କେନ୍ଦ୍ରାପଡ଼ାରୁ ନାରାୟଣ ସାହାଣୀ
କେନ୍ଦ୍ରାପଡ଼ା: ଗାଁ ଗାଁରେ କ୍ରୀଡ଼ାର ବିକାଶ ପାଇଁ ରାଜ୍ୟ ସରକାର ଅନେକ ଯୋଜନା କରିଛନ୍ତି। ଖେଳ ପଡ଼ିଆର ବିକାଶ ସହ ଅଧିକାଂଶ ସ୍ଥାନରେ ମିନି ଷ୍ଟାଡିୟମ ନିର୍ମାଣ କରିଛନ୍ତି। ହେଲେ ଦୂରଦୃଷ୍ଟି ଅଭାବରୁ ମିନିଷ୍ଟାଡିୟମ ଏବଂ ଖେଳପଡ଼ିଆ ପିଲାମାନଙ୍କ ହିତରେ ଆସିପାରୁନି। ଏହାର ନମୁନା ହେଉଛି କେନ୍ଦ୍ରାପଡ଼ା ଜିଲ୍ଲା ଗରଦପୁର ବ୍ଲକର ପାଟକୁରା ହାଇସ୍କୁଲ ଖେଳପଡ଼ିଆର ମିନି ଷ୍ଟାଡିୟମ।
ଗତ କିଛିବର୍ଷ ତଳେ ଲକ୍ଷାଧିକ ଟଙ୍କା ବ୍ୟୟବରାଦରେ ନିର୍ମିତ ହୋଇଥିବା ମିନିଷ୍ଟାଡିୟମ ଏବେ ବର୍ଷାପାଣିରେ ଭାସୁଛି। ଫଳରେ ସ୍ଥାନୀୟ ଲୋକଙ୍କ ମନରେ ଅସନ୍ତୋଷ ତେଜିଛି।
ପାଟକୁରା ମିନିଷ୍ଟାଡିୟମଟି ଖାଲୁଆ ଜାଗାରେ ତିଆରି ହୋଇଛି। ଏଠି ବର୍ଷା ପାଣି ଜମି ରହୁଥିବାରୁ ଷ୍ଟାଡିୟମଟି ହ୍ରଦର ଭ୍ରମ ସୃଷ୍ଟି କରୁଛି। ପାଣି ଜମି ରହୁଥିଲେ ମଧ୍ୟ ନିଷ୍କାସନ କରିବାର କୌଣସି ପଦକ୍ଷେପ ନେଉ ନାହିଁ ପ୍ରଶାସନ। ଖାଲୁଆ ଅଞ୍ଚଳକୁ ପୋତି କାହିଁକି ସମତୁଲ କରୁ ନାହାନ୍ତି ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି।
ଏହି ମିନିଷ୍ଟାଡିୟମ ନିର୍ମାଣ ପାଇଁ ସରକାର ହାତ ଖୋଲି ଦେଇଥିଲେ। ଖେଳ ପଡ଼ିଆର ପୁନରୁଦ୍ଧାର ଓ ଏକ ମିନି ଷ୍ଟାଡିୟମ ନିର୍ମାଣ ନିମନ୍ତେ ଖର୍ଚ୍ଚ ହୋଇଛି ପ୍ରାୟ ୩୦ ଲକ୍ଷ ଟଙ୍କା। ତେବେ ଯଦି ଏତେ ଟଙ୍କା ଖର୍ଚ୍ଚ ହୋଇ ମିନିଷ୍ଟାଡିୟମ ନିର୍ମାଣ କରାଯାଉଛି ତାହାଲେ ପୋଖରୀର ଭ୍ରମ କାହିଁକି ? ଏହାର ଉତ୍ତର ଖୋଜି ପାଇବା ବହୁ କାଠିକର। କାରଣ ଏହା ପଛରେ କେତେ ରାଜ ନେତା, କେତେ ପ୍ରଶାସକ ଆଉ କେତେ ଠିକାଦାର ଓ ଯନ୍ତ୍ରୀମାନେ ଦାୟୀ ତାହା ଖୋଜିବାକୁ ପଡ଼ିବ।
ପାଟକୁରା ହାଇସ୍କୁଲ ନିର୍ମାଣ ହେଲା ୧୯୬୨ ମସିହାରେ। ସ୍ଥାନୀୟ ବଦାନ୍ୟ ବ୍ୟକ୍ତି ମାନେ ନିଜ ନିଜ ମୁଲ୍ୟବାନ ସମ୍ପତ୍ତି ଦାନ କଲେ ସ୍କୁଲ ନିର୍ମାଣ ପାଇଁ। ୧୯୯୪ ମସିହାରୁ ସରକାର ସ୍କୁଲଟିକୁ ସରକାରୀ ମାନ୍ୟତା ଦେଲେ। ସେବେ ଠାରୁ ସ୍କୁଲର ଉନ୍ନୟନ ପାଇଁ ବହୁ ଲକ୍ଷ ଟଙ୍କା ସରକାର ଦେଲେଣି। ହେଲେ ସୁଧୁରି ପାରୁନି ସ୍କୁଲର ମୌଳିକ ସମସ୍ୟା। ଏହି ଖେଳପଡ଼ିଆ ପୁନରୁଦ୍ଧାର ନିମନ୍ତେ ୨୦୧୧ ମସିହାରେ ସରକାର ଜିଲ୍ଲା କ୍ରୀଡ଼ା ବିଭାଗ ଜରିଆରେ ୧ ଲକ୍ଷ ଟଙ୍କା ଅନୁଦାନ ଦେଇଥିଲେ।
୨୦୧୨ ମସିହାରେ ମିଳିଲା ୫ ଲକ୍ଷ ଟଙ୍କା। ସମସ୍ତ ଟଙ୍କା ଗରଦପୁର ବ୍ଲକ ଜରିଆରେ କାମ ହେଲା। କାମରେ ଦଳୀୟ କର୍ମୀ ତୋଷଣ କରିବାକୁ ରାଜନେତାମାନଙ୍କ ଚାପରେ ସରକାରୀ ବାବୁମାନଙ୍କ ପାଟି ଚୁପ୍।
ଏହାଛଡ଼ା ୨୦୧୪ ମସିହାରେ କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡାଙ୍କ ଆଞ୍ଚଳିକ ଉନ୍ନୟନ ପାଣ୍ଠିରୁ ଖେଳ ପଡ଼ିଆରେ ଏକ ଷ୍ଟାଡିୟମ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଛି ୨୬ ଲକ୍ଷ ଟଙ୍କା। ଏତେସବୁ ଗରିବଙ୍କ ଟିକସ ଟଙ୍କାକୁ ସରକାର ଠିକଣା ଭାବରେ ଖର୍ଚ୍ଚ ନକରି ପାରିଥିବାରୁ ଏହା ଏବେ ଭବ ସାଗରରେ ଭାସୁଛି।
ଯନ୍ତ୍ରୀ, ଠିକାଦାର ଓ ରାଜନେତାମାନଙ୍କ ନିକଟକୁ ଉନ୍ନୟନ କାମ ପାଇଁ ଆସିଥିବା ଅର୍ଥର ସିଂହ ଭାଗ ଚାଲି ଯିବାରୁ ଏପରି ଅବସ୍ଥା ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ଜୋର ଧରିଛି।