ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦୂତି ଚାନ୍ଦଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଓଡ଼ିଆ ଝିଅ ଦୂତି ଚାନ୍ଦ ଗୋଟିଏ ପରେ ଗୋଟିଏ ରେକର୍ଡ ହାସଲ କରିଚାଲିଛନ୍ତି। ଇଣ୍ଡୋନେସିଆରେ ଚାଲିଥିବା ୧୮ତମ ଏସିଆନ ଗେମ୍ସରେ ରୌପ୍ୟ ପଦକ ଜିତି ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଛନ୍ତି ଓଡ଼ିଆ ଧାବିକା ଦୂତି ଚାନ୍ଦ।

ଦୂତି ଚାନ୍ଦଙ୍କ ସଫଳତାରେ ଓଡ଼ିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅଭିନନ୍ଦନ ଜଣାଇବା ସହ ଦେଢ଼ କୋଟି ଟଙ୍କାର ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଏହି ସଫଳତା ପରେ ଦୂତି ଚାନ୍ଦଙ୍କ ନିକଟକୁ ଅଭିନନ୍ଦନ ଓ ପୁରସ୍କାରର ସୁଅ ଛୁଟିଛି। ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଦୂତିଙ୍କ ସଫଳତା ରାଜ୍ୟ ଓ ଦେଶ ପାଇଁ ଗୌରବର ବିଷୟ ବୋଲି କହିଛନ୍ତି। ଅନ୍ୟମାନଙ୍କ ପାଇଁ ଏହା ପ୍ରେରଣାର ଉତ୍ସ ହେବ ବୋଲି ମୁଖ୍ୟମନ୍ତ୍ରୀ ପ୍ରକାଶ କରିଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଟୁଇଟ ଯୋଗେ ଦୂତି ଚାନ୍ଦଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଅନ୍ୟପକ୍ଷରେ ଓଡ଼ିଶା ଦୌଡ଼କୁଦ ସଂଘ ପକ୍ଷରୁ ୫୦ ହଜାର ଟଙ୍କାର ପୁରସ୍କାର ଘୋଷଣା କରାଯାଇଛି। ଦୂତିଙ୍କ ଏହି ସଫଳତା ପାଇଁ ଓଡ଼ିଶା ଦୌଡ଼କୁଦ ସଂଘ ସମ୍ପାଦକ ଆଶୀର୍ବାଦ ବେହେରା ଶୁଭେଚ୍ଛା ଜଣାଇବା ସହ ପୁରସ୍କାର ରାଶି ଘୋଷଣା କରିଛନ୍ତି।

ଦୂତିଙ୍କ କୀର୍ତ୍ତିମାନ ପାଇଁ କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ରାଜ୍ୟବର୍ଦ୍ଧନ ସିଂହ ରାଠୋର୍‌, ରାଜ୍ୟ କ୍ରୀଡ଼ାମନ୍ତ୍ରୀ ଚନ୍ଦ୍ରସାରଥୀ ବେହେରା, କିଟ୍‌ ପ୍ରତିଷ୍ଠାତା ଡକ୍ଟର ଅଚ୍ୟୁତ ସାମନ୍ତ, ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏବଂ ଓଡ଼ିଶା କ୍ରୀଡ଼ା ସାମ୍ବାଦିକ ସଂଘ (ଓସ୍‌ଜା) ତାଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

ଓଡ଼ିଶା ଅଲିମ୍ପିକ୍‌ ସଂଘ ପକ୍ଷରୁ ମଧ୍ୟ ୫୦ ହଜାର ଟଙ୍କାର ପୁରସ୍କାର ରାଶି ଘୋଷଣା ସହିତ ସଭାପତି ଏମ୍‌ ଏ ଆଲାମ୍‌ ଓ ସମ୍ପାଦକ ସମୀର ଦେ ମଧ୍ୟ ଅଭିନନ୍ଦନ ଜଣାଇଛନ୍ତି। ଦୁର୍ଦ୍ଦିନ ସମୟରେ ଦୂତିଙ୍କ ସାଥ୍‌ ଦେଇଥିବା ବ୍ୟାଡ୍‌ମିଣ୍ଟନ୍‌ କିମ୍ବଦନ୍ତୀ ପୁଲେଲା ଗୋପୀଚାନ୍ଦ ଦୂତିଙ୍କ ସଫଳତାରେ ମଧ୍ୟ ଉଲ୍ଲସିତ ହୋଇଛନ୍ତି। ଦୂତି ଅନ୍ୟମାନଙ୍କ ପାଇଁ ଆଦର୍ଶ ପାଲଟିବେ ବୋଲି ଜାକର୍ତ୍ତାରେ ଥିବା ଗୋପୀଚାନ୍ଦ କହିଛନ୍ତି।

Comment