ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୟୂରଭଞ୍ଜ: ପ୍ରଥମଥର ପାଇଁ ବାରିପଦାଠାରେ ଆୟୋଜିତ ହୋଇଛି ସର୍ବଭାରତୀୟ ରଗ୍‌ବୀ ଚାମ୍ପିଅନସିପ୍। ୧୯ ବର୍ଷରୁ କମ୍‌ ବୟସର ପୁଅ ଏବଂ ଝିଅମାନେ ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରିଛନ୍ତି। ଦେଶର ବିଭିନ୍ନ ପ୍ରାନ୍ତରୁ ୩୨ଟି ଟିମ୍‌ର ପ୍ରତିଯୋଗୀମାନେ ଏଥିରେ ଅଂଶଗ୍ରହଣ କରିଛନ୍ତି।

ଏମ୍‌ପିସି ସ୍ଵୟଂଶାସିତ ମହାବିଦ୍ୟାଳୟ ଏବଂ ମୟୂରଭଞ୍ଜ ରଗ୍‌ବୀ କ୍ଲବ ଆନୁକୂଲ୍ୟରେ ଏହି ଟୁର୍ଣ୍ଣାମେଣ୍ଟ ଆୟୋଜିତ କରାଯାଇଛି। ରାଜ୍ୟ ରଗ୍‌ବୀ ସଂଗଠନ ଏହି ପ୍ରତିଯୋଗିତାକୁ ପରିଚାଳନା କରୁଛି। ବାରିପଦାଠାରେ ପ୍ରଥମଥର ଲାଗି ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟର ବ୍ରାଣ୍ଡ ଆମ୍ବାସାଡାର ହୋଇଛନ୍ତି ସ୍ଥାନୀୟ ବିଧାୟକ ତଥା ରାଜ୍ୟ ବିଧାନସଭାର ଉପବାଚସ୍ପତି ସାନନ୍ଦ ମାର୍ଣ୍ଡି।

ବାରିପଦାର ଏମ୍‌ଏସ୍‌ପି ମହାବିଦ୍ୟାଳୟ ପଡିଆଠାରେ ଆୟୋଜିତ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟ ୫ ଦିନ ଧରି ଚାଲିବ। ବିଭିନ୍ନ ଜିଲ୍ଲାରୁ ଏବଂ ରାଜ୍ୟ ବାହାରୁ ଆସିଥିବା ପ୍ରତିଯୋଗୀମାନଙ୍କ ରହିବା ଏବଂ ଖାଇବା ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା କରାଯାଇଛି।

ଟୁର୍ଣ୍ଣାମେଣ୍ଟରେ ଭାଗ ନେଇଥିବା କୌଣସି ଖେଳାଳି କିମ୍ବା ଟିମ୍‌ର କର୍ମକର୍ତ୍ତାମାନେ ଅସୁବିଧାର ସମ୍ମୁଖୀନ ନହେବେ ସେଥିପାଇଁ ମଧ୍ୟ ସ୍ଵତନ୍ତ୍ର ଟିମ ମାଧ୍ୟମରେ ଏହି ଖେଳକୁ ପରିଚାଳନା କରାଯାଉଛି। ମୟୂରଭଞ୍ଜ ରଗ୍‌ବୀ ଟିମ ପୂର୍ବରୁ ଜାତୀୟସ୍ତରରେ ଅଂଶଗ୍ରହଣ କରି ବେଶ ସୁନାମ ଆଣିଥିବାରୁ ଏହି ଟୁର୍ଣ୍ଣାମେଣ୍ଟରୁ ଫାଇଦା ଉଠାଇବାକୁ ବାରିପଦାର ରଗ୍‌ବୀ ଟିମ୍‌ ଅନେକ ଅ।ଶାବାଦୀ।

ଖେଳାଳିମାନଙ୍କୁ ତାଲିମ ଦେବାପାଇଁ ରାଜ୍ୟ ବାହାରୁ ସ୍ଵତନ୍ତ୍ର କୋଚମାନଙ୍କୁ ମଧ୍ୟ ନିୟୋଜିତ କରାଯାଇଛି।

Comment