ଓଡ଼ିଶାଲାଇଭ୍‌ ବ୍ୟୁରୋ

କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ କବ୍‌ଜାରେ ଟିଟୋ ସହଯୋଗୀ ବାପୁ ପରିଡ଼ା। ଟିଟୋ ଲିଙ୍କକୁ ନେଇ ପାରାଦୀପ ରାଜନୀତିରେ ଝଡ଼।

ଗ୍ୟାଙ୍ଗଷ୍ଟର ଟିଟୋର ଡାହାଣ ହାତ କୁହାଯାଉଥିବା ବାପୁ ପରିଡ଼ାକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍। ଏହାକୁ ନେଇ ପାରାଦୀପ ରାଜନୀତିରେ ନିଆଁ ଲାଗିଛି। ବାପୁ ଟିଟୋର ସହଯୋଗୀ ନୁହେଁ ବୋଲି ପାରାଦୀପ ବିଧାୟକ ଡାକ୍ତର ଦାମୋଦର ରାଉତ ବୟାନ ଦେବା ପରେ ପାରାଦୀପ ରାଜନୀତି ଉଠୁଛି ପଡ଼ୁଛି। କଂଗ୍ରେସ ନେତା ବାପି ସର୍ଖେଲ୍ ଏବଂ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଦାମଙ୍କୁ ଘେରିଛନ୍ତି। ଦାମ ବି ଉଭୟଙ୍କୁ ଜବାବ ଦେଇଛନ୍ତି।

କଂଗ୍ରେସ ନେତା ବାପି ସର୍ଖେଲ ପାରାଦୀପରେ ଆଜି ସାମ୍ବାଦିକ ସମ୍ମିଳନୀ କରି ଦାମଙ୍କୁ ସିଧା ବାଣ ମାରିଛନ୍ତି। ତାଙ୍କ ନାଁ ସାଙ୍ଘାତିକ ଅଭିଯୋଗ ମଧ୍ୟ ଆଣିଛନ୍ତି। ଦାମଙ୍କୁ ପାରାଦୀପ ଅପରାଧର ମାଷ୍ଟରମାଇଣ୍ଡ ବୋଲି କହିବାକୁ ପଛାଇ ନାହାନ୍ତି ବାପି। ଏହାସହ ଦାମଙ୍କ ପୁଅ ସମ୍ବିତ ରାଉତରାୟଙ୍କୁ ବି ଟାର୍ଗେଟ୍ କରିଛନ୍ତି ବାପି ସର୍ଖେଲ୍। ଦାମ ଅପରାଧର ମାଷ୍ଟରମାଇଣ୍ଡ ଥିବା ବେଳେ ତାଙ୍କ ପୁଅ ଏହାକୁ କାର୍ଯ୍ୟକାରୀ କରୁଥିଲେ। ଟିଟୋ ସହଯୋଗୀ ବାପୁ ପରିଡ଼ା ଏବଂ ଦାମଙ୍କ ଭିତରେ କ’ଣ ସମ୍ପର୍କ ଥିଲା ତାହା ତଦନ୍ତ ହେଲେ ସ୍ପଷ୍ଟ ହୋଇଯିବ ବୋଲି ସେ କହିଛନ୍ତି।

ଲିଙ୍କ୍ ପ୍ରମାଣ ମିଳିଲେ କାର୍ଯ୍ୟାନୁଷ୍ଠାନ

ବାପି ସର୍ଖେଲଙ୍କ ସାମ୍ବାଦିକ ସମ୍ମିଳନୀ ପରେ ଜିଲ୍ଲା ବିଜେଡି ସଭାପତି ବିଷ୍ଣୁ ଦାସ ଦାମଙ୍କ ଶିବିରକୁ ବାଣ ମାରିଛନ୍ତି। ସେ କହିଛନ୍ତି ଯେ ବାପୁ ପରିଡ଼ା ସହ ଲିଙ୍କ୍ ପ୍ରମାଣ ମିଳିଲେ ଜିଲ୍ଲା ସଭାପତି ଭାବେ ଯାହା କାର୍ଯ୍ୟାନୁଷ୍ଠାନ ନେବା କଥା ନେବି।

