ଡକ୍ଟର ସୁଧାଂଶୁ ଷଡ଼ଙ୍ଗୀ

ଛୋଟ ଗାଡ଼ିଆରେ ବଡ଼ ମାଛ ହେବା ଭଲ ନା ବଡ଼ ଗାଡ଼ିଆରେ ଛୋଟ ମାଛ ହେବା ଭଲ?

ସବୁ ଅଭିଭାବକ ଇଚ୍ଛା କରନ୍ତି ତାଙ୍କ ପିଲାଏ ବଡ଼, ନାମୀ ସ୍କୁଲରେ ପାଠ ପଢ଼ନ୍ତୁ। ବଡ଼ କଲେଜକୁ ଯାଆନ୍ତୁ, ଆଇ.ଆଇ.ଟିରେ ପଢ଼ନ୍ତୁ। ସମସ୍ତଙ୍କ ଇଚ୍ଛା ବଡ଼ ଗାଡ଼ିଆରେ ପଶିବାକୁ। ତେବେ ଯେଉଁମାନେ ଗାଁ ଗହଳିରେ ଥିବା ଛୋଟ ସ୍କୁଲରେ ପଢୁଛନ୍ତି ବା ନାମୀ କଲେଜକୁ ନ ଯାଉଛନ୍ତି ସେମାନଙ୍କ ଭବିଷ୍ୟତ କ’ଣ?

ମୁଁ ଏଗାର ବର୍ଷର ସ୍କୁଲ ପାଠ ବାରଟି ଜାଗାରେ ପଢ଼ିଲି। ତୃତୀୟ ଶ୍ରେଣୀରେ ଢେଙ୍କାନାଳ ଜିଲ୍ଲାର ଗୋଟିଏ ଛୋଟ ଗାଁ ବେଲଟିକିରିରେ ପଢୁଥିଲି, ଆମ ଗାଁଠାରୁ ଦୁଇ କଲୋମିଟର ଦୂର। ଗାଁରେ ବିଜୁଳି ଆଲୁଅ ନଥିଲା। ସନ୍ଧ୍ୟା ହେଲେ ଲଣ୍ଠନ  ଜଳୁଥିଲା ବା ଡିବିରି। ଖାଲି ପାଦରେ ପିଚୁ ସଡ଼କରେ ଚାଲିଲା ବେଳକୁ ପାଦ ତାତି ଯାଉଥିଲା। ନବମ ଶ୍ରେଣୀରେ (ଅଷ୍ଟମ ସିନିୟର) ମାଲକାନଗିରିର ଚିତ୍ରକୋଣ୍ଡା ହାଇସ୍କୁଲରେ ପଢୁଥିଲା ବେଳେ, ଆମ ଶ୍ରେଣୀରେ ଥିଲେ ଚାଳିଶ ଛାତ୍ରଛାତ୍ରୀ, ପୁରା ସ୍କୁଲରେ ଦେଢଶହ। ସେ ବର୍ଷ ଶ୍ରେଣୀରେ ପ୍ରଥମ ହୋଇଥିଲି, ବାର୍ଷିକ ଉତ୍ସବରେ ୧୭ଟି ପୁରସ୍କାର ପାଇ ସ୍କୁଲର ଶ୍ରେଷ୍ଠ ଛାତ୍ର ବି ହେଲି। ଇଏ ହେଲା ଛୋଟ ପୋଖରୀରେ ବଡ଼ ମାଛର କାହାଣୀ। କୌଣସି ଅନାମଧେୟ ସ୍କୁଲରେ ଚାଳିଶ ପିଲାଙ୍କ ଭିତରେ ପ୍ରଥମ।

ଅଭିଭାବକ ଭାବୁଛନ୍ତି ତାଙ୍କ ପିଲାଏ ବଡ଼ ସ୍କୁଲକୁ ଯାଇ ମୂଳରୁ ଭଲ ଛାତ୍ରଛାତ୍ରୀଙ୍କ ସାଙ୍ଗରେ ପ୍ରତିଯୋଗିତା କରନ୍ତୁ। ସେମାନଙ୍କ ଚିନ୍ତା ଯଦି ତାଙ୍କ ପିଲା ଛୋଟ ଗାଡ଼ିଆରେ ରହିଯିବ ତେବେ ପରବର୍ତ୍ତୀ ପର୍ଯ୍ୟାୟରେ ଯେତେବେଳେ ବଡ଼ ପୋଖରୀକୁ ପଶିବ ସେତେବେଳେ ପ୍ରତିଯୋଗୀତାର ସମ୍ମୁଖୀନ ହୋଇପାରିବ ନାହିଁ। ପୃଥିବୀ ଗୋଟିଏ ବଡ଼ ପୋଖରୀ, ତେଣୁ ମୂଳରୁ ବଡ଼ ପୋଖରୀରେ ଅଭ୍ୟାସ କଲେ ସଫଳତାର ସୁଯୋଗ ଅଧିକ। ସେଥିପାଇଁ ତ ପିଲା ଜନ୍ମ ହେଲା ବେଳକୁ ତାକୁ ଆଇ.ଆଇ.ଟିରେ ପ୍ରବେଶ କରାଇବାକୁ ସ୍ୱପ୍ନ ଦେଖାଯାଏ, ଉଦ୍ୟମ ବି ଆରମ୍ଭ ହୁଏ। ଏଭଳି ଚିନ୍ତାଧାରା ଭିତରେ ଛୋଟ ପୋଖରୀ ଓ ସେଥିରେ ରହୁଥିବା ବଡ଼ ମାଛଙ୍କର ଭବିଷ୍ୟତ କ’ଣ?

