ଓଡ଼ିଶାଲାଇଭ୍ ବ୍ୟୁରୋ

ତିର୍ତ୍ତୋଲ ଉପ ନିର୍ବାଚନରେ ବିଜେଡିର ବିଜୟ।

  • ବିଜେଡିକୁ ମିଳିଛି ୮୮,୩୧୦ ଭୋଟ୍
  • ବିଜେପିକୁ ମିଳିଛି ୪୬,୬୦୭ ଭୋଟ୍
  • କଂଗ୍ରେସକୁ ମିଳିଛି ୨୮,୭୭୮ ଭୋଟ୍

ତିର୍ତ୍ତୋଲ ଉପନିର୍ବାଚନରେ ବାଜି ମାରିଲା ବିଜେଡି। ବିଜେପି ପାର୍ଥୀ ରାଜକିଶୋର ବେହେରାଙ୍କୁ ୪୦ ହଜାରରୁ ଅଧିକ ଭୋଟ ବ୍ୟବଧାନରେ ହରାଇ ନୂଆ ବିଧାୟକ ଭାବେ ନିର୍ବାଚିତ ହେଲେ ବିଜୟ ଶଙ୍କର ଦାସ। ମଙ୍ଗଳବାର ଉପ ନିର୍ବାଚନରେ ଜିତାପଟ ହାସଲ କରିବା ସହ ଶାସକ ଦଳ ଜଗତସିଂହପୁର ଜିଲ୍ଲାରେ ନିଜ ‘ତିର୍ତ୍ତୋଲ ଗଡ଼’ ବଜାୟ ରଖିବାରେ ସଫଳ ହୋଇଛି।

ଅନ୍ୟପଟେ ତିର୍ତ୍ତୋଲକୁ ଦଖଲ କରିବାକୁ ସ୍ୱପ୍ନ ଦେଖୁଥିବା ବିଜେପିକୁ ପୁଣିଥରେ ହାର ମାନିବାକୁ ପଡିଛି। ଦଳର ବିଧାୟକ ପ୍ରାର୍ଥୀ ୪୬,୬୦୭ ଭୋଟ୍ ପାଇବା ସହ ବିଜେଡିଠାରୁ ବହୁ ପଛରେ ରହିଯାଇଛନ୍ତି।

କାମ ଦେଲା ଅନୁକମ୍ପା କାର୍ଡ

ବିଧାନସଭା ନିର୍ବାଚନର ୧୮ ମାସ ପରେ ତିର୍ତ୍ତୋଲର ବିଧାୟକ ବିଷ୍ଣୁ ଦାସଙ୍କ ଅକାଳ ବିୟୋଗ ଘଟିଥିଲା। ଏହାପରେ ସେଠାରେ ଉପ ନିର୍ବାଚନ ହେବା ନେଇ ବିଜ୍ଞପ୍ତି ପ୍ରକାଶ ପାଇଥିଲା। ଯେଉଁଥିରେ ‘ଅନୁକମ୍ପା କାର୍ଡ’ ଖେଳିଥିଲା ବିଜେଡି। ବିଷ୍ଣୁ ଦାସଙ୍କ ପୁଅ ବିଜୟ ଶଙ୍କର ଦାସଙ୍କୁ ପ୍ରାର୍ଥୀ କରି ଦଳ ଏଠାରେ ଭୋଟରଙ୍କ ଅନୁକମ୍ପା ଭୋଟକୁ ସାଉଁଟିବା ସହିତ ନିର୍ବାଚନ ବୈତରଣୀ ପାର୍ କରିବାକୁ ଲକ୍ଷ୍ୟ ରଖିଥିଲା। ଶେଷରେ ବିଜେଡିର ଏହି ରଣନୀତି କାମ କରିବା ସହିତ ବିଜୟ ଶଙ୍କର ବଡ଼ ବ୍ୟବଧାନରେ ନିର୍ବାଚନ ଜିତିଛନ୍ତି।

ଉପ ନିର୍ବାଚନରେ ପୁଣି ନବୀନଙ୍କ କ୍ରେଜ୍

ବିଜୟ ଶଙ୍କର ବିଜୟ ପଛରେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ କ୍ରେଜ୍ ଥିବା ମଧ୍ୟ କୁହାଯାଉଛି। ଅନୁକମ୍ପା ଭୋଟ୍ ସାଙ୍ଗକୁ ନବୀନ ପଟ୍ଟନାୟକଙ୍କ ସ୍ୱଚ୍ଛଳ ଭାବମୂର୍ତ୍ତି ବିଜେଡିକୁ ଫାଇଦାରେ ରଖିଛି।

