ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତର ଅନ୍ୟତମ ଦ୍ରୁତତମ ଧାବିକା ଓଡ଼ିଆ ଝିଅ ଦୂତି ଚାନ୍ଦଙ୍କ ସଂଘର୍ଷ ଓ ସଫଳତା ପଛର କାହାଣୀ।

ଓଡ଼ିଆ ଝିଅ ଦୂତି ଚାନ୍ଦ। ଆଜି ଏହି ନାଁ କେବଳ ରାଜ୍ୟରେ ନୁହେଁ, ସାରା ଦେଶରେ ଗୁଞ୍ଜି ଉଠୁଛି। ଏସିଆନ ଗେମ୍ସରେ ଦୁଇ ଦୁଇଟି ପଦକ ଜିତି ଓଡ଼ିଶା କ୍ରୀଡ଼ା ଇତିହାସରେ ସ୍ଵର୍ଣ୍ଣିମ ଅଧ୍ୟାୟ ସୃଷ୍ଟି କରିଛନ୍ତି ଦୂତି।

ଏସିଆନ୍‌ ଗେମ୍ସରେ ରୌପ୍ୟ ପଦକ ଜିତିବା ପରେ ଭାରତୀୟ ଧ୍ଵଜା ଧରି ଦୂତି ଯେତେବେଳେ ବିଜୟ ଉତ୍ସବ ପାଳନ କରୁଥିଲେ ସେତେବେଳେ କୋଟିକୋଟି ଭାରତୀୟଙ୍କ ଛାତି ଗର୍ବରେ ଫୁଲି ଉଠୁଥିଲା।

ଏହି ସ୍ଵର୍ଣ୍ଣିମ ଦିନକୁ ପାଇବା ପାଇଁ ଦୂତିଙ୍କୁ କମ୍ ସଂଘର୍ଷ କରିବାକୁ ପଡ଼ି ନଥିଲା। କେତେବେଳେ ଲିଙ୍ଗ ପରୀକ୍ଷାରେ ପାସ୍ ହେବା ପାଇଁ ‘କାସ୍‌’ର କବାଟ ଠକ୍ ଠକ୍ କରିଥିଲେ ତ କେତେବେଳେ କେସ ଲଢ଼ିବା ପାଇଁ କାହାକୁ ଟଙ୍କା ମାଗିଥିଲେ। ଆଜି ସବୁ ବାଧାବିଘ୍ନକୁ ଏଡ଼ାଇ ଦେଶକୁ ଗୌରବାନ୍ଵିତ କରିଛନ୍ତି ଦୂତି।

୧୯୯୬ ମସିହା ଫେବ୍ରୁଆରିରେ ଯାଜପୁର ଜିଲ୍ଲାର ଏକ ବୁଣାକାର ପରିବାରରେ ଜନ୍ମଗ୍ରହଣ କରିଥିଲେ ଦୂତି। ୨୨ ବର୍ଷୀୟା ଦୂତିଙ୍କ ବଡ ଭଉଣୀ ସରସ୍ୱତୀ ଚାନ୍ଦ ମଧ୍ୟ ଜଣେ ଖେଳାଳି। ତାଙ୍କ ସହାୟତାରେ ଓଡ଼ିଶା କ୍ରୀଡ଼ା ଛାତ୍ରାବାସରେ ପ୍ରଶିକ୍ଷଣ ନେଇଥିଲେ ଦୂତି।

୨୦୧୨ରେ ପୁନେରେ ଅନୁଷ୍ଠିତ ଏସୀୟ ଚାମ୍ପିୟନସିପ୍ ପ୍ରତଯୋଗିତାରେ ୧୮ ବର୍ଷରୁ କମ ବିଭାଗରେ ୧୦୦ମିଟର ଇଭେଣ୍ଟରେ ଜାତୀୟ ଚାମ୍ପିୟନ ଏବଂ ୨୦୦ ମିଟର ଇଭେଣ୍ଟରେ ବ୍ରୋଞ୍ଜ ହାସଲ କଲାପରେ ଦୂତି ଆଉ ପଛକୁ ଫେରି ଚାହିଁ ନାହାନ୍ତି।

ଚେନ୍ନାଇରେ ଅନୁଷ୍ଠିତ ଦ୍ଵାଦଶ ଫେଡେରସନ କପ ଜାତୀୟ ଜୁନିଅର ଆଥଲେଟିକସ ଚାମ୍ପିୟନସିପରେ ୧୧.୬୩ ସେକେଣ୍ଡରେ ଜୁନିଅର ମହିଳା ୧୦୦ ମିଟର ଫାଇନାଲ ଅତିକ୍ରମ କରି ଦୀର୍ଘଦିନରୁ ଥିବା ସରସ୍ଵତୀ ଦେ’ଙ୍କ ୧୧.୯୬ ସେକେଣ୍ଡ ଜାତୀୟ ରେକର୍ଡ ଭଙ୍ଗ କଲେ। ତା’ପରେ ମଧ୍ୟ ସେ ପ୍ରଥମ ଭାରତୀୟ ଭାବେ ୟୁକ୍ରେନରେ ଅନୁଷ୍ଠିତ ୨୦୧୩ ବିଶ୍ଵ ଯୁବ ଚାମ୍ପିୟନସିପ ପ୍ରତିଯୋଗିତାରେ ଭାଗ ନେବା ପାଇଁ ଯୋଗ୍ୟ ବିବେଚିତ ହେଲେ।