ଚିତ୍ରକୋଣ୍ଡାର ଛୋଟ ପୋଖରୀରୁ ଯେତେବେଳେ ଆସି ଢେଙ୍କାନାଳ ବ୍ରଜନାଥ ବଡ଼ ଜେନା ଉଚ୍ଚ ବିଦ୍ୟାଳାୟରେ ପହଞ୍ଚିଲି, ମତେ ଲାଗିଲା ଯେ, ସତ୍ତା ହରାଇବି। ପ୍ରତିଯୋଗିତାର ସମ୍ମୁଖୀନ ହୋଇ ପାରିବିନାହିଁ। ବ୍ରଜନାଥ ବଡ଼ଜେନା ଉଚ୍ଚ ବିଦ୍ୟାଳୟ ରାଜ୍ୟର ଏକ ସର୍ବପୁରାତନ, ବଡ଼ ଏବଂ ଉତ୍କୃଷ୍ଟ ଜିଲ୍ଳା ସ୍କୁଲ। କିନ୍ତୁ ୧୫ ଦିନ ଭିତରେ ବୁଝିଲି ଛୋଟ ପୋଖରୀରେ ବଡ଼ ମାଛ ହୋଇ ଯାହା ଶିଖିଛି ତାହା ବଡ଼ ପୋଖରୀରେ ବଞ୍ଚିବା ପାଇଁ ଓ ପହଁରିବା ପାଇଁ ଯଥେଷ୍ଟ। ଛୋଟ ପୋଖରୀ ଯୋଗୁଁ ମୁଁ ଜିତିବା ଶିଖିଥିଲି, ଆତ୍ମବିଶ୍ୱାସ ପାଇଥିଲି। ହୁଏତ ମୂଳରୁ ବଡ଼ ପୋଖରୀରେ ଥିଲେ ବଡ଼ ମାଛ ନୁହେଁ,  ଛୋଟ ମାଛ ଭାବେ ବଞ୍ଚିବା ଶିଖି ଥାଆନ୍ତି। ତେଣୁ ବାସ୍ତବ ଭାବେ ଦେଖିଲେ, ଛୋଟ ପୋଖରୀଟି ବଡ଼ ଉପାଦେୟ ହୋଇଥିଲା ଏବଂ ହୁଏତ ବଡ଼ ପୋଖରୀ ହାନୀକାରକ ବି ହୋଇପାରିଥାଆନ୍ତା। ସେଥିପାଇଁ ଏହି ଛୋଟ ଛୋଟ ପୋଖରୀମାନଙ୍କରୁ ରାଷ୍ଟ୍ରଜ୍ଞ, ରାଜନେତା, ବୈଜ୍ଞାନିକ, ସାହିତ୍ୟିକ, ପ୍ରଶାସକ ଅତୀତରେ ସୃଷ୍ଟି ହୋଇଛନ୍ତି, ଭବିଷ୍ୟତରେ ବି ହେବେ।

