ଓଡ଼ିଶାଲାଇଭ୍‌ ବ୍ୟୁରୋ

କେରଳରେ ବନ୍ୟା ପରେ ଏବେ ମହାମାରୀ ରୋଗ ବ୍ୟାପିବାର ଚିନ୍ତା। ଏଥିପ୍ରତି ସତର୍କ ହୋଇପଡ଼ିଛନ୍ତି ରାଜ୍ୟ ସରକାର।

କେରଳ ବନ୍ୟାରେ ଯାଇଛି ଶହ ଶହ ଲୋକଙ୍କ ଜୀବନ। ରବିବାର ଦିନ ରାଜ୍ୟରେ ବର୍ଷା ଟିକେ କମିବା ପରେ ଲୋକମାନଙ୍କୁ କିଛିଟା ଆଶ୍ଵସ୍ତି ମିଳିଥିଲେ ହେଁ ବନ୍ୟା କାରଣରୁ ଏବେ ବି ଲକ୍ଷ ଲକ୍ଷ ଲୋକ ବାସହୀନ ହୋଇପଡ଼ିଛନ୍ତି। ବିଭିନ୍ନ ଯାଗାରେ ବନ୍ୟା ପାଣି ଛାଡ଼ିନାହିଁ। ଅନେକ ଲୋକ ଏବେ ବି ପାଣି ଘେରରେ ଅଛନ୍ତି।

ବନ୍ୟା ପରେ ଏବେ ମହାମାରୀ ରୋଗ ବ୍ୟାପିବାର ଚିନ୍ତା। ଏଥିପ୍ରତି ସତର୍କ ହୋଇପଡ଼ିଛନ୍ତି ରାଜ୍ୟ ସରକାର। କେରଳରେ ପାଖାପାଖି ୩୭୫୭ଟି ମେଡିକାଲ କ୍ୟାମ୍ପ୍ ଲଗାଯାଇଛି। ୯୦ ପ୍ରକାରର ଔଷଧ ପଠାଯାଇଛି।

ସୋମବାରଦିନ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ଜେ ପି ନଡ୍ଡା କହିଛନ୍ତି, “କେରଳରେ ବନ୍ୟା ପରେ ମହାମାରୀ ରୋଗ ଯେପରି ନ ବ୍ୟାପେ ସେଥିପ୍ରତି ସଜାଗ ରହିଛି ସ୍ଵାସ୍ଥ୍ୟ ବିଭାଗ। କେନ୍ଦ୍ର ସରକାର ପୂର୍ଣ୍ଣ ଭାବରେ କେରଳ ରାଜ୍ୟକୁ ସହଯୋଗ କରୁଛି।”

ବନ୍ୟା ପୀଡ଼ିତଙ୍କ ପାଇଁ ୫,୬୪୫ ଜଣ ଆଶ୍ରୟ ଶିବିର ଖୋଲାଯାଇଛି। ବନ୍ୟାରେ ଏଯାବତ୍‌ ୩୭୦ ଜଣଙ୍କ ପ୍ରାଣ ଗଲାଣି। ଏବେ ପାଖାପାଖି ୧୦ ଲକ୍ଷ ଲୋକ ଆଶ୍ରୟ ଶିବିରରେ ରହୁଛନ୍ତି।

କେରଳ ବନ୍ୟାରେ ଫସିଥିବା ଲୋକଙ୍କୁ ଉଦ୍ଧାର ପାଇଁ ଆଗେଇ ଆସିଛନ୍ତି ମତ୍ସ୍ୟଜୀବି। ପାଣି ଘେରରେ ଥିବା ଲୋକମାନଙ୍କୁ ଉଦ୍ଧାର କରିବା ପାଇଁ ମତ୍ସ୍ୟଜୀବିମାନେ ୬୦୦ ବୋଟ ଯୋଗାଇ ଦେଇଛନ୍ତି।

ଅନେକ ଦିନ ପରେ କେରଳରେ ବିମାନ ସେବା ଆରମ୍ଭ ହୋଇଛି। କୋଚି ଏୟାରପୋର୍ଟରେ ପାଣି ପସିଯାଇଥିବାରୁ କିଛିଦିନ ହେବ ବିମାନ ସେବା ଠପ୍‌ ହୋଇଯାଇଥିଲା। ବର୍ଷା କମିଯିବା ଯୋଗୁଁ ଏୟାରପୋର୍ଟ କିଛିଟା ପାଣି କମିଛି। ଫଳରେ ସୋମବାରଠାରୁ ବିମାନସେବା ଆରମ୍ଭ ହୋଇଛି।

Comment