ଯଦିଓ ସେ ସେଠାରେ ସେମିଫାଇନାଲରୁ ଆଗକୁ ଯିବାକୁ ସମର୍ଥ ହୋଇପାରିନଥିଲେ ତେବେ ବି ୧୧.୬୨ ସେକେଣ୍ଡରେ ୧୦୦ ମି. ଅତିକ୍ରମ କରି ଚାଞ୍ଚଲ୍ୟ ସୃଷ୍ଟି କରିଥିଲେ। ୨୦୧୩ରେ ରାଞ୍ଚିରେ ଅନୁଷ୍ଠିତ ଜାତୀୟ ସିନିଯର ଆଥଲେଟିକସ ଚାମ୍ପିୟନସିପରେ ମଧ୍ୟ ୧୦୦ମି. ଓ ୨୦୦ମି. ପ୍ରତଯୋଗିତାରେ ସେ ଜାତୀୟ ଚାମ୍ପିୟନ ହୋଇ ବିଜୟର ଯାତ୍ରା ଅବ୍ୟାହତ ରଖିଲେ।

୨୦୧୪ରେ ଥିଲା ଦୂତିଙ୍କ ପାଇଁ ବିବାଦର ବର୍ଷ

୨୦୧୪ ଦୂତିଙ୍କ ପାଇଁ ବିଷାଦର ବର୍ଷ ଥିଲା। ଦୂତିଙ୍କଠାରେ ଅଧିକ ମାତ୍ରାରେ ପୁରୁଷ ହର୍ମୋନ ଥିବା ଅଭିଯୋଗ ହୋଇଥିଲା। ଫଳରେ ସେ ବହୁ ଆକାଂକ୍ଷିତ ରାଜ୍ୟଗୋଷ୍ଠୀ କ୍ରୀଡ଼ା ଓ ଏସିଆଡରେ ଭାଗ ନେବାରୁ ବଞ୍ଚିତ ହେଲେ।

ଯଦିଓ ଏହା ତାଙ୍କ ପାଇଁ ଏକ କଷ୍ଟକର ସମୟ ଥିଲା ସେ ଧୈର୍ଯ୍ୟ ପୂର୍ବକ ଏହାକୁ ସାମନା କଲେ ଏବଂ ସୁଇଜରଲ୍ୟାଣ୍ଡର କୋର୍ଟ ଅଫ୍ ଆର୍ବିଟ୍ରେସନ ଫର ସ୍ପୋର୍ଟ ବା କାସରେ ଲଢ଼ିଲେ। ଫଳରେ ଦୂତିଙ୍କ ଉପରେ ଲାଗିଥିବା ସମସ୍ତ କଟକଣାକୁ ହଟାଇ ଦିଆଯାଇଥିଲା। ଦୂତି ସମସ୍ତ ଜାତୀୟ ଓ ଅନ୍ତର୍ଜାତୀୟ ପ୍ରତିଯୋଗିତାରେ ଭାଗ ନେଇ ପାରିବେ ବୋଲି ରାସ୍ତା ସଫା ହୋଇଥିଲା। ଏହାପରେ ଦୃଢ଼ତାର ସହ ଟ୍ରାକକୁ ଫେରିଥିଲେ ଦୂତି।

କଟକଣା ହଟିବା ପରେ

କଟକଣାର ଜବାବ ସ୍ୱରୂପ ଦୂତି କୋଲକାତାରେ ଅନୁଷ୍ଠିତ ନ୍ୟାସନାଲ୍ ଓପନ ଆଥଲେଟିକ୍ ଚାମ୍ପିୟନ୍ସିପରେ ୩ଟି ସ୍ୱର୍ଣ୍ଣ ପଦକ ହାସଲ କରିଥିଲେ।

ଏହି ଚାମ୍ପିଅନସିପରେ ରେଳବାଇ ପକ୍ଷରୁ ପ୍ରତିନିଧିତ୍ୱ କରୁଥିବା ଦୂତି ଚାନ୍ଦ ଡବଲ୍ ସ୍ୱର୍ଣ୍ଣ ହାସଲ କରିଥିଲେ। ଉଭୟ ୧୦୦ ଓ ୨୦୦ ମିଟର ରେସରେ ଦୂତି ସ୍ୱର୍ଣ୍ଣ ପଦକ ଜିତିଛନ୍ତି। ସେହିପରି ୪ ଗୁଣା ୧୦୦ ମିଟର ରିଲେରେ ମଧ୍ୟ ସେ ସ୍ୱର୍ଣ୍ଣ ପଦକ ଜିତିଥିଲେ।

