ଓଡ଼ିଶାଲାଇଭ୍‍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ହାଇଗ୍ରେଡ କ୍ୟାନସର ରୋଗରେ ପୀଡ଼ିତା ଅଭିନେତ୍ରୀ ସୋନାଲି ବେନ୍ଦ୍ରେଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କେମିତି ଅଛି ଜାଣିବାକୁ ଫ୍ୟାନମାନେ ଅପେକ୍ଷା କରିରହିଥିବା ବେଳେ ସୋନାଲିଙ୍କ ନଣନ୍ଦ ସେୟାର କରିଥିବା ଏକ ଫଟୋ ଫ୍ୟାନମାନଙ୍କ ପାଇଁ ଖୁସି ଆଣିଦେବ ନିଶ୍ଚୟ|

ବଲିଉଡର ପପୁଲାର ଆକ୍ଟ୍ରେସ୍‍ ସୋନାଲି ବେନ୍ଦ୍ରେ ହାଇଗ୍ରେଡ କ୍ୟାନସର ରୋଗରେ ପୀଡିତ ଥିବା ନେଇ ନିକଟରେ ସୋସିଆଲ ମିଡିଆରେ ସୂଚନା ଦେଇଥିଲେ। ସେ ଏବେ ଆମେରିକାର ନ୍ୟୁୟର୍କ ସହରରେ ଚିକିତ୍ସାଧୀନ ଅଛନ୍ତି। ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଏବେ କେମିତି ଅଛି ଜାଣିବାକୁ ଫ୍ୟାନମାନେ ଅପେକ୍ଷା କରିରହିଛନ୍ତି। ଏହି ସମୟରେ ସୋନାଲିଙ୍କ ନଣନ୍ଦ ସେୟାର କରିଥିବା ଏକ ଫଟୋ ଫ୍ୟାନମାନଙ୍କ ପାଇଁ ଖୁସି ଆଣିଦେବ ନିଶ୍ଚୟ|

ସୋନାଲିଙ୍କ ପୁଅ ରଣବୀର ବେହଲ ନ୍ୟୁୟର୍କରେ ନେଇଥିବା ଏକ ଫଟୋ ସେୟାର କରିଛନ୍ତି ତାଙ୍କ ନଣନ୍ଦ ସୃଷ୍ଟି ଆର୍ଯ୍ୟା। ଏଥିରେ ରଣବୀର ବହୁତ ଖୁସି ଥିବାର ନଜର ଆସିଛନ୍ତି। ଏଥିରୁ ଯାହା ଜଣାଯାଉଛି ରଣବୀରଙ୍କ ମା’ ସୋନାଲିଙ୍କ ସ୍ୱାସ୍ଥ୍ୟରେ ଧୀରେ ଧୀରେ ଉନ୍ନତି ହେଉଛି। କେବଳ ଏତିକି ନୁହେଁ, ସୋନାଲିଙ୍କ ସ୍ୱାସ୍ଥ୍ୟାବସ୍ଥା ଠିକ୍‌ ଥିବା ନେଇ ନିକଟରେ ଏକ ଗଣମାଧ୍ୟମକୁ ସୂଚନା ଦେଇଥିଲେ ସୋନାଲିଙ୍କ ନଣନ୍ଦ ସୃଷ୍ଟି|

ଏହାପୂର୍ବରୁ ସୋନାଲି ମଧ୍ୟ ଭାବପ୍ରବଣତାର ସହ ତାଙ୍କ ପୁଅ ସହିତ ଏକ ଫଟୋ ସୋସିଆଲ ମିଡିଆରେ ସେୟାର କରିଥିଲେ। ସେଥିରେ ସେ ପୁଅ ରଣବୀରଙ୍କ ସହ ସମୟ କଟାଇ ବେଶ୍‌ ଖୁସିଥିବାର ଜଣାଇଥିଲେ। ଏହି ବାର୍ତ୍ତା ସୋନାଲିଙ୍କ ଫ୍ୟାନମାନଙ୍କ ପାଇଁ ଖୁସି ଆଣିଦେଇଥିବ ନିଶ୍ଚୟ|

ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସରରେ ପୀଡ଼ିତ ଥିବା ବିଷୟରେ ଜୁଲାଇ ୪ ତାରିଖରେ ନିଜେ ତାଙ୍କ ଇନ୍‌ଷ୍ଟାଗ୍ରାମରେ ତାଙ୍କ ଫ୍ୟାନମାନଙ୍କୁ ସୂଚନା ଦେଇଥିଲେ। ପରିବାର ଓ ଫ୍ୟାନମାନଙ୍କ ପାଇଁ ରୋଗ ସହ ଲଢେଇ ଜାରି ରଖିବେ ବୋଲି ଜଣାଇଥିଲେ ସୋନାଲି। ସୋନାଲିଙ୍କୁ ହାଇଗ୍ରେଡର କର୍କଟ ରୋଗ ହୋଇଥିବା ପରୀକ୍ଷାରୁ ଜଣାପଡ଼ିଥିଲା। ଦୀର୍ଘ ଦିନ ଧରି ଶରୀର ଯନ୍ତ୍ରଣା ହେଉଥିବାରୁ ଚିକିତ୍ସା ପାଇଁ ଆମେରିକା ଯାଇଥିଲେ। ପରୀକ୍ଷାରୁ କର୍କଟ ରୋଗ ଚିହ୍ନଟ ହୋଇଥିଲା।

ନିକଟରେ ସୋନାଲି ବେନ୍ଦ୍ରେ ନିଜର ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ଭିଡିଓ ମଧ୍ୟ ସେୟାର କରିଥିଲେ। କ୍ୟାନସର ଚିକିତ୍ସା ପାଇଁ ତାଙ୍କ କେଶ କଟାଯାଉଥିବା ସମୟର ଏହି ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା। ସୋନାଲି ଏହି ଭିଡିଓରେ ଭାବପ୍ରବଣ ହୋଇପଡ଼ିଥିଲେ। ତାଙ୍କର ସୁସ୍ଥତା ପାଇଁ ପ୍ରାର୍ଥନା କରୁଥିବା ଫ୍ୟାନମାନଙ୍କୁ ଧନ୍ୟବାଦ ଜଣାଇଥିଲେ ସୋନାଲି।

“ପ୍ରତ୍ୟେକ ଦିନ ଅନେକ ଲୋକ ଏହି ରୋଗ ସହ ସଂଘର୍ଷ କରୁଛନ୍ତି। କିଏ ଜିତୁଛି ତ ଆଉ କିଏ ହାରିଯାଉଛି। ସବୁକିଛି ସରିନାହିଁ, ଆଜି ବି ମୋର ଦୃଢ଼ ବିଶ୍ୱାସ ରହିଛି। ମୁଁ କେବେ ବି ଏହି ବିଶ୍ୱାସ ହାରିବି ନାହିଁ”, ଲେଖିଥିଲେ ସୋନାଲି। ସମସ୍ତେ ତାଙ୍କ ସ୍ୱାସ୍ଥ୍ୟାବସ୍ଥାକୁ ନେଇ ଚିନ୍ତିତ ଥିବାରୁ ସେ ନିୟମିତ ଭାବେ ସୋସିଆଲ ମିଡିଆ ମାଧ୍ୟମରେ ଚିକିତ୍ସା ଖବର ତାଙ୍କ ପ୍ରଶଂସକମାନଙ୍କୁ ଜଣାଉଛନ୍ତି ବୋଲି କହିଥିଲେ ସୋନାଲି।

LEAVE A REPLY

Please enter your comment!
Please enter your name here