିଛି। ସରକାରୀ ନିୟମ ଅନୁଯାୟୀ ଆତ୍ମସମର୍ପଣକାରୀଙ୍କୁ ଥଇଥାନ କରାଯିବ ବୋଲି ମାଲକାନଗିରି ଏସପି ଜଗମୋହନ ମୀନା ସୂଚନା ଦେଇଛନ୍ତି।

Comment