ବିଷ୍ଣୁ ଦାସ କହିଛନ୍ତି, “ଦାମ ବାବୁ ଜଣେ ବରିଷ୍ଠ ନେତା। ତାଙ୍କ ବିଷୟରେ ମୁଁ କିଛି କହିପାରିବି ନାହିଁ। କାରଣ ତାଙ୍କ ପାଖରେ ବହୁତ ଲୋକ ଅଛନ୍ତି। ସେ ଚାହିଁଲେ ମୋର ଗତିରୋଧ କରିଦେବେ। ଦାମ ବାବୁଙ୍କୁ ମୁଁ ଭୟ କରେ।”

ବିଷ୍ଣୁ ଦାସ କିଏ?

ଟିଟୋ ସହଯୋଗୀ ବାପୁ ପରିଡ଼ା ଗିରଫକୁ ନେଇ ବିଷ୍ଣୁ ଦାସ ମନ୍ତବ୍ୟ ଦେବା ପରେ ଦାମ ଜବାବ ଦେଇଛନ୍ତି। ବିଷ୍ଣୁ ମୋ’ ସମାସ୍କନ୍ଧ ନୁହନ୍ତି ବୋଲି କହିଛନ୍ତି। ଏହାସହ କଡ଼ା ସମାଲୋଚନା ମଧ୍ୟ କରିଛନ୍ତି।

“ବିଷ୍ଣୁ ଦାସ ମୋ ସମାସ୍କନ୍ଧ ନୁହନ୍ତି। ତାଙ୍କୁ ମୁଁ ମଣିଷ ଭାବେ ଗଣତି କରୁନାହିଁ। ସେ କ’ଣ କହିବେ ମୁଁ ତାଙ୍କ କଥାକୁ ଗୁରୁତ୍ୱ ଦିଏନି। ବିଷ୍ଣୁ ପ୍ରତି ମାସରେ ବାପିଙ୍କ ସହଯୋଗୀଙ୍କଠାରୁ ଚାନ୍ଦା ନିଅନ୍ତି। ଏକଥା ସମସ୍ତେ ଜାଣିଛନ୍ତି”, କହିଛନ୍ତି ଦାମୋଦର ରାଉତ।

ବାପି ସର୍ଖେଲ୍‌ଙ୍କୁ ମଧ୍ୟ ଜବାବ ଦେଇଛନ୍ତି ଦାମ। ସେ କହିଛନ୍ତି ଯେ ଟିଟୋ ସହ ବାପିଙ୍କର ଘନିଷ୍ଠ ସମ୍ପର୍କ ରହିଛି।

ଟିଟୋ ସହଯୋଗୀ ବାପୁ ପରିଡ଼ାକୁ ୨୮ ତାରିଖରେ ପାରଦୀପରୁ କ୍ରାଇମବ୍ରାଞ୍ଚ ଏସ୍‌ଟିଏଫ୍ ଟିମ୍ ଗିରଫ କରିଥିଲା। ବାପୁଙ୍କ ନାଁରେ ବିଭିନ୍ନ ଥାନାରେ ୨୮ଟି ମାମଲା ରହିଛି। ହତ୍ୟା, ହତ୍ୟା ଉଦ୍ୟମ, ଅପହରଣ, ଦାଦାବଟି ଆଦାୟ ଭଳି ସଙ୍ଗୀନ ଅଭିଯୋଗ ରହିଛି। ତେବେ ବାପୁ ଗିରଫ ହେବା ପରେ ଦାମ କ୍ରାଇମବ୍ରାଞ୍ଚ ତଦନ୍ତ ଉପରେ ପ୍ରଶ୍ନ ଉଠାଇଥିଲେ। କ୍ରାଇମବ୍ରାଞ୍ଚ ଠିକ୍ ଢଙ୍ଗରେ ତଦନ୍ତ କରୁନାହିଁ ବୋଲି ଅଭିଯୋଗ କରିଥିଲେ। ବାପୁ ଟିଟୋର ସହଯୋଗୀ ନୁହେଁ, ତାକୁ ଚକ୍ରାନ୍ତ କରି ଫସା ଯାଇଥିବା ଦାମ କହିଥିଲେ।

Comment