ଓଡ଼ିଶାଲାଇଭ୍‌ ବ୍ୟୁରୋ

ଡେରାବିଶ ବ୍ଲକର ମଙ୍ଗଳପୁର ଗାଁରେ ମାତିଛି ଅଜଣା ଜନ୍ତୁ। ଦୁଇ ଦିନରେ ମାରିଲାଣି ୧୯ଟି ମେଣ୍ଢା। ଗାଁରେ କୋକୁଆ ଭୟ। ମେଣ୍ଢା ଚାଷୀ ମୁଣ୍ଡରେ ହାତ ଦେଇ ବସିଛି।

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକର ମଙ୍ଗଳପୁର ଗାଁରେ ଆତଙ୍କ ଖେଳାଇ ଦେଲାଣି ଏକ ଅଜଣା ଜନ୍ତୁ। ଗତ ୨୮ ତାରିଖରୁ ଏହି ଅଜଣା ଘାତକ ପଶୁଟି ମେଣ୍ଢା ଶିକାର କରିବାରେ ଲାଗିଛି। ମଙ୍ଗଳପୁର ଗାଁର ଭ୍ରମରବର ଭୂୟାଁଙ୍କ ମେଣ୍ଢା ଗୁହାଳେ ପଶି ଦୁଇ ଦିନରେ ୧୯ଟି ମେଣ୍ଢା ମାରିଥିବା ଜଣାପଡ଼ିଛି।

ଡେରାବିଶ ବ୍ଲକ ମଙ୍ଗଳପୁର ଗାଁର ଭ୍ରମରବର ଭୂୟାଁ ଜଣେ ଗରିବ ଚାଷୀ। ସ୍ୱଳ୍ପ ଚାଷ ଜମିରୁ ପରିବାର ଚଳାଇବା କଷ୍ଟକର। ପରିବାର ପୋଷଣ କରିବାକୁ ସେ ଆପଣାଇ ଥିଲେ ମେଣ୍ଢା ପାଳନ। ମେଣ୍ଢା ପାଇଁ ଭ୍ରମରବର ଓ ତାଙ୍କ ପରିବାର ଦିନରାତି ଏକ କରି ଦିଅନ୍ତି।

ମେଣ୍ଢା ବିକ୍ରୟ କରି ଯାହା କିଛି ରୋଜଗାର ହୁଏ ସେଥିରେ ପରିବାର ଚଳେ। ପ୍ରତିଦିନ ଭ୍ରମରବର ସକାଳୁ ଉଠି ମେଣ୍ଢାମାନଙ୍କ ଖାଇବା ପାଇଁ ଗୁହାଳ ଘରେ ଡାଳପତ୍ର ନେଇ ଦିଅନ୍ତି। ଗତକାଲି ସକାଳୁ ଉଠି ମେଣ୍ଢାମାନଙ୍କ ପାଇଁ ଡାଳପତ୍ର ନେଇ ଗୁହାଳକୁ ଯିବା ସମୟରେ ରକ୍ତାକ୍ତ ଅବସ୍ଥାରେ ୧୬ଟି ମେଣ୍ଢା ପଡ଼ି ଥିବାର ଦେଖି ଚକିତ ହୋଇ ଯାଇଥିଲେ ଭ୍ରମରବର।

ସମସ୍ତ ୧୬ଟି ମେଣ୍ଢାଙ୍କର ତଣ୍ଟି କଣା ହୋଇଥିବା ସେ ଦେଖିଥିଲେ। କଥା ଚାରିଆଡ଼େ ବ୍ୟାପିଲା। ଶହଶହ ଗାଁ ଲୋକେ ଭ୍ରମରବରଙ୍କ ଘରେ ଘଟିଥିବା ଏପରି ଅଦ୍ଭୁତ ଘଟଣା ଦେଖିବାକୁ ଆସିଲେ। ମେଣ୍ଢା କେମିତି ମଲେ ତାହା ଜଣାପଡ଼ିଲା ନାହିଁ। ଶେଷରେ ମନ ଦୁଃଖରେ ମୃତ ମେଣ୍ଢାମାନଙ୍କୁ ନେଇ ନଦୀରେ ଭସାଇଦେଲେ।

