ଓଡ଼ିଶାଲାଇଭ୍‌ ବ୍ୟୁରୋ

ଗ୍ୟାଙ୍ଗଷ୍ଟର ଟିଟୋକୁ ମାର୍ଶାଘାଇ ପୋଲିସ ମଙ୍ଗଳବାର ପୁଣି ଥରେ ଦିନିକିଆ ରିମାଣ୍ଡରେ ନେଇଛି।

ଟିଟୋକୁ ପୁଣି ରିମାଣ୍ଡରେ ଆଣିଲା ମାର୍ଶାଘାଇ ଥାନା ପୋଲିସ। କୁସୁନପୁର ଗାଁର ଲୁଲୁ ଓରଫ ବିଶ୍ୱଜିତ ସାହୁ ହତ୍ୟାକାଣ୍ଡର ଫାଇଲ ରିଓପନ୍ କଲା ମାର୍ଶାଘାଇ ପୋଲିସ।

ଏହି ହତ୍ୟାକାଣ୍ଡ ଟିଟୋର ନିର୍ଦ୍ଦେଶରେ କରାଯାଇଥିଲା ବୋଲି ଏସଟିଏଫ୍ ନିକଟରେ ବୟାନ ଦେଇଛି ଟିଟୋ। ୨୦୧୩ ମସିହା ସେପ୍ଟେମ୍ବର ୨୨ ତାରିଖରେ କୁସୁନପୁର ଗାଁ ନିକଟରେ ବିଶ୍ୱଜିତକୁ ଗୁଳିକରି ହତ୍ୟା କରାଯାଇଥିଲା।

୭ମ ଥର ପାଇଁ ମଙ୍ଗଳବାର ଦିନ ପୁଣି ଗ୍ୟାଙ୍ଗଷ୍ଟର ଟିଟୋକୁ ରିମାଣ୍ଡରେ ଆଣିଛି ପୋଲିସ। ମାର୍ଶାଘାଇ ଥାନା ଅନ୍ତର୍ଗତ କୁସୁନପୁର ଗାଁର ଲୁଲୁ ଓରଫ ବିଶ୍ୱଜିତ ସାହୁ ଗୁଳି କାଣ୍ଡ ଘଟଣାରେ ଏହି ରିମାଣ୍ଡ କରାଯାଇଥିବା ମାର୍ଶାଘାଇ ପୋଲିସ ସୁତ୍ରରୁ ଜଣାପଡ଼ିଛି।

ଗତ ୨୦୧୩ ମସିହା ସେପ୍ଟେମ୍ବର ୨୨ ତାରିଖରେ ବିଶ୍ୱଜିତକୁ ତାଙ୍କ ଗାଁ କୁସୁନପୁର ନିକଟ ୫ ନମ୍ବର କ ଜାତୀୟ ରାଜପଥର ବିଚିଆ ଢାବା ନିକଟରେ ଗୋଡେଇ ଗୋଡେଇ ଗୁଳି କରି ହତ୍ୟା କରିଥିଲେ ଦୁର୍ବୃତ୍ତ।

ଗୁଳିକରି ଦୁର୍ବୃତ୍ତମାନେ ପଳାଇ ଯିବା ସମୟରେ ସ୍ଥାନୀୟ ଲୋକେ ଗୋଡେଇ ଗୋଡେଇ ପିଣ୍ଟୁ ଓରଫ ରଶ୍ମିରଞ୍ଜନ ସେନାପତି ନାମକ ଜଣେ ଅପରାଧୀକୁ ଧରି ପକାଇଥିଲେ, ଅନ୍ୟ ଅପରାଧୀମାନେ ଘଟଣା ଘଟାଇ ଫେରାର ହୋଇଯାଇଥିଲେ।

ପୋଲିସ ପିଣ୍ଟୁକୁ ଗିରଫ କରିଥିଲା। ପିଣ୍ଟୁର ବୟାନ ଆଧାରରେ ପୋଲିସ ପରବର୍ତ୍ତୀ ଅବସ୍ଥାରେ ଆଉ ୭ ଜଣ ଅପରାଧୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଥିଲା।

ସେମାନେ ହେଲେ ମନୋରଞ୍ଜନ ସେନାପତି, ବୀରେନ୍ଦ୍ର ସେନାପତି, ଲକ୍ଷ୍ମୀକାନ୍ତ ବେହେରା, ସତ୍ୟବ୍ରତ ସାମନ୍ତରାୟ, ରାଜେସ ମୁଦୁଲି, ସୁନିଲ ପାଇକରାୟ, ମିହୀର ସ୍ୱାଇଁ ଏବଂ ଦେବୀ ପ୍ରସାଦ ଦାସ। ବିଶ୍ୱଜିତ ମଧ୍ୟ ଜଣେ ଅପରାଧୀ ଥିଲା।

ମଙ୍ଗଳା ଗଡ଼ା ନିକଟ ଲୁଣା ନଦୀର ତୁଳସୀପୁର ବାଲିଘାଟ ପାଇଁ ବିଶ୍ୱଜିତ ଗୁଳି କରି ପୁର୍ବରୁ ଦୁଇଜଣଙ୍କୁ ଆହତ କରିଥିବା ଅଭିଯୋଗ ତା’ନାଁରେ ରହିଥିଲା।

ଟିଟୋ ଏସଟିଏଫ୍ ନିକଟରେ ଏହି ଗୁଳିକାଣ୍ଡ ଘଟଣାରେ ନିଜେ ସମ୍ପୃକ୍ତ ଥିବା ସ୍ୱୀକାର କରିବା ପରେ ଏହି ମାମଲାର ବନ୍ଦ ହୋଇଥିବା ପୋଲିସ ଫାଇଲ ପୁଣି ଖୋଲାଯାଇଛି।

ଟିଟୋକୁ ମାର୍ଶାଘାଇ ପୋଲିସ ଜେରା କରିବା ପରେ ଆସନ୍ତାକାଲି କେନ୍ଦ୍ରାପଡା କୋର୍ଟରେ ହାଜର କରିବ।

Comment