ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିରାଟ କୋହଲିଙ୍କ ବିରାଟ ଇନିଂସ। ୨୨ତମ ଶତକ ବଳରେ ଭାରତୀୟ ଟିମ୍‌ ଇଂଲଣ୍ଡ ବିରୋଧରେ ୨୭୪ ରନ୍‌ ସଂଗ୍ରହ କରିଛି।

ଭାରତୀୟ ଅଧିନାୟକ ବିରାଟ କୋହଲିଙ୍କ କ୍ୟାରିୟରର ୨୨ତମ ଶତକ ବଳରେ ଭାରତୀୟ ଟିମ୍‌ ୨୭୪ ରନ୍‌ ସଂଗ୍ରହ କରିଛି। ଇଂଲଣ୍ଡ ବିରୋଧରେ ଏଜବେଷ୍ଟନ୍‌ ଷ୍ଟାଡିୟମରେ ଗୁରୁବାର ୨ୟ ଦିନରେ ଭାରତ ୧୩ ରନ୍‌ ପଛରେ ରହିଛି।

ବିରାଟ କୋହଲି ସ୍ମରଣୀୟ ଶତକ(୧୪୯ ରନ୍‌, ୨୨୫ ବଲ୍‌, ୨୨ ଚୌକା, ଗୋଟିଏ ଛକା) ହାସଲ କରିଛନ୍ତି। ୪ ବର୍ଷ ତଳେ ଯେଉଁ ବିରାଟ କୋହଲି ଇଂଲଣ୍ଡ ମାଟିରେ ବିଫଳ ହୋଇଥିଲେ ସେ ଆଜି ସଫଳତାର ସହିତ ଶତକ ମାରିଛନ୍ତି।

୨୦୧୪ରେ ଘଟିଥିବା ଘଟଣାକୁ ଭୁଲି କୋହଲି ଦୃଢ଼ ମନୋଭାବ ସହିତ କ୍ରିଜରେ ଥିଲେ। ଦଳର ୯ଜଣ ଖେଳାଳି ଆଉଟ୍‌ ହୋଇଥିଲେ ମଧ୍ୟ ସେ ଲକ୍ଷ୍ୟକୁ ପୂରା କରିବା ପାଇଁ ଅପେକ୍ଷା କରିଥିଲେ। ଜଣେ ଅଧିନାୟକ ହିସାବରେ କୋହଲି ଆଜି ୧୫ତମ ଟେଷ୍ଟ ଶତକ ହାସଲ କରିଛନ୍ତି।

୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମୁକାବିଲାର ପ୍ରଥମ ପାଳିରେ ଇଂଲଣ୍ଡ ୨୮୭ ରନ୍‌ରେ ସମସ୍ତ ଓ୍ଵିକେଟ୍‌ ହରାଇବା ପରେ ଭାରତର ସମସ୍ତ ଓ୍ଵିକେଟ ହରାଇ ୨୭୪ ରନ୍‌ ସଂଗ୍ରହ କରିଛି।

ଓପନର ମୁରଲି ବିଜୟ(୨୦) ସାମ କୁରାନଙ୍କ ବଲରେ ଏଲବିଡବ୍ଲ୍ୟୁ ହେବା ପରେ ଲୋକେଶ ରାହୁଲ(୪) ଆଉଟ୍‌ ହୋଇଥିଲେ। ଇଂଲଣ୍ଡର ୩ୟ ଶିକାର ହୋଇଛନ୍ତି ଶିଖର ଧାଓ୍ଵନ(୨୬)। ସେ ସାମଙ୍କ ବଲ ମଲାନଙ୍କୁ କ୍ୟାଚ ଦେଇଛନ୍ତି। ବେନଷ୍ଟୋକଙ୍କ ବଲ ଜେନିଙ୍ଗସ୍‌ଙ୍କୁ କ୍ୟାଚ ଦେଇ ଆଜିଙ୍କ୍ୟ ରାହାଣେ ପାଭଲିଅନକୁ ଫେରିଛନ୍ତି। ଦିନେଶ କାର୍ତ୍ତିକ କୌଣସି ରନ୍‌ ନକରି ବେନ୍‌ ଷ୍ଟୋକସ୍‌ଙ୍କ ଦ୍ୱାରା ବୋଲ୍ଡ ହୋଇଛନ୍ତି। ହାର୍ଦ୍ଦିକ ପାଣ୍ଡ୍ୟା ୨୨ ରନ୍‌, ରବିଚନ୍ଦ୍ରନ ଅଶ୍ୱିନ ୧୦ ରନ୍‌, ଇଶାନ୍ତ ଶର୍ମା ୫ ରନ୍‌, ମହମ୍ମଦ ସାମି ୨ ରନ୍‌ ଓ ଉମେଶ ଯାଦବ ଅପରାଜିତ ୧ ରନ କରି ପାଭଲିଅନ ଫେରିଥିଲେ।

Comment