ବ୍ରଜନାଥ ବଡ଼ ଜେନା ସ୍କୁଲରେ ଥାଆନ୍ତି ୨୦୦୦ ଛାତ୍ରଛାତ୍ରୀ। ପ୍ରଧାନଶିକ୍ଷକ ସ୍ୱର୍ଗତଃ ରୁଦ୍ରନାରାୟଣ ମିଶ୍ର, ଗୋପବନ୍ଧୁଙ୍କ ବନ ବିଦ୍ୟାଳୟର ଛାତ୍ର, ଗାନ୍ଧୀବାଦୀ। ବିଦ୍ୟାଳୟରେ ସବୁ ଜୟନ୍ତୀ ଉତ୍ସବ ପାଳନ ହୁଏ ଏବଂ ଛାତ୍ରଛାତ୍ରୀମାନଙ୍କୁ ଭାଷଣ ଦେବାକୁ ଡକାଯାଏ। ଯିଏ ତିରିଶ ଲୋକଙ୍କ ଆଗରେ ଭାଷଣ ଦେଇ ଶିଖିଥାଏ ତାକୁ ଦୁଇହଜାର ଲୋକଙ୍କ ଆଗରେ ଭାଷଣ ଦେବାରେ ସମସ୍ୟା ବା କ’ଣ? ଖାଲି ମାଇକ୍‌ରେ କହିବା ଶିଖିବାକୁ ହୁଏ। ଚିତ୍ରକୋଣ୍ଡାରେ ଅଳ୍ପପିଲାଙ୍କ ଭିତରେ ଭାଷଣ ଦେବା ଶିଖିଥିଲି, ଢେଙ୍କାନାଳରେ ସେହି ସମାନ ଭାଷଣ ଦବାକୁ ଆରମ୍ଭ କଲି ଏବଂ ଧୀରେ ଧୀରେ ବଡ଼ ପୋଖରୀରେ ବି ବଡ଼ ମାଛ ହୋଇଗଲି। ହୁଏତ ସିଧାସଳଖ ବଡ଼ ପୋଖରୀରେ ପଶିଥିଲେ ଭାଷଣଦେବା ହିଁ  ଶିଖି  ପାରିନଥାନ୍ତି। ଏହି ଗାଁ ଗହଳିର ସ୍କୁଲରୁ ଯାଇ ବିଲାତରେ ସ୍ନାତକୋତ୍ତର ଓ ମନସ୍ତତ୍ତ୍ୱ ବିଜ୍ଞାନ ଭଳି କଷ୍ଟ ବିଷୟରେ ପି.ଏଚ.ଡି କଲି।

ମାଲକମ୍‌ ଗ୍ଳାଡୱେଲ୍‌ଙ୍କ ପରିସଂଖ୍ୟାନ ଅନୁସାରେ ବଡ଼ ବିଶ୍ୱବିଦ୍ୟାଳୟର ଛୋଟ ମାଛଙ୍କଠାରୁ ଛୋଟ ବିଶ୍ୱବିଦ୍ୟାଳୟର ବଡ଼ ମାଛ ଅଧିକ ସଫଳ ହୁଅନ୍ତି। ହୁଏତ ଏହା ହୋଇପାରେ ଯେ, ବଡ଼ ପୋଖରୀରୁ ବାହାରୁଥିବା ମାଛଙ୍କର ଆରମ୍ଭ ସହଜ ହୋଇପାରେ ବା ଭଲ ବ୍ରାଣ୍ଡିଂ ହୋଇପାରେ। କିନ୍ତୁ ଜୀବନରେ ଛୋଟ ପୋଖରୀର ବଡ଼ ମାଛମାନେ କିଛି କମ୍‌ ସଫଳ ହୁଅନ୍ତି ନାହିଁ। ଅଯଥାରେ ଅଭିଭାବକମାନେ ନିଜେ ଚାପରେ ରହିବା ଓ ପିଲାଙ୍କୁ ଚାପରେ ରଖିବାର କୌଣସି ଯଥାର୍ଥତା ନାହିଁ। ଛାତ୍ରଛାତ୍ରୀମାନେ ପଢି- ଲେଖିପାରିବା  ଉଚିତ। ମୌଳିକ କୌଶଳ ଥିଲେ ପୋଖରୀ ଛୋଟ ହେଉ ବା ବଡ଼ ହେଉ ସେମାନେ ସହଜରେ ବଞ୍ଚି ରହିବେ। ପହଁରି ଶିଖିବା ଦରକାର, ତେଣିକି ପୋଖରୀ ଛୋଟ ହେଉ ବା ବଡ଼ ହେଉ।