ଏସିଆନ୍ ଇଣ୍ଡୋର ଆଥ୍‌ଲେଟିକ୍ସ

ଦୋହାରେ ଅନୁଷ୍ଠିତ ଏସିଆନ୍ ଇଣ୍ଡୋର ଆଥ୍‌ଲେଟିକ୍ସରେ ଦୂତି ଭାଗ ନେଇ ୬୦ମି.ଦୌଡରେ ୭.୩୭ସେକେଣ୍ଡରେ ଅତିକ୍ରମ କରି ଦୌଡ଼ରେ ବ୍ରୋଞ୍ଜ ପଦକ ଲାଭ କରିଛନ୍ତି। ପୂର୍ବରୁ ସେ ଏହି ଦୂରତାକୁ ୭.୨୮ ସେକେଣ୍ଡରେ ଦୌଡ଼ି ଜାତୀୟ ରେକର୍ଡ ସ୍ଥାପନ କରିଥିଲେ।

ରିଓ ଅଲିମ୍ପିକ୍ସ

୨୦୧୬ ଥିଲା ଦୂତି ଚାନ୍ଦଙ୍କ ପାଇଁ ଗୌରବର ବର୍ଷ। ଏହିବର୍ଷ ସେ ରିଓ ଅଲିମ୍ପିକ୍ସରେ ଭାଗନେବା ପାଇଁ ମନୋନୀତ ହୋଇଥିଲେ। ୧୯୮୦ରେ ୧୦୦ ମିଟର ଦୌଡରେ ଭାରତର ପିଟି ଉଷା ଅଲିମ୍ପିକ୍ସ କ୍ୱାଲିଫାଏ କରିଥିଲା ବେଳେ ଅଲିମ୍ପିକ୍ସରେ ପ୍ରବେଶ କରିବାରେ ଦୂତି ଥିଲେ ଦ୍ୱିତୀୟ ଭାରତୀୟ ତଥା ପ୍ରଥମ ଓଡିଆ ଧାବିକା। ତାଙ୍କ ପୂର୍ବରୁ ଅନ୍ୟ ଦୁଇ ଓଡ଼ିଆ ଖେଳାଳି ଅନ୍ୟ ଇଭେଣ୍ଟରେ ଅଲିମ୍ପିକ ଖେଳିବାର ଯୋଗ୍ୟତା ଅର୍ଜନ କରିଥିଲେ। ସେମାନେ ହେଲେ ରଚିତା ପଣ୍ଡା ଓ ଅନୁରାଧା ବିଶ୍ଵାଳ। ଦୂତି କୌଣସି ପଦକ ଜିତିନଥିଲେ ମଧ୍ୟ ଅଲିମ୍ପିକ୍ସକୁ ଯୋଗ୍ୟତା ହାସଲ କରିବା ଥିଲା ବହୁତ ବଡ଼ ସଫଳତା।

ଏସିଆନ ଗେମ୍ସ

ଇଣ୍ଡୋନେସିଆର ରାଜଧାନୀ ଜାକର୍ତ୍ତାରେ ଅନୁଷ୍ଠିତ ୧୮ତମ ଏସିଆନ ଗେମ୍ସରେ ଚମକିଛନ୍ତି ଓଡ଼ିଆ ଝିଅ ଦୂତି ଚାନ୍ଦ। ୧୦୦ ଓ ୨୦୦ ମିଟର ଦୌଡ଼ରେ ରୌପ୍ୟ ଜିତି ଦୂତି କେବଳ ରାଜ୍ୟ ପାଇଁ ନୁହେଁ ସମଗ୍ର ଦେଶକୁ ଗୌରବାନ୍ଵିତ କରିଛନ୍ତି। ଜାକର୍ତ୍ତା ଯିବା ପୂର୍ବରୁ ସେ କହିଥିଲେ, ମୋ ଟାଇମିଂରେ ଯଦି ଉନ୍ନତି ଆସିବ ତେବେ ପଦକ ଜିତିବା ଆଶା ରହିବ’। କିନ୍ତୁ ଶ୍ରେଷ୍ଠ ଟାଇମିଂଠାରୁ ପଛରେ ଥାଇ ମଧ୍ୟ ପଦକ ଜିତିଛନ୍ତି ଦୂତି।

ଓଡ଼ିଶା ଖଣି ନିଗମର ଜଣେ କର୍ମଚାରୀ ଭାବେ କାର୍ଯ୍ୟରତ ଦୂତିଙ୍କୁ ଅଭିନନ୍ଦନର ସୁଅ ଛୁଟିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କଠାରୁ ଆରମ୍ଭ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ, ରାଜ୍ୟପାଳ ଗଣେଷୀ ଲାଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରମୁଖ ଦୂତିଙ୍କୁ ଅଭିନନ୍ଦନ ଜଣାଇଛନ୍ତି।

Comment