ଓଡ଼ିଶାଲାଇଭ୍ ବ୍ୟୁରୋ
ବାଲ୍ୟ ବିବାହକୁ ରୋକିବା ପାଇଁ କେବଳ ପ୍ରଶାସନ ନୁହେଁ, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ସଚେତନ ନାଗରିକମାନେ ମଧ୍ୟ ଦେଖାଇଛନ୍ତି ଆଗ୍ରହ।
ରାଜ୍ୟରେ ବାଲ୍ୟ ବିବାହର ସ୍ଥିତି ସୁଧୁରିଛି। ସରକାର, ଜିଲ୍ଲା ପ୍ରଶାସନ ଓ ସ୍ୱେଚ୍ଛାସେବୀ ସଙ୍ଗଠନମାନଙ୍କ ମିଳିତ ପ୍ରୟାସରେ ଏଥିରେ ପରିବର୍ତ୍ତନ ଆସିଛି। ୯ ବର୍ଷ ପରେ ଚଳିତ ବର୍ଷ ପ୍ରଥମ ଥର ପାଇଁ ରାଜ୍ୟ ସରକାର ବାଲ୍ୟ ବିବାହ ସମ୍ପର୍କିତ ଏକ ବାର୍ଷିକ ରିପୋର୍ଟ ପ୍ରସ୍ତୁତ କରିଛନ୍ତି। ଖୁବଶୀଘ୍ର ଏହା ସାର୍ବଜନୀନ କରାଯିବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗର ନିର୍ଦ୍ଦେଶକ ତଥା ପ୍ରମୁଖ ବାଲ୍ୟ ବିବାହ ନିଷେଧ ଅଧିକାରୀ ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡି ସୂଚନା ଦେଇଛନ୍ତି।
ଡକ୍ଟର ପ୍ରଶାନ୍ତ କୁମାର ରେଡ୍ଡି କହିଛନ୍ତି, “ବାଲ୍ୟ ବିବାହକୁ ରୋକିବା ଦିଗରେ ଖାଲି ଜିଲ୍ଲା ପ୍ରଶାସନ ନୁହେଁ, ବରଂ ସ୍ୱେଚ୍ଛାସେବୀ ସଙ୍ଗଠନମାନେ ମଧ୍ୟ ଆଗ୍ରହ ଦେଖାଇଛନ୍ତି। ରାଜ୍ୟସ୍ତରରେ ‘ସେ ନୋ ଟୁ ଚାଇଲ୍ଡ ମ୍ୟାରେଜ୍’ ଭଳି ଏକ ଫେସବୁକ୍ ପେଜ୍ ଖୋଲା ଯାଇଛି। ଜିଲ୍ଲାସ୍ତରରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ, ଅନନ୍ୟା ଶିଶୁ ସୁରକ୍ଷା ରଥ ଭଳି ଅଭିଯାନ କରାଯାଇ କିଶୋରୀ ଓ ମହିଳାମାନଙ୍କୁ ବାଲ୍ୟ ବିବାହ ନିରୋଧ ଆଇନ ଓ ଏହାର ଭୟାବହତା ବାବଦରେ ସଚେତନ କରାଯାଉଛି।”
ନ୍ୟାସନାଲ ଫାଉଣ୍ଡେସନ୍ ଫର ଇଣ୍ଡିଆ ସହୟତାରେ କରାଯାଇଥିବା ସର୍ଭରେୁ ଜଣାଯାଇଛି ଯେ ଜିଲ୍ଲାର ବାଲ୍ୟବିବାହ ପ୍ରବଣ ଅଞ୍ଚଳ ଭିତରୁ ମୟୂରଭଞ୍ଜ ଜିଲ୍ଲାରେ ୨୦୧୫-୧୬ ବର୍ଷରେ ୧୨୦ଟି ବାଲ୍ୟ ବିବାହ ରୋକାଯାଇ ପାରିଥିବା ବେଳେ ୨୦୧୬-୧୭ରେ ୯୯ଟି ଓ ୨୦୧୮ ଜାନୁୟାରୀରୁ ବର୍ତ୍ତମାନ ସମୟ ଭିତରେ ରେ ୫୨ ଜଣକୁ ରୋକାଯାଇ ପାରିଛି।
