ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଲକାନଗିରି: ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଭେଜାଙ୍ଗୱାଡ଼ା ପଞ୍ଚାୟତ ଅନ୍ତର୍ଗକ୍ତ ଏମଭି ୧୨୪ ଗ୍ରାମର ରାସ୍ତା ଶୋଚନୀୟ ହୋଇଯାଇଛି। ଯିବା ଆସିବାରେ ଗ୍ରାମବାସୀ ଘୋର ଅସୁବିଧା ଭୋଗୁଛନ୍ତି। ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀ ବାରମ୍ବାର ଦାବି କରି ଆସୁଥିଲେ ମଧ୍ୟ ପ୍ରଶାସନ ଶୁଣୁ ନଥିବାରୁ ଆଜି ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି ଲୋକେ।

ପ୍ରଶାସନର ଦୃଷ୍ଟି ଆକର୍ଷଣ କରିବା ପାଇଁ ଗ୍ରାମବାସୀ ଆଜି ଗାଁ ମୁଖ୍ୟ ରାସ୍ତାରେ ଧାନ ଗଛ ରୋପଣ କରିଛନ୍ତି।

ଗ୍ରାମବାସୀଙ୍କ କହିବା ଅନୁଯାୟୀ, ଗତ ୫ ବର୍ଷ ହେଲା ଏହି ଗାଁର ମୁଖ୍ୟ ରାସ୍ତା ଅତି ଶୋଚନୀୟ ଅବସ୍ଥାରେ ଅଛି। ଏହି ରାସ୍ତା ଦେଇ ଏମଭି ୩୮, ସିନ୍ଧିଗୁଡ଼ା, ଏମ୍‌ଭି ୩୯,  ଏମ୍‌ଭି ୧୫ ଗ୍ରାମର ଲୋକେ ଯାତାୟତ କରିଥାନ୍ତି। ହେଲେ ଗତ ଲଗାଣ ବର୍ଷାରେ ରାସ୍ତା ଅତ୍ୟନ୍ତ ଶୋଚନୀୟ ହେଇଯାଇଛି।

ଜରୁରୀ ପରିସ୍ଥିତିରେ ଆମ୍ବୁଲାନ୍ସ କିମ୍ବା ଯାନବାହନ ଯିବା ଆସିବା କରିବା କଷ୍ଟକର ହୋଇଯାଉଛି ବୋଲି ଗ୍ରାମବାସୀ କହିଛନ୍ତି।

ଏନେଇ ଗ୍ରାମବାସୀ ଅନେକ ଥର ପଞ୍ଚାୟତ ଅଫିସରେ ଜଣାଇବା ସହ ଗ୍ରାମସଭାରେ ବାରମ୍ବାର ଅଭିଯୋଗ କରିଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ। ତେଣୁ ଏହାର ପ୍ରତିବାଦ ସ୍ୱରୂପ ଗ୍ରାମର ମହିଳା ଏବଂ ପୁରୁଷମାନେ ରାସ୍ତା ଉପରେ ଧାନ ରୋପଣ କରିଥିବା କହିଛନ୍ତି।

Comment