ଆଜି ସକାଳୁ ପୁଣି ଭ୍ରମରବରଙ୍କ ଗୁହାଳେ ପଶି ୩ଟି ମେଣ୍ଢାଙ୍କୁ ସେହି ଢଙ୍ଗରେ କିଏ ମାରିଦେଇଥିବାର ଦେଖିଲେ। ଗ୍ରାମବାସୀମାନଙ୍କ ମଧ୍ୟରେ ଚର୍ଚ୍ଚା ଯୋର ଧରିଲା। ଗାଁର ସୁଧୀର କୁମାର ଭୂୟାଁ ନାମକ ଜଣେ ସ୍ୱେଚ୍ଛାସେବୀ ଘଟଣା ସମ୍ପର୍କରେ କେନ୍ଦ୍ରାପଡ଼ା ଜିଲ୍ଲା ବନ ବିଭାଗ ରେଞ୍ଜର ଓ ନିକଟସ୍ଥ ପଶୁ ସମ୍ପଦ ବିଭାଗକୁ ଖବର ଦେଇଥିଲେ।

କେନ୍ଦ୍ରାପଡ଼ା ବନ ବିଭାଗିୟ ରେଞ୍ଜ କାର୍ଯ୍ୟାଳୟରୁ ବନ କର୍ମଚାରୀମାନେ ଘଟଣାସ୍ଥଳକୁ ଯାଇ ପରିସ୍ଥିତି ଅନୁଧ୍ୟାନ କରିଛନ୍ତି। ପଶୁ ସମ୍ପଦ ବିଭାଗର କର୍ମଚାରୀମାନେ ମୃତ ମେଣ୍ଢାଙ୍କର ଶବ ବ୍ୟବଚ୍ଛେଦ କରିଛନ୍ତି। କେନ୍ଦ୍ରାପଡ଼ା ବନ ବିଭାଗର ରେଞ୍ଜର ଅଧୀର କୁମାର ବେହେରାଙ୍କ କହିବା କଥାକି  ଏପରି ଘଟଣା ନୂଆ ନୁହେଁ।

କଟକ ଜିଲ୍ଲାର ନିଆଳି ଓ ଜଗସିଂହପୁର ଜିଲ୍ଲାର ଆଳିପିଙ୍ଗଳଠାରେ ସମାନ ଢଙ୍ଗରେ ମେଣ୍ଢା ଅଜଣା ଜନ୍ତୁଙ୍କ ଶିକାର ହୋଇଥିଲେ। ଏହାଛଡ଼ା କେନ୍ଦ୍ରାପଡ଼ା ଜିଲ୍ଲାର ମହାକାଳପଡ଼ା ଓ ରାଜନଗରଠାରେ ମଧ୍ୟ ଏମିତି ଅଜଣା ଜନ୍ତୁ ମେଣ୍ଢାମାନଙ୍କୁ ମାରି ଦେଇଥିଲା।

ବନ ବିଭାଗଠାରୁ ଆରମ୍ଭ କରି ଜିଲ୍ଲା ପ୍ରଶାସନ ଯାଏଁ ଏହି ଅଜଣା ଜନ୍ତୁମାନଙ୍କୁ ଧରିବାକୁ ବିଭିନ୍ନ ବ୍ୟବସ୍ଥା କରି ତାକୁ ଧରିବା କଥା ତ ଦୂରର କଥା ତାହାର ଟେର୍ ବି ପାଇ ନଥିଲେ।  ବନ ବିବାଗ ପକ୍ଷରୁ ଏହି ଘଟଣାରେ ମୃତ ମେଣ୍ଢାମାନଙ୍କ ବ୍ୟବଚ୍ଛେଦ ରିପୋର୍ଟ ମିଳିଲେ ପ୍ରତି ମେଣ୍ଢା ପିଛା ମେଣ୍ଢା ଚାଷୀମାନଙ୍କୁ ୨୦୦୦ ଟଙ୍କା କ୍ଷତିପୂରଣ ଦେବାର ବ୍ୟବସ୍ଥା ରହିଛି।

ମଙ୍ଗଳପୁର ଗାଁରେ ଏହି ଅଜଣା ଜନ୍ତୁର ଆକ୍ରମଣରେ ମେଣ୍ଢା ମୃତ ଘଟଣାରେ ବନ ବିଭାଗ ମେଣ୍ଢା ଚାଷୀମାନଙ୍କୁ ସତର୍କ କରାଇଛି। ମେଣ୍ଢାମାନଙ୍କୁ ମୁକୁଳା ଗୁହାଳ ଘରେ ନରଖି କବାଟ ଥିବା ଗୁହାଳେ ରଖିବାକୁ କୁହାଯାଇଛି। ତେବେ ଆଜି ପୁଣି ସେହି ଅଜଣା ଜନ୍ତୁ ଆସିବାର ଭୟ ଥିବାରୁ ଗାଁ ଲୋକେ ଭ୍ରମରଙ୍କ ଘର ନିକଟରେ ରାତିରେ ପାଳି କରି ଜଗିବାକୁ ନିଷ୍ପତ୍ତି ନେଇଛନ୍ତି।

Comment