ଓଡ଼ିଶାଲାଇଭ୍‌ ବ୍ୟୁରୋ

ମହଙ୍ଗା ପଡ଼ିଲା କିକି ଷ୍ଟଣ୍ଟ୍‌, ତିନି ଦିନ ପାଇଁ ଷ୍ଟେସନ ସଫା କରିବାକୁ ତିନି ଯୁବକଙ୍କୁ ନିର୍ଦ୍ଦେଶ ଦେଲେ ରେଳବାଇ କୋର୍ଟ।

ମହଙ୍ଗା ପଡ଼ିଲା କିକି ଚ୍ୟାଲେଞ୍ଜ। ମୁମ୍ବାଇର ଲୋକାଲ ଟ୍ରେନ୍‌ ଆଗରେ କିକି ଷ୍ଟଣ୍ଟ୍‌ ପ୍ରଦର୍ଶନ କରିଥିବା ତିନି ଜଣ ଯୁବକଙ୍କୁ ତିନି ଦିନ ପାଇଁ ରେଳ ପ୍ଲାଟ୍‌ଫର୍ମ ସଫା କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ରେଳବାଇ ଅଦାଲତ। ବିପଜ୍ଜନକ କିକି ଚ୍ୟାଲେଞ୍ଜ ଡ୍ୟାନ୍‌ସ ପ୍ରଦର୍ଶନରୁ ନିବୃତ୍ତ ରହିବା ଦିଗରେ ଲୋକଙ୍କୁ ସଚେତନ କରାଇବାକୁ ମଧ୍ୟ ଅଦାଲତଙ୍କ ନିର୍ଦ୍ଦେଶରେ କୁହାଯାଇଛି।

ମୁମ୍ବାଇର ବାସାଇ ଷ୍ଟେସନ୍‌ରେ ଲୋକାଲ ଟ୍ରେନ୍‌ ଆଗରେ ଏବଂ ପ୍ଲାଟ୍‌ଫର୍ମରେ କିକି ଷ୍ଟଣ୍ଟ ପ୍ରଦର୍ଶନ କରି ସୋସିଆଲ ମିଡିଆରେ ଭିଡିଓ ଅପ୍‌ଲୋଡ୍‌ କରିଥିଲେ ମୁମ୍ବାଇ ବିରାର ଅଞ୍ଚଳର ତିନି ଯୁବକ ନିଶାନ୍ତ ଶାହ, ଧ୍ରୁବ ଶାହ ଏବଂ ଶ୍ୟାମ ଶର୍ମା।

ଶ୍ୟାମ ଟେଲିଭିଜନ ଧାରାବାହିକୀରେ ଅଭିନୟ କରନ୍ତି। ୟୁଟୁବ୍‌ରେ ଏହି ଭିଡିଓ ପ୍ରସାରିତ ହୋଇଥିଲା ଏବଂ ପ୍ରାୟ ଲକ୍ଷ ଦର୍ଶକ ଏହା ଦେଖିଥିଲେ। ବାସାଇ ଷ୍ଟେସନ୍‌ର ପ୍ଲାଟ୍‌ଫର୍ମରେ ଏବଂ ଲୋକାଲ ଟ୍ରେନ୍‌ ଆଗରେ ବିପଜ୍ଜନକ ନୃତ୍ୟ ପ୍ରଦର୍ଶନକରାଯାଇଥିବା ଜଣାପଡ଼ିବା ପରେ ତିନି ଯୁବକଙ୍କୁ ଖୋଜିଥିଲା ରେଳବାଇ ସୁରକ୍ଷା ବାହିନୀ।ପରେ ପରେ ଆଉ ଏକ ଭିଡିଓରେ ଆମ୍ବୁଲାନ୍‌ସ ଆଗରେ ଏହି ଯୁବକମାନେ କିକି ଷ୍ଟଣ୍ଟ୍‌ ପ୍ରଦର୍ଶନ କରୁଥିବା ଦେଖାଯାଇଥିଲା।