ସେହିପରି କନ୍ଧମାଳ ଜିଲ୍ଲାରେ ୨୦୧୭ ବର୍ଷରେ ୧୩ ଜଣଙ୍କୁ ଓ ୨୦୧୮ ବର୍ଷରେ ୧୫ ଜଣଙ୍କୁ ବାଲ୍ୟବିବାହରୁ ରୋକାଯାଇ ପରିଛି। ସେହିପରି କୋରାପୁଟରେ ଚଳିତ ବର୍ଷ ୨୨, ନବରଙ୍ଗପୁରରେ ୩୮ ଓ ମାଲକାନଗିରିରେ ୩୦ଟି ବାଲ୍ୟବିବାହ ବନ୍ଦ ହୋଇ ପାରିଛି।
ସଶକ୍ତ କରୁଛି ଫୁଟବଲ୍ ମ୍ୟାଚ୍
ଫୁଟବଲ୍ ମ୍ୟାଚ୍ ବି ବାଲ୍ୟବିବାହ ବନ୍ଦ ଦିଗରେ ସହାୟକ ହୋଇପାରିବ। କେହି ଏକଥା ଭାବିନଥିବା ବେଳେ ଏଭଳି ଉଦ୍ୟମ କରି ଜିଲ୍ଲା ପ୍ରଶାସନ ନିକଟରେ ପ୍ରଶଂସିତ ହୋଇ ପରିଛନ୍ତି କନ୍ଧମାଳ ଜିଲ୍ଲାର ଗୁଣ୍ଡିବାଡ଼ି ଓ କୁର୍ତ୍ତିଲି ଗାଁର ଗ୍ରାମବାସୀ। ବାଲ୍ୟବିବାହକୁ ବନ୍ଦ କରିବା ସହ ଏ ଦିଗରେ ସଚେତନତା ସୃଷ୍ଟି କରିବା ଭଳି ଏକ ମହତ୍ ଉଦ୍ଦେଶ୍ୟରେ ଗାଁର ଯୁବତୀମାନଙ୍କୁ ନେଇ ଅନୁଷ୍ଠିତ ହୋଇଥିଲା ଏକ ବନ୍ଧୁତ୍ୱପୂର୍ଣ୍ଣ ମ୍ୟାଚ୍। ଉଭୟ ଗାଁର ସ୍କୁଲ ଓ କଲେଜସ୍ତରର ୨୨ ଜଣ ଯୁବତୀଙ୍କୁ ଏକାଠି କରି ଏହି ମ୍ୟାଚ୍ ହୋଇଥିଲା।
ଏଥିପାଇଁ ଗତ ଦୁଇମାସ ହେବ ଗାଁ ପଡ଼ିଆରେ ଉଭୟ ଦଳ ଅଭ୍ୟାସ କରୁଥିବା ବେଳେ ଗାଁ ଲୋକଙ୍କୁ ବାଲ୍ୟ ବିବହା ନେଇ ସଚେତନ କରାଯାଇଥିଲା। ପଞ୍ଚାୟତସ୍ତରରେ କରାଯାଇଥିବା ଏହି ମ୍ୟାଚ୍ ଏବେ ସାରା ରାଜ୍ୟରେ ଚହଳ ପକାଇଛି। ପୁଅ ଭଳି ଝିଅମାନେ ବି ସମାନ। ଝିଅମାନେ ବି ନିଜ ଅଧିକାର ପାଇଁ ସ୍ୱର ଉଠାଇ ପାରିବେ। ମ୍ୟାଚରେ ମନୋରଞ୍ଜନ ସହ କିଶୋରୀ ବାଳିକାମାନଙ୍କର ଦକ୍ଷତା ବିକାଶ ବି କରାଯାଇଥିଲା।
ପଞ୍ଚାୟତସ୍ତରରେ କରାଯାଇଥିବା ଏହି ମ୍ୟାଚ୍ ଖୁବଶୀଘ୍ର ବ୍ଲକ୍ ଓ ପରେ ଜିଲ୍ଲାସ୍ତରରେ କରାଯିବ।
ଏ ବାବଦରେ ମ୍ୟାଚର ଆୟୋଜକ ତଥା ସ୍ୱେଚ୍ଛାସେବୀ ସଙ୍ଗଠନ ‘ସ୍ୱାତୀ’ର ମୁଖ୍ୟ ହରି ଶଙ୍କର ରାଉତ କହିଛନ୍ତି, “କିଶୋରୀମାନଙ୍କ ଅଧିକାରକୁ କିଛିବର୍ଷ ହେବ ବିଭିନ୍ନ ସ୍ତରରେ ଅଣଦେଖା କରାଯାଉଥିବା ବେଳେ ଏବେ ପୁଣିଥରେ ସେମାନେ ଦୃଷ୍ଟିକୁ ଆସିଛନ୍ତି। ଏହି ମ୍ୟାଚ୍ ଦ୍ୱାରା ଆମେ ସେମାନଙ୍କ ଭିତରେ ଥିବା ଦକ୍ଷତା ଓ ନେତୃତ୍ୱ ନେବାର କ୍ଷମତା ବାବଦରେ ଜାଣିବାକୁ ପାଇଲୁ। ଏହା ସେମାନଙ୍କୁ ଆଗାମୀ ଦିନରେ ନିଜ ବିବାହ ବାବଦରେ ନିଷ୍ପତ୍ତି ନେବାରେ ସହାୟକ ହୋଇପାରିବ। ଏହାଛଡ଼ା ଆମେ ବାଲ୍ୟ ବିବାହ ସମ୍ପର୍କରେ ସଚେତନ ସୃଷ୍ଟି କରିବା ପାଇଁ ଅନନ୍ୟା ‘ଶିଶୁ ସୁରକ୍ଷା ରଥ’ ନାମରେ ଏକ ଅଭିଯାନ କରି ୫ଟା ବ୍ଲକ ୧୦ ହଜାରରୁ ଅଧିକ ଲୋକଙ୍କୁ ସଚେତନ କରାଇ ପାରିଛୁ।
ଫେସବୁକ୍ ସାଜିଛି ମାଧ୍ୟମ
ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ଅଞ୍ଚଳରେ ଏକ ୧୩ ବର୍ଷର ଶିଶୁ କନ୍ୟାର ବାହାଘର ବନ୍ଦ କରିବା ନେଇ ସେଠାକାର ଜଣେ ସଚେତନ ନାଗରିକ ସେ-ନୋ-ଟୁ- ଚାଲଲ୍ଡ-ମ୍ୟାରେଜ୍’ ନାମରେ ଫେସବୁକ୍ ପେଜର ସାହାଯ୍ୟ ନେଇଥିଲେ। ଘଟଣା ବାବଦରେ ସେ ପୋଷ୍ଟ କରିବା ସଙ୍ଗେସଙ୍ଗେ ଏନେଇ ବାଲ୍ୟବିବାହ ନିଷେଧ ଅଧିକାରୀ, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, କାମାକ୍ଷନଗର ଅଞ୍ଚଳର ଶିଶୁ ଅଧିକାରୀ ଓ ସ୍ଥାନୀୟ ସ୍ୱେଚ୍ଛାସେବୀ ସଙ୍ଗଠନର ହସ୍ତକ୍ଷେପ ଲୋଡାଯାଇଥିଲା। ପରେ ସରକାରୀ ଓ ବେସରକାରୀ ଅଧିକାରୀମାନେ ଯାଇ ବିବାହକୁ ରୋକିଥିଲେ।
ସଂପୃକ୍ତ ନାବାଳିକାଙ୍କୁ ଉଦ୍ଧାର କରି ଚାଇଲ୍ଡ ୱେଲଫେୟାର୍ କମିଟିରେ ରଖାଯିବାର ବନ୍ଦୋବସ୍ତ କରାଗଲା। ବର୍ତ୍ତମାନ ସୁଦ୍ଧା ୫୦ରୁ ଅଧିକ ବାଲ୍ୟବିବାହ ସମ୍ପର୍କିତ ମାମଲା ଏହି ପ୍ଲାଟଫର୍ମ ଦ୍ୱାରା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ସମାଧାନ ହୋଇ ପାରିଛି। ଏହି ପ୍ଲାଟଫର୍ମର୍ରେ ୩୦୦୦ରୁ ଅଧିକ ସଦସ୍ୟ ସହ ବିଭିନ୍ନ ସ୍ୱେଚ୍ଛାସେବୀ ସଙ୍ଗଠନ, ଜିଲ୍ଲାର ଜିଲ୍ଲାପାଳ, ବାଲ୍ୟବିବାହ ନିଷେଧ ଅଧିକାରୀ, ଶିଶୁ ସୁରକ୍ଷା ଅଧିକାରୀମାନେ ରହି ସକ୍ରିୟ ଭାବେ କାମ କରୁଛନ୍ତି।
୧୩ ଜିଲ୍ଲାରେ ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ
