ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାରେ ଏକ ୱାଟର ଏରୋଡ୍ରୋମ ନିର୍ମାଣକୁ ନେଇ ଉଠିଛି ବିବାଦ। ୱାଟର ଏରୋଡ୍ରୋମ କ’ଣ ଏବଂ କାହିଁକି ଏହାକୁ ନେଇ ଉଠିଛି ବିବାଦ ଆସନ୍ତୁ ଜାଣିବା।

ଚିଲିକାରେ ଏକ ୱାଟର ଏରୋଡ୍ରୋମ ନିର୍ମାଣ ପାଇଁ ନିଆଯାଇଥିବା ନିଷ୍ପତ୍ତିକୁ ନେଇ ଏକ ବଡ଼ ବିବାଦ ସୃଷ୍ଟି ହୋଇଛି। ଏହା ଏକ ନୂଆ ଚିନ୍ତାଧାରା ହୋଇଥିବାରୁ ଏହାକୁ ନେଇ ଅନେକ ଭ୍ରାନ୍ତ ଧାରଣା ସୃଷ୍ଟି ହେବା ସହିତ ଅଯଥା ରାଜନୈତିକ ବୟାନବାଜି ମଧ୍ୟ ଚାଲିଛି।

ପ୍ରକୃତରେ ୱାଟର ଏରୋଡ୍ରୋମ ବା ପାଣି ଉପରେ ବିମାନ ଆଡ୍ଡା ହେଉଛି ଏଭଳି ଏକ ସ୍ଥାନ ଯେଉଁଠି ପାଣି ଉଡାଜାହାଜ ଓ ଜଳପ୍ରାଣୀଙ୍କ ପାଇଁ ଉଦିଷ୍ଟ ଜାହାଜ ଓହ୍ଲାଇପାରିବ ତଥା ଉପରକୁ ଉଠିପାରିବ।

ଅଗଷ୍ଟ ୧୧ ତାରିଖରେ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ଚିଲିକାରେ ଏହି ଏରୋଡ୍ରୋମ ତିଆରି ହେବ ବୋଲି ଘୋଷଣା କରିଥିଲେ। ଏହି ପ୍ରକଳ୍ପକୁ ଶାସକ ବିଜେଡ଼ି ସିଧାସଳଖ ପ୍ରତ୍ୟାଖ୍ୟାନ କରି ଦେଇଛି। ପ୍ରକଳ୍ପ ବିରୁଦ୍ଧରେ ଲଢେଇ ଜୋରଦାର ହେବ ବୋଲି ସ୍ଥାନୀୟ ଜନସାଧାରଣ ଓ ସ୍ଥାନୀୟ ବିଧାୟକ ସଞ୍ଜୟ ଦାସବର୍ମା ସ୍ପଷ୍ଟ କରିଛନ୍ତି।

ବିଜେଡ଼ି ସରକାରଙ୍କ ଯୁକ୍ତି ହେଉଛି ଯେ ଏଭଳି ବିମାନ ବନ୍ଦର ହେଲେ ଚିଲିକାର ମାଛ ଉପରେ ନିର୍ଭର କରି ରହୁଥିବା ଦୁଇ ଲକ୍ଷ ମତ୍ସ୍ୟଜୀବୀଙ୍କ ଜୀବିକା ଧୂଳିସାତ ହୋଇଯିବ। ତା’ଛଡ଼ା ଏସିଆ ମହାଦେଶର ସବୁଠୁ ବଡ଼ କୁହାଯାଉଥିବା ଜୈବ ବିବିଧତାରେ ପୂର୍ଣ୍ଣ ଚିଲିକା ହ୍ରଦ ଓ ନଳବଣ ବ୍ୟାପକ କ୍ଷୟକ୍ଷତି ସହିବ।

କେବଳ ବିଜେଡ଼ି ନୁହେଁ ଅନ୍ୟ ବହୁ ରାଜନୈତିକ ଦଳ ଓ ପରିବେଶବିତ ମଧ୍ୟ ଏହାକୁ ବିରୋଧ କରିଛନ୍ତି। ବିଜେପିରେ ବି ଏହି ପ୍ରକଳ୍ପକୁ ନେଇ ଏକମତର ଅଭାବ ରହିଛି।କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କହିବା ଅନୁଯାୟୀ ଚିଲିକା ୱାଟର ଏରୋଡ୍ରୋମ ପ୍ରକଳ୍ପ ହେଲେ ବ୍ୟାପକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ।

କିନ୍ତୁ ତାଙ୍କରି ଦଳର ରାଉରକେଲା ବିଧାୟକ ଦିଲୀପ ରାୟ ଏହାକୁ ବିରୋଧ କରିଛନ୍ତି ଓ କହିଛନ୍ତି ଯେ ପ୍ରକଳ୍ପଟି ହେଲେ ଶବ୍ଦ ପ୍ରଦୂଷଣ ରୋକିବା କଷ୍ଟକର ବ୍ୟାପାର ହେବ ଏବଂ ଚିଲିକାର ପରିବେଶ ନଷ୍ଟ ହେବ।

ୱାଟର ଏରୋଡ୍ରୋମ କଣ?

