ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ଲଗାଣ ବର୍ଷାରେ ମାଲକାନଗିରି ଜିଲ୍ଲାରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଜିଲ୍ଲାରେ ମୋଟ ୧୮୮.୬ ମିଲିମିଟର ବର୍ଷା ହୋଇଥିବା ବେଳେ  ମାଥିଲି ବ୍ଲକରେ ୪୩ ମିଲିମିଟର ବର୍ଷା ହୋଇଛି।

ଜିଲ୍ଲାରେ ଥିବା ୭ଟି ବ୍ଲକ ମଧ୍ୟରୁ କୋରୁକୋଣ୍ଡାରେ ୩୮ ମିଲିମିଟର, କୁଡୁମୁଲୁଗୁମ୍ମାରେ ୩୫, ଖଇରପୁଟରେ ୩୧, କାଲିମେଳାରେ ୧୮, ମାଲକାନଗିରିରେ ୧୬ ଏବଂ ସର୍ବନିମ୍ନ ବୃଷ୍ଟିପାତ ପଡିଆ ବ୍ଲକରେ ୭.୬ ମିଲିମିଟର ବର୍ଷା ହୋଇଛି।

ଗୋବିନ୍ଦପାଲ୍ଲି ଘାଟିରେ ରହିଥିବା ସପ୍ତଧାରା ପୋଲ ଓ କୋସିଘାଟ ପୋଲ ଉପରେ ୪ରୁ ୫ଫୁଟ ବନ୍ୟାଜଳ ପ୍ରବାହିତ ହେଉଛି। ଫଳରେ ଜୟପୁର-ମାଲକାନଗିରି ମୁଖ୍ୟ ସଡ଼କପଥ ବିଛିନ୍ନ ହୋଇଛି। ସେହିପରି ମାଲକାନଗିରି-ବାଲିମେଳା ରାସ୍ତାରେ ପଡୁଥିବା ଏମ.ଭି-୧୧, କୋରୁକୋଣ୍ଡା ଏବଂ ତାରଲାକୋଟା ପୋଲ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି।

ସେହିପରି ପୋଟେରୁ ନଦୀରେ ଜଳସ୍ତର ବଢ଼ିବାରେ ଲାଗିଛି। କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ପୁରୁଣା ଚିମୁଟାପାଲି ପଞ୍ଚାୟତ ଅଫିସ ନିକଟରେ ଏକ ବଡ଼ ଗଛ ପଡ଼ିଯାଇଛି। ସେହିପରି ବଣ୍ଡାଘାଟିରେ ମଧ୍ୟ ଅନେକ ସ୍ଥାନରେ ଗଛ ଓପାଡ଼ିବା ସହ ମାଟି ଧସିଛି। ଅଗ୍ନିଶମ ବିଭାଗ କର୍ମଚାରୀମାନେ ଏହିସବୁ ସ୍ଥାନରେ ପହଞ୍ଚି ଗଛ କାଟି ରାସ୍ତା କରିଛନ୍ତି।

ସ୍ୱାଧୀନତୀ ଦିବସ ପାଇଁ ଆସିଥିବା କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା ଜୟପୁର ପହଞ୍ଚିବା ଲାଗି ସୁକୁମା ଦେଇ ଫେରିବାକୁ ପଡ଼ିଥିଲା। ଏବେ ବନ୍ୟାଜଳ ମାଲକାନଗିରି ସହରରେ ମଧ୍ୟ ପଶିବାରେ ଲାଗିଛି। ସହରର ସାମ୍ବୟାଗୁଡ଼ାରେ ବନ୍ୟାଜଳ ପଶିବାରୁ ୧୬ଟି ଘର ଜଳବନ୍ଦୀ।

ଘର ଭିତରେ ପାଣି ପସିଥିବା ଯୋଗୁଁ ଆତଙ୍କିତ ହୋଇ ରହିଛନ୍ତି ଲୋକେ। ତେବେ ସମସ୍ତ ବିଡ଼ିଓ ଓ ତହସିଲଦାରମାନଙ୍କୁ ସତର୍କରହିବାକୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି।

Comment