ଓଡ଼ିଶାଲାଇଭ୍‌ ବ୍ୟୁରୋ

ମାଲକାନଗିରି: ମାଲକାନଗିରି ଜିଲ୍ଲାର ମୋଟୁ ଗ୍ରାମ ସୀମାରେ ଏବେ ସୃଷ୍ଟି ହୋଇଛି ବନ୍ୟାର ଆଶଙ୍କା। ମାଲକାନଗିରି ଜିଲ୍ଲା ସୀମାରେ ବୋହିଯାଇଥିବା ସିଲେରୁ ଓ ସାବେରୀ ନଦୀରେ ଜଳସ୍ତର ବୃଦ୍ଧି ପାଇବା ଯୋଗୁଁ ଆନ୍ଧ୍ରରେ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି।

ଭଦ୍ରାଚଲମସ୍ଥିତ ଗୋଦାବରୀ ନଦୀରେ ପଶୁଛି ବନ୍ୟାଜଳ। ଗୋଦାବରୀରେ ଏବେ ପ୍ରବାହିତ ହେଉଛି ୪୮ ଫୁଟ ଉଚ୍ଚରେ ପାଣି। ବିପଦ ସଂକେତ (୫୩ ଫୁଟ) ଉଚ୍ଚକୁ ଛୁଇଁବାର ସମ୍ଭାବନା ଦେଖାଯାଇଛି। ସେହି ସବୁ ଅଞ୍ଚଳରେ ସତର୍କ ରହିବା ଲାଗି ନିର୍ଦ୍ଦେଶ ଦେଲେ କୋତାଗୁଡମ ଜିଲ୍ଲାପାଳ। ରାସ୍ତାରେ ବନ୍ୟା ଜଳ ପ୍ରବାହିତ ହେଉଥିବାରୁ ଯୋଗାଯୋଗ ବିଚ୍ଛିନ୍ନ ହୋଇଛି।

ଆନ୍ଧ୍ରର ଚିନ୍ତୁର ସହ ଭଦ୍ରାଚଳମକୁ ଯାନବାହନ ଚଳାଚଳ ଠପ୍ ହୋଇଯାଇଛି। ଏପରିକି ଆନ୍ଧ୍ରରୁ ଓଡ଼ିଶା, ଛତିଶଗଡ଼ ଓ ତେଲେଙ୍ଗାନାକୁ ଯୋଗାଯୋଗ ବିଛିନ୍ନ ହୋଇଛି। ଜାତୀୟ ରାଜପଥ ଉପରେ ପ୍ରବାହିତ ହେଉଛି  ୫ ଫୁଟ ବନ୍ୟାଜଳ। ଶହ ଶହ ଯାନବାହନ ଅଟକି ରହିଛି ଉଭୟ ପାର୍ଶ୍ୱରେ।

ଲୋକଙ୍କୁ ସୁରକ୍ଷା ଯୋଗାଇବା ଉଦ୍ଦେଶ୍ୟରେ ପ୍ରଶାସନ ପକ୍ଷରୁ ଆଖପାଖ ଗ୍ରାମ ଖାଲି କରାଯାଉଛି। ଏଥିପାଇଁ ଆନ୍ଧ୍ରର ସମସ୍ତ ସରକାରୀ କଳ, ପୋଲିସ, ଅଗ୍ନିଶମ ବିଭାଗ ସମ୍ପୂର୍ଣ୍ଣ ଭାବେ ପ୍ରସ୍ତୁତ ହୋଇରହିଛି।  ଗୋଦାବରୀ ନଦୀରେ ଜଳସ୍ତର କ୍ରମଶଃ ବୃଦ୍ଧି ପାଉଛି ବୋଲି ସୂଚନା ମିଳୁଛି।ସୀମାରେ ଜଳସ୍ତର ବଢ଼ିଲେ ମୋଟୁରେ ବି ପାଣି ପସିବାର ସମ୍ଭାବନା ରହିଛି।

ଗୋଦାବରୀ ନଦୀରେ ଯଦି ବନ୍ୟା ଜଳ ବିପଦ ସଂକେତ ଟପିବ ତାହାଲେ ଭଦ୍ରାଚଲମ୍ ସହର ସମେତ ମାଲକାନଗିରିର ମୋଟୁ, ପେଟା ତଥା ସୀମାନ୍ତବର୍ତ୍ତୀ ଛତିଶଗଡ଼ର କୋଣ୍ଟା ଏବଂ ଆନ୍ଧ୍ରର ଚାଟି ଓ ଚିନ୍ତୁର ସମ୍ପୂର୍ଣ୍ଣ ଭାବେ ଜଳମଗ୍ନ ହେବାର ସମ୍ଭାବନା ରହିଛି।

Comment