ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭଦ୍ରକ ଜିଲ୍ଲା ଧାମନଗର ଡବଲ ମର୍ଡର ଘଟଣାରେ ଟୁଇଷ୍ଟ। ଅଭିଯୁକ୍ତ ବବୁଆ ଗିରଫ ହେବା ପରେ ପୂରା ପରିବାରକୁ କାହିଁକି ମାରିବାକୁ ଚାହୁଁଥିଲା ତାହା ସ୍ପଷ୍ଟ କରିଛି।

“ମୁଁ ଯେତେବେଳେ ଛୋଟ ଥିଲି ରବୀନ୍ଦ୍ରଙ୍କ ପରିବାର ମୋ’ ବାପା, ମା’ଙ୍କୁ ନିର୍ଯାତନା ଦେଉଥିଲେ। ମୋ’ ମାଆ ପେଟ ଉପରେ ଶାବଳ ପକାଇ ଚଢ଼ି ଯାଉଥିଲେ। ମୁଁ ସପ୍ତମ ଶ୍ରେଣୀରେ ପାଠ ପଢ଼ୁଥିବା ବେଳେ ମୋ’ ମାଆ ଆରପାରିକୁ ଚାଲି ଯାଇଥିଲା। ସେହି ଦସିନରୁ ପ୍ରତିଶୋଧ ନେବାକୁ ଚାହୁଁଥିଲି। ହେଲେ ମୁଁ ଛୋଟ ଥିବାରୁ କିଛି କରିପାରୁ ନଥିଲି। ଏବେ ମୁଁ ପ୍ରତିଶୋଧ ନେଇଛି।”

ଏହି ବୟାନଟି ହେଉଛି ଭଦ୍ରକ ଜିଲ୍ଲା ଧାମନଗର ଡବଲ ମର୍ଡର ଘଟଣାର ଅଭିଯୁକ୍ତ ଗୋପୀନାଥ ମହାନ୍ତି ଓରଫ୍ ବବୁଆଙ୍କର। ଭୁବନେଶ୍ୱର ଚନ୍ଦ୍ରଶେଖରପୁର ଅଞ୍ଚଳରୁ ସୋମବାର ରାତିରେ ଧାମନଗର ପୋଲିସ ବବୁଆକୁ ଗିରଫ କରିବା ପରେ ଆଜି ସେ ଗଣମାଧ୍ୟମମ ଆଗରେ ସବୁ ସତ ଓଗାଳିଛି।

ବବୁଆ କହିଛି ଯେ ରବୀନ୍ଦ୍ର ବେଉରିଆ, ତାଙ୍କ ସ୍ତ୍ରୀ ଏବଂ ଝିଅକୁ ମାରିବା ପାଇଁ ପିଲାଟି ଦିନରୁ ସୁଯୋଗ ଖୋଜୁଥିଲି। ରବିବାର ରାତିରେ ଯୋଜନା ସଫଳ ହୋଇଥିଲା।

“ରବୀନ୍ଦ୍ରକୁ ଘରୁ ଡାକି ନେଇଥିଲି। ରବୀନ୍ଦ୍ର ଏବଂ ମୁଁ ମିଶିକି ମଦ ପିଇଥିଲୁ। ପ୍ରବଳ ନିଶା ହୋଇଯିବା ପରେ ରବୀନ୍ଦ୍ରର ଗୋଡ଼ ହାତି ବାନ୍ଧି କୋନାଲକୁ ଠେଲି ଦେଇଥିଲି। ରବୀନ୍ଦ୍ର ମରିଯିବା ପରେ ତାଙ୍କ ଘରକୁ ଆସି ଭକ୍ତିଲତାକୁ ହତ୍ୟା କରିଥିଲି। ପରେ ତାଙ୍କ ଝିଅକୁ ମାରିବାକୁ ଉଦ୍ୟମ କରୁଥିଲି। ହେଲେ ସେ ସମୟରେ କେହି ଡାକିଦେବାକୁ ମୁଁ ପଳାଇ ଯାଇଥିଲି”, କହିଛି ଅଭିଯୁକ୍ତ ବବୁଆ।

ବବୁଆ ଆହୁରି ସ୍ପଷ୍ଟ କରିଛି ଯେ ମୁଁ ତାଙ୍କ ଧରମ ପୁଅ ନଥିଲି।

ରବିବାର ରାତିରେ ବବୁଆ ଏହି ଲୋମହର୍ଷକ କାଣ୍ଡ ଘଟାଇ ଫେରାର ହୋଇଯାଇଥିଲା। ଭଦ୍ରକ ଏସ୍‌ପି ଏବଂ ଧାମନଗର ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲେ। ବବୁଆ ଭୁବନେଶ୍ୱର ପଳାଇ ଯାଇଥିବା ଜାଣିପାରି ଧାମନଗର ପୋଲିସର ଏକ ଟିମ୍ ଭୁବନେଶ୍ୱର ଆସି ବବୁଆକୁ ଗିରଫ କରିଛନ୍ତି।

ବବୁଆକୁ ଆଜି ପୋଲିସ ଘଟଣା ସମ୍ପର୍କରେ ପଚରା ଉଚୁରା କରୁଛି। କଳିତ୍ରୀ ପୀଠ କେନାଲ ପାଖରୁ ରବୀନ୍ଦ୍ରଙ୍କ ମୃତଦେହ ଉଦ୍ଧାର କରିଛି ପୋଲିସ।

Comment