ଓଡ଼ିଶାଲାଇଭ୍ ବ୍ୟୁରୋ

ରାଜ୍ୟରେ ମାଓବାଦୀଙ୍କ ସହ ମୁକାବିଲା ଲାଗି ଓଡ଼ିଶା ପୋଲିସ ପାଇଁ କିଣାଯିବ ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର। ଏଥିରେ ପୋଲିସ ପାଇଁ କର୍ଣ୍ଣରସଟ୍ ବନ୍ଧୁକ ଓ ଅତ୍ୟାଧୁନିକ ଡ୍ରୋନ୍ କିଣିବାକୁ ଯୋଜନା କରାଯାଇଛି। ଭୁବନେଶ୍ୱରରେ ବୁଧବାର ମାଓ ମୁକାବିଲା ନେଇ ବସିଥିବା ବୈଠକରେ ଏ ନେଇ ନିଷ୍ପତ୍ତି ହୋଇଛି।

କର୍ଣ୍ଣରସଟ୍ ବନ୍ଧୁକ ଦ୍ଵାରା ଶତ୍ରୁର ସାମ୍ନାକୁ ନ ଆସି ଏକ କୋଣରୁ ଡାହାଣ କିମ୍ବା ବାମକୁ ଗୁଳି ଚଳାଇହେବ। ଏହାର ବ୍ୟାରେଲ୍ ୯୦ ଡିଗ୍ରୀ ଯାଏଁ ବୁଲି ପାରିବ। ଏଥିରେ ଲାଗିଥିବା କ୍ୟାମେରା ମାଧ୍ୟମରେ ଶତ୍ରୁକୁ ଖୁବ ସହଜରେ ଦେଖିହେବ।

କର୍ଣ୍ଣରସଟ୍ ବନ୍ଧୁକକୁ ଭାରତର ଏନଏସଜି କମାଣ୍ଡୋ, ପାରା ଏସଏଫର କମାଣ୍ଡୋମାନେ ଆତଙ୍କବାଦୀ ବିରୋଧୀ ଅପରେସନରେ ବ୍ୟବହାର କରିଥାନ୍ତି। ଏହାସହ ଉକ୍ତ ବନ୍ଧୁକରେ ଲାଗିଥିବା ଲେଜର, ନାଇଟ ସାଇଟ ଦ୍ଵାରା ଏହାକୁ ରାତିରେ ମଧ୍ୟ ବ୍ୟବହାର କରାଯାଇପାରିବ।

ଅନ୍ୟପଟେ ମାଓ ବିରୋଧୀ ଅଭିଯାନରେ ପୋଲିସକର୍ମୀଙ୍କ ସୁରକ୍ଷା ପାଇଁ ରାତିରେ ବ୍ୟବହାର ହୋଇପାରୁଥିବା ଅତ୍ୟାଧୁନିକ ସର୍ଭେଲାନ୍ସ ଡ୍ରୋନ କିଣିବାକୁ ନିଷ୍ପତ୍ତି ହୋଇଛି। ପ୍ରାରମ୍ଭିକ ଭାବେ ୬ଟି ଡ୍ରୋନ କିଣାଯିବାକୁ ଥିବାବେଳେ ଆଗକୁ ଆହୁରି ମଧ୍ୟ ଡ୍ରୋନ କିଣାଯିବ।      

ବୁଧବାର ବସିଥିବା ବୈଠକରେ ଓଡ଼ିଶା ପୋଲିସର ଆଧୁନିକୀକରଣ ଉପରେ ଗୁରୁତ୍ଵ ଦିଆଯାଇଥିଲା। ବୈଠକରେ ଓଡ଼ିଶା ପୋଲିସ ଡିଜି ସୁନିଲ ବଂଶଲ, ରାଜ୍ୟର ମାଓ ପ୍ରବଣ ଜିଲ୍ଲାର ଏସପି ଏବଂ ସିଆରପିଏଫ, ବିଏସଏଫ ତଥା ଗୁଇନ୍ଦା ବିଭାଗର ଅଧିକାରୀମାନେ ଯୋଗ ଦେଇଥିଲେ।

Tags: #OdishaPolice #High-techWeapons #MaoistOperations #Odisha

Comment