ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯୦୦୦ କୋଟି ଟଙ୍କାର ଋଣ କରି ଲଣ୍ଡନ ପଳାଇଥିବା ବିଜୟ ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଗଲେ ସେ ଭାରତର କେଉଁ ଜେଲ୍‌ରେ ରହିବେ ତାହାର ଏକ ଭିଡିଓ ୟୁକେ କୋର୍ଟରେ ଦାଖଲ କରିଛି ସିବିଆଇ।

ଦେଶର ବିଭିନ୍ନ ବ୍ୟାଙ୍କରୁ ପ୍ରାୟ ୯ ହଜାର କୋଟି ଟଙ୍କା ଋଣ ନେଇ ଲଣ୍ଡନ ପଳାଇଥିବା ବିଶିଷ୍ଟ ବ୍ୟବସାୟୀ ବିଜୟ ମାଲ୍ୟାଙ୍କୁ ପ୍ରତ୍ୟର୍ପଣ ଲାଗି ଭାରତ ଉଦ୍ୟମ ଚଳାଇଛି।

ପ୍ରତ୍ୟର୍ପଣ ପରେ ତାଙ୍କୁ ମୁମ୍ବାଇର ଆର୍ଥର ରୋଡ ଜେଲ୍‌ର ସେଲ୍‌ ନଂ ୧୨ରେ ରଖାଯିବ ଏବଂ ତାଙ୍କୁ ସମସ୍ତ ପ୍ରକାର ସୁବିଧା ଯୋଗାଇ ଦିଆଯିବ।

ମାଲ୍ୟା ରହିବାକୁ ଥିବା ଜେଲ ପ୍ରକୋଷ୍ଠରେ ଟିଭି, ବ୍ୟକ୍ତିଗତ ଟଏଲେଟ ରହିବା ସହିତ ପ୍ରକୋଷ୍ଠରେ ପର୍ଯ୍ୟାପ୍ତ ସୂର୍ଯ୍ୟାଲୋକର ବ୍ୟବସ୍ଥା କରାଯାଇଛି। ଏହାଛଡା ସେ ଖୋଲା ଆକାଶ ତଳେ ସ୍ଵଇଚ୍ଛାରେ ଭ୍ରମଣ କରିବାର ସୁବିଧା ପାଇବେ ଏବଂ ତାଙ୍କର ପରିଷ୍କାର ପରିଚ୍ଛନ୍ନତା ପାଇଁ ଏକ ବଡ଼ ସ୍ଥାନ ଚିହ୍ନଟ କରାଯାଇଥିବା ସମ୍ପର୍କରେ ଦର୍ଶାଯାଇ ଆର୍ଥର ରୋଡ ଜେଲ୍‌ର ସେଲ୍‌ ନଂ ୧୨ର ଏକ ଭିଡିଓ ସିବିଆଇ ପକ୍ଷରୁ ୟୁକେ କୋର୍ଟରେ ଉପସ୍ଥାପନ କରାଯାଇଛି।

ଏବେ ପ୍ରଶ୍ନ ଉଠୁଛି ୯୦୦୦ କୋଟି ଟଙ୍କା ଦେଇ ଦେଶରୁ ଫେରାର ହୋଇଯାଇଥିବା ମାଲ୍ୟାଙ୍କୁ ଏତେ ଆଦର କ’ଣ ପାଇଁ କରାଯାଉଛି। ସାଧାରଣ କଏଦୀ ଭଳି ମାଲ୍ୟା କାହିଁକି ଜେଲରେ ରହିପାରିବେନି? ଏମିତି କିଛି ପ୍ରଶ୍ନ ଏବେ ସାଧାରଣରେ ମତପ୍ରକାଶ ପାଇଛି।

ସିବିଆଇ ଲଣ୍ଡନର ଏକ କୋର୍ଟକୁ ମୁମ୍ବାଇର ଆର୍ଥର ରୋଡ୍ ଜେଲ୍‌ର ଏକ ୮ ମିନିଟ୍‌ର ଭିଡିଓ ଦେଇଛି। ମାଲ୍ୟାଙ୍କୁ ପ୍ରତ୍ୟାର୍ପଣ କରାଗଲେ ଏଭଳି ଜେଲ୍‌ରେ ରଖାଯିବ ବୋଲି ଏହି ଭିଡିଓରେ ଦର୍ଶାଯାଇଛି।

ଭାରତୀୟ ଜେଲ୍‌ ରହିବା ଯୋଗ୍ୟ ନୁହେଁ ଏବଂ ଏହା ଅତ୍ୟନ୍ତ ଅପରିଷ୍କାର ବୋଲି ମାଲ୍ୟା ୟୁକେ କୋର୍ଟରେ ଅଭିଯୋଗ କରିଥିଲେ।

ତାଙ୍କୁ ପ୍ରତ୍ୟର୍ପଣ କରାଗଲେ ସେ ଭାରତୀୟ ଜେଲ୍‌ରେ ରହିପାରିବେ ନାହିଁ ବୋଲି ଦର୍ଶାଇବା ପରେ ୟୁକେ କୋର୍ଟ ଭାରତୀୟ ଜେଲ୍‌ର ସ୍ଥିତି ସମ୍ପର୍କରେ ଜାଣିବାକୁ ଚାହିଁଥିଲେ ଏବଂ ମାଲ୍ୟା ରହିବାକୁ ଥିବା ସେଲର ଏକ ଭିଡିଓ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଥିଲେ।

Comment