ଓଡ଼ିଶାଲାଇଭ୍‌ ବ୍ୟୁରୋ     

ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଇଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ। କୃତିତ୍ୱର ସହ ଉତ୍ତୀର୍ଣ୍ଣ ହୋଇଥିବା ଛାତ୍ରଛାତ୍ରୀମାନଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରିଛନ୍ତି।

  • ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେଲେ ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ
  • ଓଡ଼ିଆରୁ ଅଭିଭାଷଣ ଆରମ୍ଭ କଲେ ଉପରାଷ୍ଟ୍ରପତି
  • ସମସ୍ତଙ୍କୁ ଶୁଭ ସକାଳ, ଓଡ଼ିଶା ମୋତେ ବହୁତ ଭଲ ଲାଗେ – ଭେଙ୍କେୟା ନାଇଡୁ
  • ଛାତ୍ରଛାତ୍ରୀମାନଙ୍କୁ ସ୍ଵଚ୍ଛତାର ପାଠ ପଠାଇଲେ ଉପରାଷ୍ଟ୍ରପତି
  • ଗ୍ରାମାଞ୍ଚଳରେ ଅଧିକରୁ ଅଧିକ ଡାକରଙ୍କ ଆବଶ୍ୟକତା ରହିଛି – ଉପରାଷ୍ଟ୍ରପତି
  • ଶରୀରର ଓ ମନରେ ସ୍ଵଚ୍ଛତାର ଆଶ୍ୟକତା ରହିଛି
  • ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବାକୁ ଗୁରୁଟ ଦେବା ଆବଶ୍ୟକ
  • ଜୀବନଶୈଳୀ ବଦଳାଅ, ଅନେକ ସୁଯୋଗ ରହିଛି
  • ଡାକ୍ତର ଦ୍ଵିତୀୟ ଭଗବାନ, ଡାକ୍ତରୀ ପେଶା ମହାନ ପେଶା
  • ଡାକ୍ତରୀ ପେଶା ମିଶନ ହେଉ, କମିଶନ ନୁହେଁ
  • ମା’, ମାଟି ଓ ମାତୃଭାଷାକୁ ଭଲ ପାଅ
  • ଆମ ଜୀବନରେ ଗୁରୁଙ୍କ ଅବଦାନ ଅତୁଳନୀୟ
  • ଗୁଗୁଲ ଗୁରୁଙ୍କ ସ୍ଥାନ ନେଇପାରିବନି – ଉପରାଷ୍ଟ୍ରପତି

“ଡାକ୍ତରମାନେ ହେଉଛନ୍ତି ଦ୍ଵିତୀୟ ଭଗବାନ। ଡାକ୍ତରୀ ପେଶା ଏକ ମହାନ ପେଶା। ଡାକ୍ତରୀ ପେଶା ମିଶନ ହେଉ, କମିଶନ ନୁହେଁ”, ଏମ୍ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ଯୋଗଦେଇ ଏହା କହିଛନ୍ତି ଉପରାଷ୍ଟ୍ରପତି ଭେଙ୍କେୟା ନାଇଡୁ।

ଭୁବନେଶ୍ୱର ଏମ୍‌ସର ପ୍ରଥମ ସମାବର୍ତ୍ତନ ଉତ୍ସବରେ ୫୦ ଜଣ ଏମ୍‌ବିବିଏସ୍‌ ଏବଂ ୫୬ ଜଣ ନର୍ସିଂ ଛାତ୍ରଛାତ୍ରୀଙ୍କୁ ଡିଗ୍ରୀ ପ୍ରଦାନ କରିଛନ୍ତି ଉପରାଷ୍ଟ୍ରପତି। ୨୪ ଜଣଙ୍କୁ ସ୍ୱର୍ଣ୍ଣ ପଦକ ପ୍ରଦାନ କରାଯାଇଛି। ଏହି ସମାବର୍ତ୍ତନ ଉତ୍ସବରେ ଉପରାଷ୍ଟ୍ରପତିଙ୍କ ସମେତ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଯୋଗଦେଇଛନ୍ତି।

ଏହି ଉତ୍ସବରେ ଯୋଗଦେଇ ଉପରାଷ୍ଟ୍ରପତି କହିଛନ୍ତି, “ ଆଜିକାଲି ଗ୍ରାମାଞ୍ଚଳରେ ଡାକ୍ତରଙ୍କ ଅଭାବ ରହିଛି। ତେଣୁ ଗ୍ରାମାଞ୍ଚଳରେ ସ୍ଵାସ୍ଥ୍ୟ ସେବାକୁ ଗୁରୁତ୍ୱଦିଆଯିବା ନିହାତି ଆବଶ୍ୟକ”।

ଏମସରେ ଛାତ୍ରଛାତ୍ରୀମାନଙ୍କୁ ଉପଦେଶ ଦେଇ ଉପରାଷ୍ଟ୍ରପତି କହିଥିଲେ, “ମା’, ମାଟି ଓ ମାତୃଭାଷାକୁ ସର୍ବଦା ଭଲପାଅ। ଜୀବନରେ ଗୁରୁଙ୍କ ଅବଦାନକୁ କେବେ ଭୁଲିବା ଉଚିତ ନୁହେଁ। ଗୁଗୁଲ କେବେ ବି ଗୁରୁଙ୍କ ସ୍ଥାନ ନେଇପାରିବ ନାହିଁ”।

ସମାବର୍ତ୍ତନ ଉତ୍ସବରେ ନିଜ ଭାଷଣକୁ ଓଡ଼ିଆ ଭାଷାରୁ ଆରମ୍ଭ କରିଥିଲେ ଉପରାଷ୍ଟ୍ରପତି। ମୋତେ ଓଡ଼ିଶା ବହୁତ ଭଲ ଲାଗେ ବୋଲି ଭାଷଣ ଆରମ୍ଭରେ କହିଛନ୍ତି ଉପରାଷ୍ଟ୍ରପତି।

ଉପରାଷ୍ଟ୍ରପତି ଏମ୍‌ ଭେଙ୍କିୟାନାଇଡ଼ୁ ଏହି ଉତ୍ସବ ଅବସରରେ ଏମ୍‌ସ ପରିସରରେ ୩ଟି ବଡ଼ ପ୍ରକଳ୍ପର ଶିଳାନ୍ୟାସ କରିଛନ୍ତି। ପ୍ରାୟ ୨୫ କୋଟି ଟଙ୍କା ବ୍ୟୟରେ ନାଲ୍‌କୋ ଦ୍ୱାରା ହେବାକୁ ଯାଉଥିବା ୫୬୦ ଶଯ୍ୟା ବିଶିଷ୍ଟ ଧର୍ମଶାଳା ଓ ୧୬ କୋଟି ଟଙ୍କା ବିନିମୟରେ ଏନ୍‌ଟିପିସି ପ୍ରଦତ୍ତ ବର୍ଣ୍ଣ ୟୁନିଟ୍‌ର ଶିଳାନ୍ୟାସ କରାଯାଇଛି।

ସେହିଭଳି ପେଟ୍ରୋନେଟ୍‌ ଏଲଏନ୍‌ଜି ଦ୍ୱାରା ଏଠାରେ ୧୦ କୋଟି ଟଙ୍କା ବିନିମୟରେ ହେବାକୁ ଥିବା ୫୦-୬୦ ଶଯ୍ୟାର ଲେଭେଲ୍‌ ଓ୍ଵାନ୍‌ ଟ୍ରମା ସେଣ୍ଟର୍‌ର ମଧ୍ୟ ଶିଳାନ୍ୟାସ ମଧ୍ୟ କରାଯାଇଛି।

ବର୍ତମାନ ଦିଲ୍ଲୀ ଏମ୍‌ସରେ ପିଜି କରୁଥିବା ଏହି ଏମ୍‌ସର ଏମ୍‌ବିବିଏସ୍‌ ଛାତ୍ରୀ ଡକ୍ଟର ଅନଘା ମେନନ୍‌ ସର୍ବାଧିକ ୧୧ଟି ସ୍ୱର୍ଣ୍ଣପଦକ ପାଇଛନ୍ତି। ସେହିଭଳି ଓଡ଼ିଆ ଡାକ୍ତର ଅଙ୍କିତ ସାହୁ ଓ ସ୍ୱୟଂଜିତ୍‌ ଶତପଥୀ ମୁଖ୍ୟ ଅତିଥିଙ୍କ ହାତରୁ ଯଥାକ୍ରମେ ୨ଟି ଓ ୪ଟି ସ୍ୱର୍ଣ୍ଣପଦକ ପାଇବାର ସୌଭାଗ୍ୟ ଲାଭ କରିଛନ୍ତି।

ବାୟୁସେନାର ସ୍ୱତନ୍ତ୍ର ବିମାନ ରାଜହଂସରେ ଶନିବାର ଦିନ ସକାଳ ୮ଟା ୮ ମିନିଟ୍‌ରେ ଉପରାଷ୍ଟ୍ରପତି ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିଥିଲେ।

ସେଠାରେ ତାଙ୍କୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କେନ୍ଦ୍ରମନ୍ତ୍ରୀ ଜୁଏଲ୍‌ ଓରାମ ସ୍ୱାଗତ କରିଥିଲେ।

ବିମାନ ବନ୍ଦରରୁ ଉପରାଷ୍ଟ୍ରପତି ସିଧାସଳଖ ରାଜଭବନ ଯାଇଥିଲେ। ସେଠାରେ ସେ ବ୍ରେକ୍ ଫାଷ୍ଟ କରିଥିଲେ। ୯ଟା ୩୫ମିନିଟ୍‌ରେ ରାଜଭବନରୁ ବାହାରି ଏମ୍‌ସ ଅଭିମୁଖେ ବାହାରିଥିଲେ। ୧୧ଟା ୫୦ ମିନିଟ୍‌ରେ ଏମ୍‌ସରୁ ସିଧାସଳଖ ବିମାନବନ୍ଦର ଯାଇ ଦିଲ୍ଲୀ ଫେରିଯାଇଛନ୍ତି ଉପରାଷ୍ଟ୍ରପତି।

Comment