ଏହା ହେଉଛି ଏଭଳି ଏକ ଖୋଲା ଜଳ ସ୍ଥାନ ଯେଉଁଠି ସମୁଦ୍ର ଉଡ଼ାଜାହାଜ ଓ ଜଳପ୍ରାଣୀଙ୍କ ପାଇଁ ଉଦ୍ଦିଷ୍ଟ ବିମାନ ଅବତରଣ କରିପାରିବେ। କେତେ ଯାତ୍ରୀ ଆସୁଛନ୍ତି ତାକୁ ନେଇ ଭବିଷ୍ୟତରେ ଏକ ଟର୍ମିନାଲ ବିଲ୍ଡିଂ କିମ୍ବା ଜେଟି ବା ପୋତାଶ୍ରୟ ନିର୍ମାଣ କରାଯିବ। ଏଠି ଜାହାଜ ଗୁଡ଼ିକ ବିଶ୍ରାମ ନେବେ।

ବ୍ରିଟିଶ ଭର୍ଜିନ୍ ଆଇଲାଣ୍ଡ ଭଳି କେତେକ ଧନୀ ଦେଶର ଦ୍ଵୀପରେ ଏହିଭଳି ଏରୋଡ୍ରୋମ ରହିଛି। କାନାଡ଼ାର ଭାଙ୍କୁଭର ଓ ଅନ୍ୟ କେତୋଟି ଦ୍ଵୀପ ଓ ହ୍ରଦରେ ମଧ୍ୟ ଏରୋଡ୍ରୋମ ପ୍ରତିଷ୍ଠା କରାଯାଇଛି। ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ ସପ୍ତାହକ ତଳେ ଟୁଇଟ କରି ଏହି ଘୋଷଣା କରିଥିଲେ।

କେଉଁଠି ହେବ?

ଦେଶର ବିଭିନ୍ନ ରାଜ୍ୟରେ ଏହି ଏରୋଡ୍ରୋମ ପ୍ରତିଷ୍ଠା ପାଇଁ ନୀତିଗତ ନିଷ୍ପତ୍ତି ନିଆଯାଇଛି ଓ ପରୀକ୍ଷାମୂଳକ ଭାବେ ଓଡ଼ିଶା, ଆନ୍ଧ୍ରପ୍ରଦେଶ, ଗୁଜରାଟ, ମହାରାଷ୍ଟ୍ର ଓ ଆସାମରେ ଏହା ହେବ ବୋଲି ଟୁଇଟରେ ଉଲ୍ଲେଖ କରିଛନ୍ତି।

ଏହି ଏରୋଡ୍ରୋମ ହେଲେ ପର୍ଯ୍ୟଟନର ବିକାଶ ହେବ ଓ ଧର୍ମକ୍ଷେତ୍ର ଗୁଡ଼ିକ ସହ ସଂଯୋଗ କରିବା ସମ୍ଭବ ହେବ ବୋଲି ସେ ତାଙ୍କ ଟୁଇଟର ହାଣ୍ଡେଲରେ କହିଥିଲେ। ପ୍ରଥମ ପର୍ଯ୍ୟାୟରେ ସାବରମତୀ ନଦୀ ସାମ୍ନା ଓ ସର୍ଦାର ସରୋବର ତଥା ଚିଲିକାରେ ୱାଟର ଏରୋଡ୍ରୋମ ପାଇଁ ସ୍ଥିର କରିଛନ୍ତି କେନ୍ଦ୍ର ସରକାର।

ପ୍ରଭୁ ଏ କଥା ମଧ୍ୟ କହିଛନ୍ତି ଯେ ଏହି ବିମାନ ଆଡ୍ଡା ପାଇଁ ଡିଜିସିଏ ପକ୍ଷରୁ ନିୟମାବଳୀ ପ୍ରସ୍ତୁତ ହୋଇସାରିଛି ଓ କାହାକୁ କେଉଁ ଭିତ୍ତିରେ ଲାଇସେନ୍ସ ମିଳିବ ତାହା ବି ନ ନିଷ୍ପତ୍ତି ହୋଇଛି। ସେ କହିଛନ୍ତି, “ଏ ଧରଣର ପ୍ରକଳ୍ପ କ୍ଷେତ୍ରରେ ଯେହେତୁ ଆଗରୁ କୌଣସି ଉଦାହରଣ ନାହିଁ ଓ ଏ ସମ୍ପର୍କରେ ବିଶେଷ ତଥ୍ୟ ବି ନାହିଁ ଏଣୁ ପରୀକ୍ଷା ମୂଳକ ଭାବେ ଏହା ପ୍ରତିଷ୍ଠା କରାଯିବ”।

ପ୍ରଭୁଙ୍କୁ ସମର୍ଥନ କରି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି, “ଚିଲିକାରେ ୱାଟର ଏରୋଡ୍ରୋମ କାମ ଶୀଘ୍ର ଖୁବ୍ ଆରମ୍ଭ ହେବ ଓ ଏହା ପୁରୀ-କୋଣାର୍କ-ଲିଙ୍ଗରାଜ ତ୍ରିଭୁଜର ପର୍ଯ୍ୟଟନ କ୍ଷେତ୍ର ପାଇଁ ବିପୁଳ ସମ୍ଭାବନା ସୃଷ୍ଟି କରିବ”।

କେନ୍ଦ୍ର ସରକାର ଚିଲିକାରେ ୱାଟର ଏରୋଡ୍ରୋମ ପ୍ରତିଷ୍ଠା ପାଇଁ ଏକତରଫା ନିଷ୍ପତ୍ତି ନେଇଥିବା ବେଳେ ଓ ରାଜ୍ୟ ସରକାର ଏହାକୁ ବିରୋଧ କରୁଥିବା ବେଳେ ପ୍ରକଳ୍ପର ଭବିଷ୍ୟତ କଣ ହେବ ତାହା ଅପେକ୍ଷା କରି ଦେଖିବାକୁ ହେବ।

Comment