ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବେଶ୍କିଛିଦିନ ବ୍ୟବଧାନରେ ଓଲିଉଡର ଟପ୍କମେଡିଆନ୍ହରିହର ମହାପାତ୍ର ଓରଫ ହରି ପୁଣି ଏକ ନୂଆ ସିନେମାରେ ନଜର ଆସୁଛନ୍ତି ଆସନ୍ତୁ ଜାଣିବା ହରିଙ୍କ ସମ୍ପର୍କରେ କିଛି ଜଣାଅଜଣା କଥା

କମେଡିଆନ୍‌ ହରିହର ମହାପାତ୍ର ଓରଫ ହରି ଏବେ ଏକ ନୂଆ ଓଡ଼ିଆ ସିନେମାରେ ଅଭିନୟ କରୁଛନ୍ତି। ଏହି ସିନେମାର ଶୀର୍ଷକ ହେଲା ‘ତୁ ମୋ’ ନୀଳନୟନା’। ଏହି ସିନେମାରେ ହରିଙ୍କୁ ପୁଣି ଏକ ମଜାଦାର୍‌ ଭୂମିକାରେ ଦେଖିବାକୁ ପାଇବେ ଦର୍ଶକ। ଏଥିରେ ତାଙ୍କୁ ଘରର ମୁଖିଆଙ୍କ ଶାଳକ ଚରିତ୍ରଟି ମିଳିଛି, ଯାହାକୁ ନେଇ ବେଶ୍‌ ଉତ୍ସାହିତ ଅଛନ୍ତି ହରି।

‘ତୁ ମୋ’ ନୀଳନୟନା’ ସମ୍ପର୍କରେ ହରିହର ମହାପାତ୍ର କହିଛନ୍ତି ଯେ ଏଥିରେ ତାଙ୍କୁ ଅଭିନୟ କରିବାର ଯଥେଷ୍ଟ ସୁଯୋଗ ରହିଛି। ଆଉ ଏହି ଫିଲ୍ମରେ ତାଙ୍କ ଚରିତ୍ରରେ ଭିନ୍ନତା ରହିଛି। ଏଥିପାଇଁ ସେ ବେଶ୍‍ ଆନନ୍ଦିତ। ଭଲ ଭୂମିକା ନ ମିଳିଲେ ସହଜରେ ଅଭିନୟ କରିବାକୁ ରାଜି ହୁଅନ୍ତି ନାହିଁ ହାସ୍ୟାଭିନେତା ହରି।

ଦୀର୍ଘଦିନ ହେବ ତାଙ୍କ ପାଖକୁ କେତୋଟି ସିନେମାର ଅଫର୍‌ ଆସିଥିଲେ ହେଁ କେବଳ ଭଲ ଭୂମିକା ବାଛି ସେ କାମ କରୁଛନ୍ତି।

‘ତୁ ମୋ’ ନୀଳନୟନା’ରେ ଦୀପକ, ପିଙ୍କି ପ୍ରିୟଦର୍ଶିନୀ, ମଣ୍ଟୁ, ନବାଗତା ନାୟିକା ଦୀପା, ବନି ମିଶ୍ର ଓ ପ୍ରତିଭା ପଣ୍ଡା ଆଦି ଅଭିନତା ମାନେ ପରଦାରେ ନଜର ଆସିବେ। ତାଙ୍କ ଅଭିନୀତ ଚରିତ୍ରଟି ଖୁବ୍‌ ମଜାଦାର ଓ ଏହି ସିନେମାଟି ଦର୍ଶକଙ୍କ ମନକୁ ଛୁଇଁ ପାରିବ ବୋଲି ଆଶାବାଦୀ ଅଛନ୍ତି ହରି।

ହରିହର ମହାପାତ୍ର ଓରଫ ହରି ଉତ୍କଳ ସଙ୍ଗୀତ ମହାବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହେବା ପରେ ସ୍ୱାଭାବିକ ଢଙ୍ଗରେ ଓଡ଼ିଆ ସିନେମାରେ ପାଦ ଦେଇଥିଲେ। ତାଙ୍କୁ ଓଲିଉଡରେ ବିଗ୍‌ ବ୍ରେକ୍‌ ଦେଇଥିଲେ ପ୍ରଖ୍ୟାତ ନିର୍ଦ୍ଦେଶକ ରାଜୁ ମିଶ୍ର।

