ଓଡ଼ିଶାଲାଇଭ୍ ବ୍ୟୁରୋ

ହକି ବିଶ୍ୱକପର ପ୍ରଚାର ଓ ପ୍ରସାର ପାଇଁ ରାଜ୍ୟ ସରକାର ବିଭିନ୍ନ କାର୍ଯ୍ୟକ୍ରମ ହାତକୁ ନେଇଛନ୍ତି। ଜାତୀୟ କ୍ରୀଡ଼ା ଦିବସ ଅବସରରେ ‘ମାଇଁ ହାର୍ଟ ବିଟ୍ସ ଫର ହକି’ର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ।

ପୁରୁଷ ହକି ବିଶ୍ୱକପକୁ ଆଉ ରହିଲା ମାତ୍ର ୯୦ ଦିନ। ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି। କଳିଙ୍ଗ ଷ୍ଟାଡ଼ିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଖେଳାଯିବାକୁ ଥିବା ପୁରୁଷ ହକି ବିଶ୍ୱକପ ପ୍ରତିଯୋଗିତାକୁ ସାରା ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ପାଇଁ ୩୬୦ ଡିଗ୍ରୀ ଅଭିଯାନ ‘ହାର୍ଟ ବିଟ୍‍ସ ଫର୍ ହକି’ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି।

ଜାତୀୟ କ୍ରୀଡ଼ା ଦିବସ ଅବସରରେ କଳିଙ୍ଗ ଷ୍ଟାଡ଼ିୟମରେ ବୁଧବାର ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି କାର୍ଯ୍ୟକ୍ରମକୁ ଉଦ୍‍ଘାଟନ କରିଛନ୍ତି।

ଏହି ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି, “ ଆଜି କିମ୍ବଦନ୍ତୀ ହକି ଖେଳାଳି ମେଜର ଧ୍ୟାନଚାନ୍ଦଙ୍କ ଜନ୍ମ ଦିନ। ଏହି ଅବସରରେ ‘ହାର୍ଟ ବିଟ୍‍ସ ଫର୍ ହକି’ ଅଭିଯାନ ଶୁଭାରମ୍ଭ କରାଯାଇଛି। ଓଡ଼ିଶାରେ ହକି ବିଶ୍ୱକପ ଆୟୋଜନ କରାଯାଉଥିବାରୁ ଏହା ଆମ ମାନଙ୍କ ପାଇଁ ଗର୍ବର ବିଷୟ। ଏହାର ପ୍ରଚାର ଓ ପ୍ରସାର ପାଇଁ ସମସ୍ତ ପ୍ରକାର ଉଦ୍ୟମ କରାଯାଉଛି”।

୩୬୦ ଡିଗ୍ରୀ ଅଭିଯାନ ବିଶ୍ୱକପ ‘ହାର୍ଟ ବିଟ୍‍ସ ଫର୍ ହକି’ ଅଭିଯାନ ମାଧ୍ୟମରେ ସଙ୍ଗୀତ, ମନୋରଞ୍ଜନ, ଫେସନ, ଶୁଦ୍ଧ କ୍ରୀଡ଼ା ଓ ପ୍ୟାନେଲ ଆଲୋଚନା ଅନୁଷ୍ଠିତ ହୋଇଛି।

ଏହି କାର୍ଯ୍ୟକ୍ରମରେ ରାଜ୍ୟ କ୍ରୀଡ଼ା ମନ୍ତ୍ରୀ ଚନ୍ଦ୍ର ସାରଥି ବେହେରା, ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, କ୍ରୀଡ଼ା ସଚିବ ବିଶାଲ ଦେବ, ପୂର୍ବତନ ହକି ଖେଳାଳି ଦିଲୀପ ତିର୍କୀ ପ୍ରମୁଖ ଉପସ୍ଥିତ ଥିଲେ।

ଜାତୀୟ ଦଳକୁ ନେଇ ପ୍ରସ୍ତୁତ ଡିଜିଟାଲ ଅଭିଯାନ ଉନ୍ମୋଚିତ ହୋଇଛି। ଏହାଛଡ଼ା ସାରା ଭାରତରେ ହୃଦୟସ୍ପନ୍ଦନ ସୃଷ୍ଟି କରିବା ପାଇଁ ରୋଡ ସୋ, ଜାତୀୟ ଦଳ ପାଇଁ ବିଶ୍ୱକପ ଜର୍ସି ଉନ୍ମୋଚନ, ବିଶ୍ୱକପ ମ୍ୟୁଜିକ୍‍ ଭିଡ଼ିଓ ଉନ୍ମୋଚନ ହୋଇଛି।

‘ହାର୍ଟ ବିଟ୍‍ ଫର ହକି’ ଗାଡ଼ି ଜଳନ୍ଧର, ଲକ୍ଷ୍ନୌ, ରାଞ୍ଚି, ଦିଲ୍ଲୀ, ଚେନ୍ନାଇ ପରିଭ୍ରମଣ କରିବ। ସେହିପରି ଚଣ୍ଡିଗଡ଼, ବେଙ୍ଗାଲୁରୁ, ମୁମ୍ବାଇ, ଭୋପାଳ, ରାଉରକେଲା, ଇମ୍ପାଲରେ ସ୍ୱତନ୍ତ୍ର ଭାବେ ପ୍ରସ୍ତୁତ କରା ଯାଇଥିବା ହକି ଷ୍ଟିକ୍‍କୁ ପ୍ରଦର୍ଶିତ କରାଯାଇଛି।

ହକି ବିଶ୍ୱକପକୁ ଅଧିକ ଲୋକପ୍ରିୟ କରିବା ପାଇଁ ଏବଂ ଅଧିକ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ଏହି କାର୍ଯ୍ୟକ୍ରମ ପରେ ବିଜୁ ପଟ୍ଟନାୟକ କ୍ରୀଡ଼ା ପୁରସ୍କାର ପ୍ରଦାନ କରାଯାଇଛି।

ଓଡ଼ିଶାରେ ପ୍ରଥମଥରପାଇଁ ହକି ବିଶ୍ୱକପ କଳିଙ୍ଗ ଷ୍ଟାଡିୟମରେ ନଭେମ୍ବର ୨୮ରୁ ଡିସେମ୍ବର ୧୬ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ। ଏଥିରେ ବିଶ୍ୱର ଶ୍ରେଷ୍ଠ ୧୬ଟି ଦଳ ଅଂଶଗ୍ରହଣ କରିବେ।

Comment