ନବୀନ ଏଥର ନିର୍ବାଚନ ପ୍ରଚାର ପାଇଁ ତିର୍ତ୍ତୋଲ ଯାଇପାରିନଥିଲେ ମଧ୍ୟ ଭିଡିଓ କନଫରେନ୍ସି ଜରିଆରେ ଲୋକଙ୍କୁ ଭେଟିଥିଲେ। ଯାହା ବିଜୟ ଶଙ୍କରଙ୍କୁ ବିଜୟୀ କରିବାକୁ ବେଶ ସାହାଯ୍ୟ ହୋଇଥିଲା। ଏଥିସହିତ ନିର୍ବାଚନ ପୂର୍ବରୁ ଜଗତସିଂହପୁର ଜିଲ୍ଲାର ମହାନଦୀ ଉପରେ ନବୀନ ଯେଉଁ ଦୁଇଟି ସେତୁ ନିର୍ମାଣ ପାଇଁ ମଞ୍ଜୁରି ପ୍ରଦାନ କରିଥିଲେ ତାହାର ଗଭୀର ପ୍ରଭାବ ଭୋଟରଙ୍କ ଉପରେ ପଡ଼ିଥିବା ରାଜନୈତିକ ପଣ୍ଡିତମାନେ ଆକଳନ କରିଛନ୍ତି।

ନିର୍ବାଚନରେ ‘ଫେଲ୍’ ରାଜକିଶୋର

ତିର୍ତ୍ତୋଲରେ ପଦ୍ମ ଫୁଲ ଫଟାଇବା ପାଇଁ ଏଥର ବିଜେପି ଦୃଢ଼ ରଣନୀତି କଷିଥିଲା। କଂଗ୍ରେସ ନେତା ରାଜକିଶୋର ବେହେରା ମଧ୍ୟ ହାତ ଛାଡ଼ି ପଦ୍ମ ଧରିଥିଲେ। ହେଲେ ଏଥର ମଧ୍ୟ ତିର୍ତ୍ତୋଲରେ ଶଙ୍ଖନାଦ ଶୁଭିଛି। ତିର୍ତ୍ତୋଲ ଉପନିର୍ବାଚନରେ ଫେଲ୍ ମାରିଛନ୍ତି ବିଜେପି ନେତା ରାଜକିଶୋର ବେହେରା।

ଏହାପୂର୍ବରୁ ମଧ୍ୟ ରାଜକିଶୋର ବେହେରା ୨୦୦୯ ଏବଂ ୨୦୧୪ ସାଧାରଣ ନିର୍ବାଚନ ଲଢ଼ିଥିଲେ। ହେଲେ ଏହି ଦୁଇ ନିର୍ବାଚନରେ ମଧ୍ୟ ସେ ପରାଜୟ ଭୋଗିଥିଲେ। ଅବଶ୍ୟ, ଗତ ଦୁଇଥର ସେ କଂଗ୍ରେସ ଟିକେଟରୁ ଲଢୁଥିଲେ, ହେଲେ ଏଥର ବିଜେପି ଟିକେଟରୁ ଲଢ଼ି ମଧ୍ୟ ସେ ସେହି ସମାନ କଥା ଦୋହରାଇଛନ୍ତି। ବିଜେପି ସହିତ କଂଗ୍ରେସର ପ୍ରାର୍ଥୀ ମଧ୍ୟ ଏଥର ନିର୍ବାଚନରେ ଶୋଚନୀୟ ପରାଜୟ ଭୋଗିଛନ୍ତି।

୧୫ ବର୍ଷ ଧରି ବିଜେଡି ଦଖଲରେ ତିର୍ତ୍ତୋଲ

କଂଗ୍ରେସର ଦୁର୍ଗ ଥିଲା ତିର୍ତ୍ତୋଲ ବିଧାନସଭା ଆସନ। ହେଲେ ଏହି ଦୁର୍ଗ ୨୦୦୦ ମସିହାରୁ ଭାଙ୍ଗି ଯାଇଛି। ବିଜୁ ଜନତା ଦଳ ଗତ ୧୫ ବର୍ଷ ହେଲା ଏଠାରେ ରାଜୁତି କରୁଛି। ୨୦୦୪ରୁ ୨୦୦୯ ମସିହା ପର୍ଯ୍ୟନ୍ତ ମଝିରେ ୫ ବର୍ଷକୁ ଛାଡ଼ିଦେଲେ ୨୦୦୦ ମସିହାରୁ ଆଜି ପର୍ଯ୍ୟନ୍ତ ତିର୍ତ୍ତୋଲରେ ଶଙ୍ଖ ପତାକା ଉଡୁଛି।