ରାଜୁ ମିଶ୍ରଙ୍କ ନିର୍ଦ୍ଦେଶିତ ‘ସତ ମିଛ’ ସିନେମାରୁ ହିଁ ହାସ୍ୟାଭିନେତା ଭାବେ କ୍ୟାରିଅର୍ ଆରମ୍ଭ କରିଥିଲେ ହରି। ଏହା ରିଲିଜ୍‌ ହେବା ପରେ ଆଉ ପଛକୁ ଫେରି ଚାହିଁ ନାହାନ୍ତି ହରି। ସେ ଇତିମଧ୍ୟରେ ୭୦ରୁ ଅଧିକ ଓଡ଼ିଆ ଚଳଚ୍ଚିତ୍ରରେ ଅଭିନୟ କରିସାରିଲେଣି।

କମେଡିଆନ୍‌ ହରିଙ୍କର କୌଣସି ନିର୍ଦ୍ଦିଷ୍ଟ ଗୋଷ୍ଠୀ ନାହିଁ। ସେ ରାଜୁ ମିଶ୍ରଙ୍କଠାରୁ ଆରମ୍ଭ କରି ରମେଶ ରାଉତଙ୍କ ଯାଏଁ ସବୁ ନିର୍ଦ୍ଦେଶକଙ୍କ ସହ କାମ କରିଛନ୍ତି। ବ୍ରଜରାଜ ମୁଭିଜ୍‌, ସାର୍ଥକ, ତରଙ୍ଗ ସିନେ ପ୍ରଡକ୍ସନ୍ସ ଭଳି ଅଧିକାଂଶ ବିଗ୍‌ ବ୍ୟାନର ଫିଲ୍ମରେ ବି ନଜର ଆସିଛନ୍ତି।

ହରି ଏଯାଏଁ କେବଳ ଗୋଟିଏ ଓଡ଼ିଆ ସିନେମାରେ ‘ହିରୋ’ ଭୂମିକାରେ ଅଭିନୟ କରିଛନ୍ତି। ଏହି ଚଳଚ୍ଚିତ୍ର ହେଲା ‘ରୁମ୍‌କୁ ଝୁମାନା’। ଏଥିରେ ଦର୍ଶକଙ୍କୁ ହରି ହସାଇବା ବଦଳରେ ଅଧିକ କନ୍ଦାଇଥିଲେ। ତେବେ ଖୁବ୍‌ ଭଲ ଅଭିନୟ କରିଥିଲେ ଏହି ସିନେମାରେ। ଏହାର ନିର୍ଦ୍ଦେଶନା ଦେଇଥିଲେ ତାପସ ସରଘରିଆ।

ପପୁ ପମପମଙ୍କର ଏଣ୍ଟ୍ରି ହେବା ପରେ ଓଲିଉଡରେ ହରିଙ୍କ ଜଲୱା ଫିକା ପଡ଼ିଯାଇଥିଲା। ତେବେ ପ୍ରତିଦ୍ୱନ୍ଦ୍ୱୀ ପପୁଙ୍କ ସହିତ ହରି ଏଯାବତ୍‌ କେବଳ ଗୋଟିଏ ଓଡ଼ିଆ ଛବିରେ କାମ କରିଛନ୍ତି। ଏହି ସିନେମାର ଟାଇଟଲ୍‌ ହେଲା ‘କାବୁଲା ବାରବୁଲା’।

ହରିହର ମହାପାତ୍ର କେବଳ ଜଣେ ହାସ୍ୟାଭିନେତା ନୁହଁନ୍ତି, ବରଂ ସେ ଜଣେ କାହାଣୀକାର ଓ ସଂଳାପ ଲେଖକ ମଧ୍ୟ। ସେ ‘ରୁମ୍‌କୁ ଝୁମାନା’ର କାହାଣୀ ରଚନା କରିଥିଲେ। ଠିକ୍ ସେହିପରି ସେ ତରଙ୍ଗ ସିନେ ପ୍ରଡକ୍ସନ୍ସର ଫିଲ୍ମ ‘ତୁ କହିବୁ ନା ମୁଁ’ର ସଂଳାପ ମଧ୍ୟ ଲେଖିଥିଲେ। ସୁଶାନ୍ତ ମଣି ସେହି ସିନେମାର ନିର୍ଦ୍ଦେଶନା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here