ଓଡ଼ିଶାଲାଇଭ୍‌ ବ୍ୟୁରୋ

ହ୍ଵାଟ୍‌ସଆପ୍‌ ପକ୍ଷରୁ ଗ୍ରୁପ୍‌ ଭଏସ୍‌ ଓ ଭିଡିଓ କଲିଂ ସେବା ଆରମ୍ଭ କରାଯାଇଛି। ଆଇଓଏସ୍‌ ଓ ଆଣ୍ଡ୍ରଏଡ୍‌ ବ୍ୟବହାରକାରୀଙ୍କ ପାଇଁ ଏହି ସେବା ଉପଲବ୍ଧ କରାଯାଇଛି।

ହ୍ଵାଟ୍‌ସଆପ୍‌ରେ ଆଣିଛି ନୂଆ ଫିଚର। ମେସେଜିଂ ଆପ୍‌ ହ୍ଵାଟ୍‌ସଆପ୍‌ ପକ୍ଷରୁ ନିକଟ ଅତୀତରେ ଅନେକ ପ୍ରକାରର ନୂଆ ଧରଣର ବ୍ୟବସ୍ଥା ଆରମ୍ଭ କରି ଯୋଗାଯୋଗକୁ ଅଧିକ ସହଜ ଓ ସରଳ କରାଯାଇଛି। ଏଗୁଡ଼ିକ ମଧ୍ୟରେ ରହିଛି ହ୍ଵାଟ୍‌ସଆପ୍‌ ଫର ବିଜନେସ୍‌, ୟୁପିଆଇ ପେମେଣ୍ଟ ଇତ୍ୟାଦି।

ପୁଣି ଅଭିନବ ସୁବିଧା ଆରମ୍ଭ କରିଛି ହ୍ଵାଟ୍‌ସଆପ୍‌। ସେଗୁଡ଼ିକ ମଧ୍ୟରେ ରହିଛି ଗ୍ରୁପ ଭିଡିଓ ଚାଟ୍‌, ଗ୍ରୁପ ଡେସକ୍ରିପସନ, ଭଏସ କଲ ବେଳେ ଭିଡିଓ କଲ୍‌କୁ ଯିବା, ହ୍ଵାଟ୍‌ସଆପ୍‌ ଷ୍ଟିକର ଇତ୍ୟାଦି। ଏସବୁ ନୂଆ ଫିଚରଗୁଡିକର ପ୍ରୟୋଗ ଏବେ ବିଟା, ଆଣ୍ଡ୍ରଏଡ ଓ ଆଇଓଏସ ପ୍ଲାଟଫର୍ମରେ ବ୍ୟବହାର କରାଯାଇପାରିବ।

ତେବେ ଏସବୁ ନୂଆ ଫିଚର ମଧ୍ୟରୁ ସବୁଠୁ ଆକର୍ଷଣୀୟ ହେଲା ଗ୍ରୁପ ଭିଡିଓ କଲିଂ। ଏବେ ହ୍ଵାଟ୍ସଆପ୍‌ରେ କେବଳ ଦୁଇଜଣଙ୍କ ମଧ୍ୟରେ ଭିଡିଓ କଲ କରିବାର ସୁବିଧା ରହିଛି।

ଗ୍ରୁପ୍‌ କଲିଂ ସୁବିଧାରେ ୪ ଜଣ ପର୍ଯ୍ୟନ୍ତ ବ୍ୟବହାରକାରୀ ଏକସଙ୍ଗରେ କଥା ହୋଇପାରିବେ। ଗତକିଛି ବର୍ଷ ହେଲା ହ୍ଵାଟ୍‌ସଆପ୍‌ ପକ୍ଷରୁ ୟୁଜରମାନଙ୍କୁ ଭଏସ୍‌ ଓ ଭିଡିଓ କଲିଂ ସୁବିଧା ପ୍ରଦାନ କରାଯାଇ ଆସୁଛି।

ହ୍ଵାଟ୍‌ସଆପ୍‌ର ବ୍ୟବହାରକାରୀମାନେ ଦିନକୁ ୨ ବିଲିଅନ ମିନିଟ୍‌ରୁ ଅଧିକ ସମୟ କଥା ହେବାରେ ବିତାଉଛନ୍ତି। ଏସବୁକୁ ଦୃଷ୍ଟିରେ ରଖି ଆଜିଠାରୁ ଗ୍ରୁପ୍‌ ଭଏସ୍‌ ଓ ଭିଡିଓ କଲ୍‌ ସେବା ଆରମ୍ଭ କରୁଛି ବୋଲି କମ୍ପାନି ଏହାର ବ୍ଲଗ୍‌ ପୋଷ୍ଟ୍‍ରେ ଉଲ୍ଲେଖ କରିଛି।

ଓ୍ଵାନ୍‌-ଟୁ-ଓ୍ଵାନ ଭଏସ୍‌ ବା ଭିଡିଓ କଲ୍‌ ଆରମ୍ଭ କରିଲେ ସ୍କି୍ରନ୍‌ର ଡାହାଣ ପଟ ଉପରିଭାଗରେ ‘ଆଡ୍‌ ପାର୍ଟିସିପାଣ୍ଟ୍‌’ ନାମରେ ଏକ ବଟନ୍‌ ଆସିବ। ଫଳରେ ଅଧିକ ବ୍ୟକ୍ତିଙ୍କୁ ଏହି କଥାବାର୍ତ୍ତାରେ ସାମିଲ କରାଯାଇପାରିବ।

Comment