ତିର୍ତ୍ତୋଲ ନିର୍ବାଚନମଣ୍ଡଳୀର ରାଜନୈତିକ ଇତିହାସକୁ ଯଦି ଆମେ ଦେଖିବା ତେବେ ଏଠାରେ ଦୀର୍ଘ ବର୍ଷ ଧରି ଶାସନ ଡ଼ୋର କଂଗ୍ରେସ ହାତରେ ରହିଥିବା ଦେଖିବାକୁ ପାଇବା। ୧୯୫୧, ୧୯୬୧, ୧୯୮୦, ୧୯୮୫, ୧୯୯୦, ୧୯୯୫ ନିର୍ବାଚନରେ କଂଗ୍ରେସ ଏଠାରେ ବିପୁଳ ଭୋଟ ପାଇଥିଲା। ୨୦୦୦ ମସିହାରେ ପ୍ରଥମ ଥର ପାଇଁ ବିଜେଡି କଂଗ୍ରେସ ଗଡ଼ ଭାଙ୍ଗିଥିଲା। ଦେବାଶିଷ ସାମନ୍ତରାୟ ଏଠାରୁ ବିଧାୟକ ଭାବେ ନିର୍ବାଚିତ ହୋଇଥିଲେ।

୨୦୦୪ ନିର୍ବାଚନ ବେଳେ ପୁଣି କଂଗ୍ରେସ ହାତକୁ କ୍ଷମତା ଦେଇଥିଲେ ତିର୍ତ୍ତୋଲବାସୀ। ଚିରଞ୍ଜିବ ବିଶ୍ୱାଳ ଏଠାରେ ପ୍ରାର୍ଥୀ ହୋଇଥିବାରୁ କଂଗ୍ରେସ ପୁଣି ନିର୍ବାଚନ ଜିତିଥିଲା। ପୁଣି ୨୦୦୯ରେ ବିଜେଡି କଂଗ୍ରେସ ଦୁର୍ଗ ଭାଙ୍ଗିଥିଲା। ୨୦୦୯ରେ ରମାକାନ୍ତ ଭୋଇ, ୨୦୧୪ରେ ଡାକ୍ତର ରାଜଶ୍ରୀ ମଲ୍ଲିକ ଏବଂ ୨୦୧୯ରେ ବିଷ୍ଣୁ ଦାସ ବିଜେଡି ପାର୍ଥୀ ଭାବେ ନିର୍ବାଚିତ ହୋଇଥିଲେ।

ବିଷ୍ଣୁଙ୍କ ନିର୍ବାଚନ ମଣ୍ଡଳୀ ତିର୍ତ୍ତୋଲ ନଥିଲା। ସେ ଜଗତସିଂହପୁର ଆସନରୁ ନିର୍ବାଚିତ ହେଉଥିଲେ। କିନ୍ତୁ ୨୦୧୯ରେ ରାଜନୀତିକ ସମୀକରଣ ବଦଳିବାରୁ ବିଷ୍ଣୁ ଜଗତସିଂହପୁର ଛାଡ଼ି ତିର୍ତ୍ତୋଲ ଆସିଥିଲେ। ଏଠାରେ ରାଜଶ୍ରୀଙ୍କ ସମର୍ଥକମାନେ ବିଷ୍ଣୁଙ୍କୁ ବିରୋଧ କରିଥିଲେ। ଏହାସତ୍ତ୍ୱେ ବିଷ୍ଣୁ ନିର୍ବାଚନ ବୈତରଣୀ ପାର୍‌ ହୋଇଥିଲେ। ବିଷ୍ଣୁଙ୍କ ଦେହାନ୍ତ ପରେ ଏବେ ତାଙ୍କ ପୁଅ ବିଜୟ ଶଙ୍କର ଦାସ ତିର୍ତ୍ତୋଲ ଆସନର ନୂଆ ବିଧାୟକ ନିର୍ବାଚିତ ହୋଇଛନ୍ତି।

Comment