ଛୋଟ ପୋଖରୀର ବଡ଼ ମାଛଙ୍କ ପାଇଁ  କିଛି ସମସ୍ୟା ମଧ୍ୟ ହୁଏ। ପ୍ରଥମ ହେଲା ବଡ଼ ମାଛ ହବାର ଔଦ୍ଧତ୍ୟ। ଗାଁର ସରପଞ୍ଚ ମଧ୍ୟ ନିଜକୁ ଆମେରିକାର ରାଷ୍ଟ୍ରପତି ଭଳି କ୍ଷମତାଶାଳୀ ମନେକରିବାର ଆଶଙ୍କା ରହିଛି। ଛୋଟ ବା ବଡ଼ ହେବା ପୋଖରୀର ଆୟତନ ଉପରେ ନିର୍ଭର  କରେ। ଦ୍ୱିତୀୟ ସମସ୍ୟା ହେଲା ଥରେ ବଡ଼ ମାଛଟିଏ ହୋଇଗଲେ ଛୋଟ ପୋଖରୀ ଛାଡ଼ିବାକୁ ଇଛା ହୁଏନି, ସାହସ ପାଏନି। ସେହି ଛୋଟ ପୋଖରୀରେ ଜୀବନ କଟିଯାଏ। ଅନେକ ବଡ଼ ମାଛତ ଛୋଟ ପୋଖରୀର ପଙ୍କରେ ଏମିତି ମିଶି ଯାଆନ୍ତି ଯେ,  ଗୋଳିଆ ପାଣିରେ ଜୀବନ କାଟିଦିଅନ୍ତି।  ଛୋଟ ପୋଖରୀ ଛାଡ଼ିବାକୁ ଛନକା ପଶେ।  ତୃତୀୟ, ନୂଆ ପୋଖରୀରେ ପଶିବା ସହଜ ନୁହେଁ। ସେଠିଥିବା ବଡ଼ ମାଛ ପଶାଇ ଦିଅନ୍ତି ନାହିଁ। ଏକାଠି ହୋଇ ଚକ୍ରାନ୍ତ କରନ୍ତି। ନାନା କାଳ୍ପନିକ କାହାଣୀ ସୃଷ୍ଟି କରି ପ୍ରବେଶ କରିବାକୁ ଚେଷ୍ଟା କରୁଥିବା ମାଛ ନାଁରେ କୁତ୍ସାରଚନା କରନ୍ତି। ଶେଷ ସମସ୍ୟା ହେଲା ବଡ଼ ମାଛର ଆକାର ବି ପୋଖରୀର ଆକାର ସାଙ୍ଗେ ଆପେକ୍ଷିକ। ଗାଁରେ ସରପଞ୍ଚ ହେବା ଓ ଆମେରିକାର ରାଷ୍ଟ୍ରପତି ହେବା ସମାନ ଆକାରର ମାଛର ପ୍ରତିଫଳନ ନୁହେଁ। ତେଣୁ  ଅନେକ ସମୟରେ ଛୋଟ ପୋଖରୀର ବଡ଼ ମାଛମାନଙ୍କୁ ଛୋଟ ପୋଖରୀରେ ହିଁ ଆବଦ୍ଧ କରି ରଖାଯାଏ। କାରଣ ସେମାନଙ୍କୁ ବଡ଼ ପୋଖରୀକୁ ଛାଡ଼ିଲେ ଆପେକ୍ଷିକ ଆକାର ବଢିଯାଏ। ବଡ଼ ପୋଖରୀରେ ପଶିବା ଓ ବଡ଼ ପୋଖରୀରେ ବଡ଼ ମାଛ ହେବା ସେଥିପାଇଁ ସହଜ ହୁଏ ନାହିଁ।

ଯେଉଁ ସମାଜରେ ମେଧାକୁ ଉପଯୁକ୍ତ ସମ୍ମାନ ଦିଆଯାଏ ଓ ପ୍ରତିଷ୍ଠିତ ନୀତି ଅନୁସାରେ ପୋଖରୀମାନଙ୍କୁ ପ୍ରବେଶ ମିଳେ ସେହି ସମାଜ ଅଧିକ ଗତିଶୀଳ ଓ ସଫଳ ହୁଏ। ତେଣୁ ପ୍ରସଙ୍ଗ  ବଡ଼ ପୋଖରୀ ବା ଛୋଟ ପୋଖରୀର ନୁହେଁ, ପ୍ରସଙ୍ଗ ହେଲା ମେଧାର, ତାହାହିଁ ଆଗୁଆ ଓ ପଛୁଆ ଦେଶମାନଙ୍କ ମଧ୍ୟରେ ପ୍ରଭେଦ। ଶିକ୍ଷାନୁଷ୍ଠାନ ଛୋଟ ବା ବଡ଼ ହୋଇପାରେ। କିନ୍ତୁ ଯଦି ଛାତ୍ରଛାତ୍ରୀ ମୌଳିକ କୌଶଳ ଶିଖନ୍ତି ତେବେ ସଫଳ ହୁଅନ୍ତି।

ଆମେ ନ ଭାବିବା ଉଚିତ ଯେ, ନିପଟ ମଫସଲରେ ଅନାମଧେୟ ସ୍କୁଲରେ ପାଠ ପଢୁଥିବା ଛାତ୍ରଛାତ୍ରୀଙ୍କର ମେଧା ନାହିଁ ବା ସୁଯୋଗ ମିଳିଲେ ସେମାନେ ସଫଳ ହେବେ ନାହିଁ। ଛୋଟ ପୋଖରୀରେ ବି ବଡ଼ ମାଛ ଅଛନ୍ତି।

(ଲେଖକ ଜଣେ ଆଇ.ପି.ଏସ୍‌ ଅଫିସର ଓ ମନସ୍ତତ୍ତ୍ୱ ବିଜ୍ଞାନର ଛାତ୍ର, ମତ ବ୍ୟକ୍ତିଗତ)   

Comment