ବାଲ୍ୟ ବିବହାକୁ ବନ୍ଦ କରିବା ଉଦ୍ଦେଶ୍ୟରେ ରାଜ୍ୟସ୍ତରରେ ଗଠନ କରାଯାଇଛି ବାଲ୍ୟ ବିବାହ ପ୍ରତିରୋଧ ମଞ୍ଚ। ୨୦୧୪ ମସିହାରୁ ଗଠନ ହୋଇଥିଲେ ବି ଏହି ମଞ୍ଚ ଗତ ଦୁଇ ବର୍ଷ ହେଲା ସକ୍ରିୟ ଭାବେ କାମ କରୁଛି। ଏହା ସାହାଯ୍ୟରେ ୧୩ଟି ଜିଲ୍ଲାରେ ଜିଲ୍ଲାସ୍ତରୀୟ ମଞ୍ଚ କରାଯାଇଛି। ୧୮ ବର୍ଷ ପୂର୍ବରୁ ନିଜ ବିବାହକୁ ନିଜେ ମନା କରିଥିବା କିଶୋରୀମାନେ ମଞ୍ଚର ସଦସ୍ୟ ରହି ଏହାର ପରିଚାଳନା କରୁଛନ୍ତି। ପରିବର୍ତ୍ତନର ବାର୍ତ୍ତାବହ ସାଜିଥିବା ଏହି ମଞ୍ଚରେ ବର୍ତ୍ତମାନ ୪୫ ରୁ ଅଧିକ ସଦସ୍ୟ ଅଛନ୍ତି। ଯେଉଁମାନେ କି ନିଜ ନିଜ ସ୍ଥାନରେ ତାଙ୍କ ଭଳି କିଶେରୀମାନଙ୍କୁ ଏକତ୍ରିତ କରିଛନ୍ତି। ଏହାଛଡ଼ା ବିଭିନ୍ନ ସମୟରେ ସ୍କୁଲ ସ୍ତରରେ ଯାଇ ବାଲ୍ୟବିବାହ ପ୍ରତିରୋଧ ସମ୍ପର୍କରେ ସଚେତନତା କାର୍ଯ୍ୟକ୍ରମମାନ ଆୟୋଜିତ କରୁଛନ୍ତି। ରାଜ୍ୟସ୍ତରରେ ଏମାନଙ୍କ ଦକ୍ଷତା ବିକାଶ ତାଲିମ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।
ମଠ ମନ୍ଦିରକୁ ନୋଟିସ୍
ବିବାହ ପାଇଁ ମଠ ମନ୍ଦିରଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନିଭାଇଥାନ୍ତି। ଏହାକୁ ଆଖି ଆଗରେ ରଖି ୪ଟି ଜିଲ୍ଲାର ଜିଲ୍ଲା ପ୍ରଶାସନ ସଂପୃକ୍ତ ଜିଲ୍ଲାର ବିଭିନ୍ନ ମଠ ଓ ମନ୍ଦିରକୁ ବାଲ୍ୟ ବିବାହ ବିରୋଧ ସମ୍ପର୍କିତ ନୋଟିସ୍ ଜାରି କରିଛନ୍ତି। ପ୍ରାଥମିକ ପର୍ଯ୍ୟାୟରେ ଜଗତସିଂପୁର, ମୟୂରଭଞ୍ଜ, ବୌଦ୍ଧ ଓ ସୋନପୁର ଜିଲ୍ଲାର ଜିଲ୍ଲାପାଳମାନେ ନିଜ ନିଜ ଅଞ୍ଚଳର ମଠ ମନ୍ଦିର ଓ ପୂଜକମାନଙ୍କୁ ନୋଟିସ୍ ପଠାଇଛନ୍ତି। ଯେଉଁଥିରେ ୧୮ ବର୍ଷରୁ କମ୍ କିଶୋରୀ ଓ ୨୧ ବର୍ଷରୁ କମ୍ କିଶୋରମାନଙ୍କ ବିବାହ ସମ୍ପର୍କିତ ଖବର ପାଇଲା ମାତ୍ରେ ସଙ୍ଗେ ସଙ୍ଗେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କୁ ଜଣାଇବେ ବୋଲି କୁହାଯାଇଛି। ଏନେଇ ପୂଜକ ଓ ମଠ ମନ୍ଦିର ପରିଚାଳକମାନଙ୍କୁ ନେଇ ଏକ ସଚେତନତା ଧର୍ମୀ କାର୍ଯ୍ୟକ୍ରମ ମଧ୍ୟ କରାଯାଇଛି।
ପରମ୍ପରାରେ ପରିବର୍ତ୍ତନ