ଆମ୍ବୁଲାନ୍‌ସ ମାଲିକଙ୍କୁ ଠାବ କରିବା ପରେ ଗୋଟିଏ ମଲ୍‌ରୁ ଶ୍ୟାମ ଶର୍ମାଙ୍କୁ ଗିରଫ କରାଯାଇଥିଲା। ଶ୍ୟାମଙ୍କଠାରୁ ଖବର ନେଇ ଅନ୍ୟ ଦୁଇ ଜଣଙ୍କୁ ମଧ୍ୟ ଗିରଫ କରାଯାଇଥିଲା। ତିନି ଅଭିଯୁକ୍ତଙ୍କ ବିରୋଧରେ ଭାରତୀୟ ରେଳବାଇ ଆଇନର ବିଭିନ୍ନ ଦଫାରେ ମାମଲା ରୁଜୁ କରାଯାଇ ସେମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା। ବାସାଇ ରେଳବାଇ ଅଦାଲତ ଏହି ମାମଲାର ବିଚାର କରି ଗତ ଗୁରୁବାର ଦିନ ଏହି ଅଭିନବ ଦଣ୍ଡ ଶୁଣାଇଥିଲେ।

ତିନି ଯୁବକ ପ୍ରତି ଦିନ ୧୧ଟାରୁ ୨ଟା ଏବଂ ୩ଟାରୁ ୫ଟା ଭିତରେ ବାସାଇ ରେଳ ଷ୍ଟେସନର ପ୍ଲାଟ୍‌ଫର୍ମ ସଫା କରିବା ସହ ବିପଜ୍ଜନକ କିକି ଡ୍ୟାନ୍‌ସରୁ ନିବୃତ୍ତ ରହିବା ଦିଗରେ ଲୋକଙ୍କୁ ସଚେତନ କରାଇବାକୁ  ଅଦାଲତଙ୍କ ନିର୍ଦ୍ଦେଶରେ କୁହାଯାଇଛି। ରେଳ ପ୍ଲାଟ୍‌ଫର୍ମ ସଫା କରିବା ଦୃଶ୍ୟ ରେକର୍ଡିଂ କରି ଅଦାଲତରେ ଦାଖଲ କରିବା ପରେ ଅଦାଲତ ପରବର୍ତ୍ତୀ ନିର୍ଦ୍ଦେଶ ଦେବେ ବୋଲି କହିଛନ୍ତି।

କାନାଡାର ରାପ୍‌ ଗାୟକ ଡ୍ରେକ୍‌ଙ୍କ ଗୀତ ‘ଇନ୍‌ ମାଇଁ ଫିଲିଙ୍ଗ୍ସ’ରୁ ପ୍ରଚଳିତ କିକି ଚ୍ୟାଲେଞ୍ଜ ଡ୍ୟାନ୍‌ସ ସାରା ବିଶ୍ଵର ଯୁବ ପିଢ଼ିକୁ ଆକୃଷ୍ଟ କରିଛି। ଚଳନ୍ତା ଗାଡ଼ି ଆଗରେ ପ୍ରଦର୍ଶିତ ଏହି ବିପଦପୂର୍ଣ୍ଣ କିକି ଚ୍ୟାଲେଞ୍ଜ ଡ୍ୟାନ୍‌ସରୁ ନିବୃତ୍ତ ରହିବାକୁ ମୁମ୍ବାଇ ସମେତ ଦେଶର ବିଭିନ୍ନ ସହରରେ ପୋଲିସ ପକ୍ଷରୁ ସଚେତନତା ବାର୍ତ୍ତା ଦିଆଯାଇଛି। ତଥାପି ଅନେକ ଯୁବକଯୁବତୀ ଏହି ଦୁଃସାହସିକ ନୃତ୍ୟକୁ ଚ୍ୟାଲେଞ୍ଜ ଭାବେ ଗ୍ରହଣ କରି ନେଉଛନ୍ତି।

Comment