ଓଡ଼ିଶାଲାଇଭ୍ ବ୍ୟୁରୋ
ଭୁବନେଶ୍ୱର ଏଜି ଛକରେ ପୋଲିସ ଏଡିଜିଙ୍କ ପରିବାରକୁ ଅଟକାଇ ଦେଲା ଟ୍ରାଫିକ ପୋଲିସ। ଫଳରେ ଏନେଇ ମୁହାଁମୁହିଁ ହୋଇଛନ୍ତି ଏଡିଜିଙ୍କ ସ୍ତ୍ରୀ ଏବଂ ମହିଳା ଟ୍ରାଫିକ ପୋଲିସ।
ଏଡିଜି ପ୍ରାଣବନ୍ଦୁ ଆଚାର୍ଯ୍ୟଙ୍କ ପରିବାର ସଦସ୍ୟ ଆଜି ଅପରାହ୍ଣରେ ଏଜି ଛକ ଦେଇ କାର୍ରେ ଯାଉଥିଲେ। ଏହି ସମୟରେ ରାଜ୍ୟ ସଚିବାଳୟ ଅଭିମୁଖେ ଆସୁଥିଲା ମୁଖ୍ୟମନ୍ତ୍ରୀଙ୍କ କାରକେଡ୍। ସୁରକ୍ଷା ଦାୟତ୍ବରେ ଥିବା ଟ୍ରାଫିକ ପୋଲିସ ସବୁ ଗାଡ଼ିକୁ ଅଟକାଇ ଦେଇଥିଲା। ଏଡିଜିଙ୍କ ପରିବାର ଲୋକ ଯାଉଥିବା ଗାଡ଼ି ବି ଏଥିରୁ ବାଦ୍ ପଡ଼ି ନଥିଲା।
ହେଲେ ଏଥିରେ ଉତକ୍ଷୀପ୍ତ ହୋଇଯାଇଥିଲେ ଏଡିଜିଙ୍କ ପରିବାର। ଗାଡ଼ି ଅଟକାଇଥିବା ଟ୍ରାଫିକ ପୋଲିସ ସହ ଗଣ୍ଡଗୋଳ କରିଥିଲେ। ଗଣ୍ଡଗୋଳ ବେଳେ ଗାଡ଼ିରେ ଏଡିଜିଙ୍କ ସ୍ତ୍ରୀ ଏବଂ ଝିଅ ଗାଡ଼ିରେ ବସିଥିବା ଜଣାପଡ଼ିଛି।
ଟ୍ରାଫିକ କନଷ୍ଟେବଳ ପୁଷ୍ପଲତା ଭୋଇ କହିଛନ୍ତି ଯେ ସେ ତାଙ୍କ ଡ୍ୟୁଟି କରିଛନ୍ତି। ଏଥିରେ ତାଙ୍କର କିଛି ଭୁଲ୍ ନାହିଁ। ପୋଲିସ ଏଡିଜିଙ୍କ ଗାଡ଼ିକୁ ଥାନାକୁ ଆଣିଛି। ଏହି ଗାଡ଼ିଟି ଏଡିଜିଙ୍କ ସ୍ତ୍ରୀଙ୍କ ନାଁରେ ଥିବା ଜଣାପଡ଼ିଛି।
ଏଡିଜିଙ୍କ ଝଅ କହିଛନ୍ତି ଯେ ଟ୍ରାଫିକ ପୋଲିସ ଆମକୁ ଅଶ୍ଲୀଳ ଭାଷାରେ ଗାଳି କରିବା ସହ ଚାପୁଡ଼ା ମାରିଛନ୍ତି। ହେଲେ ଟ୍ରାଫିକ କନଷ୍ଟେବଳ ଏହାକୁ ଖଣ୍ଡନ କରିଛନ୍ତି। ତେବେ ଏନେଇ ଥାନାରେ କୌଣସି ଲିଖିତ ଅଭିଯୋଗ ହୋଇନାହିଁ।


