ବିବାହକୁ ନେଇ ଅନୁସୂଚିତ ଜାତି ଓ ଜନଜାତି ସମ୍ପ୍ରଦାୟଙ୍କ ମଧ୍ୟରେ ଏକ ନିଜସ୍ୱ ନିୟମ ରହିଛି। ସେମାନଙ୍କ ପାଇଁ ବିବାହର ପରିସୀମା ବୟସ ନୁହେଁ , ବରଂ ରୋଜଗାର ଯୋଗ୍ୟ ଓ ଝିଅ ବଡ଼ କନିଆ ହେଲେ ସେମାନେ ତାଙ୍କୁ ବିବାହଯୋଗ୍ୟ ବୋଲି ମନେ କରିଥାନ୍ତି। ଏଭଳି ସ୍ଥିତିରେ ଅନେକ ସ୍ଥାନରେ ଶିଶୁ ମୃତ୍ୟୁ ଓ ମାତୃ ମୃତ୍ୟୁ ଭଳି ପରିସ୍ଥିତି ଦେଖିବାକୁ ମିଳୁଛି। ଏସବୁ ସମସ୍ୟାର ସମାଧାନ ପାଇଁ ଏବେ ଆଗକୁ ବାହାରିଛନ୍ତି ସେମାନଙ୍କ ସମ୍ପର୍କୀୟ। ବାଲ୍ୟବିବାହର କରୁଣ ପରିଣତିକୁ ହୃଦୟଙ୍ଗମ କରିବା ସହ ଏହାର ନିରାକରଣ ପାଇଁ ନିଜ ନିଜ ପରମ୍ପରାରେ ପରିବର୍ତ୍ତନ ଆଣିଛନ୍ତି। ଏ ଦିଗରେ କନ୍ଧ, ସଉରା, ପାଉଡି ଭୂୟାଁ, ଗଣ୍ଡ, ଡୁମ୍ବାଳ, କୁଲୁତା ଆଦି ସମ୍ପ୍ରଦାୟ ଆଗକୁ ବାହାରିଛନ୍ତି। ଗ୍ରାମସଭା ଦ୍ୱାରା ନିଜ ସମ୍ପ୍ରଦାୟରେ ଥିବା ବାଲ୍ୟବିବାହ ଆଇନରେ ପରିବର୍ତ୍ତନ ଆଣିବା ସହ ବାଲ୍ୟବିବାହକୁ ପ୍ରଶ୍ରୟ ନ ଦେବାର ଶପଥ ନେଇଛନ୍ତି।
୬୦ ହଜାର ମହିଳାଙ୍କ ସାମୂହିକ ଶପଥପାଠ
ବାଲ୍ୟ ବିବାହକୁ ନା। ଏମିତି ଆଭିମୁଖ୍ୟ ନେଇ ଜୁଲାଇ ୭ ତାରିଖରେ ଏକାଠି ହୋଇଥିଲେ ରାଜ୍ୟର ୫ ହଜାର ସ୍ୱେଚ୍ଛାସେବୀ ସଙ୍ଗଠନର ୬୦ ହଜାର ମହିଳା। ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଦ୍ୱାରା ଆୟୋଜିତ ଏହି ହ୍ୟୁମାନ୍ ଚେନ୍ କାର୍ଯ୍ୟକ୍ରମରେ ମହିଳାମାନେ ଏକାଠି ହୋଇ ବାଲ୍ୟ ବିବାହ ବିରୋଧରେ ନାରା ଦେବା ସହ ନିଜ ନିଜ ପରିବାର ଓ ସମ୍ପର୍କୀୟଙ୍କ ଘରେ ବାଲ୍ୟ ବିବାହକୁ ବରଦାସ୍ତ କରିବେ ନାହିଁ ବୋଲି ଶପଥ ନେଇଥିଲେ। ସୁବର୍ଣ୍ଣପୁର ଜିଲ୍ଲାର ପୂର୍ବତନ ଜିଲ୍ଲାପାଳ ଦାଶରଥୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମ ଜିଲ୍ଲାର ୩ଟି ସହରର ୯୬୫ଟି ଗାଁକୁ ଯାଇ ବାଲ୍ୟ ବିବାହ ନିରୋଧର ବାର୍ତ୍ତା ରଖିଥିଲା।
ରିପୋର୍ଟ – ପ୍ରତିଭା, (ନ୍ୟାସନାଲ ଫାଉଣ୍ଡେସନ ଫର୍ ଇଣ୍ଡିଆ ଫେଲୋ)








ବାଲ୍ୟ ବିବାହକୁ ରୋକିବା ପାଇଁ କେବଳ ପ୍ରଶାସନ ନୁହେଁ, ସ୍ୱେଚ୍ଛାସେବୀ ସଙ୍ଗଠନ ଏବଂ ସଚେତନ ନାଗରିକମାନେ ମଧ୍ୟ ଦେଖାଇଛନ୍ତି ଆଗ୍ରହ।









