ଭାସ୍କର ପରିଚ୍ଛା

ଗାନ୍ଧୀଙ୍କୁ ପଢ଼ିବା ଓ ବୁଝିବା ଦୁଇଟି ଅଲଗା ଅଲଗା କଥା। ଗାନ୍ଧୀଙ୍କୁ ଯେଉଁମାନେ ପଢ଼ିବା ଆରମ୍ଭ କରନ୍ତି ଓ ତାଙ୍କ ଜୀବନର ବିଭିନ୍ନ ବିଭାବ ସହିତ ପରିଚିତ ହୁଅନ୍ତି ସେମାନେ ସାଧାରଣତଃ ହଇରାଣରେ ପଡ଼ିଯାଆନ୍ତି।ଖାସ ଏଥିପାଇଁ ଯେ ଗାନ୍ଧୀଙ୍କ ଭଳି ଜଣେ ମଣିଷଙ୍କୁ ବୁଖିବା ଅତ୍ୟନ୍ତ କଷ୍ଟ। ଆପଣ ଯେତେ ତାଙ୍କୁ ପଢ଼ୁଥିବେ ସେତେ ଅପଢ଼ ରହିଯାଉଥିବେ।

ବର୍ତ୍ତମାନ ସମୟରେ ମହାତ୍ମାଗାନ୍ଧୀଙ୍କୁ ପଢ଼ିବା ଓ ତାଙ୍କୁ ଅନୁଶୀଳନ କରିବା ଏକ ଦୁର୍ଲଭ କଥା। ଗୋଟିଏ ସମୟ ଥିଲା ଓଡ଼ିଶାରେ ଗାନ୍ଧୀ ଚର୍ଚ୍ଚା ଖୁବ୍ ହେଉଥିଲା। ଗାନ୍ଧୀ ଓଡ଼ିଶାକୁ ଏତେ ଭଲ ପାଉଥିଲେ ଓ ଏଠାର ସମସ୍ୟା ତାଙ୍କୁ ଏତେ ବିବ୍ରତ କରୁଥିଲା ଯେ ସେ ବାରମ୍ବାର ଓଡ଼ିଶା ଆସୁଥିଲେ। ଏବେ ଅବଶ୍ୟ ଗାନ୍ଧୀଙ୍କ ଭକ୍ତ ଓ ତାଙ୍କ ଅନୁଗାମୀଙ୍କ ସଂଖ୍ୟା କ୍ରମଶଃ ହ୍ରାସ ପାଇବାରେ ଲାଗିଛି।

ଭଲ କଥା ଯେ ସରକାରୀ ସ୍ତରରେ ଗାନ୍ଧୀଙ୍କ ପାଇଁ ବେଶ୍ କିଛି ରଚନାତ୍ମକ କାର୍ଯ୍ୟ ଚଳାଇ ରଖାଯାଇଛି। ଆସନ୍ତା ଗାନ୍ଧୀ ଜୟନ୍ତୀ ଠାରୁ ଜାତିର ପିତାଙ୍କ ୧୫୦ତମ ଜନ୍ମ ଜୟନ୍ତୀ ଅବସରରେ ସମଗ୍ର ଦେଶରେ ଏକ ‘ଗାନ୍ଧୀୟ’ ବାତାବରଣ ସୃଷ୍ଟି ହେବାକୁ ଯାଉଛି। ଭାରତ ସରକାରଙ୍କ ପକ୍ଷରୁ ବିଭିନ୍ନ କାର୍ଯ୍ୟକ୍ରମ ବ୍ୟତୀତ ତାଙ୍କ ଉପରେ ବେଶ୍ କିଛି ପୁସ୍ତକ ପାଇଁ ବି ଯୋଜନା ପ୍ରସ୍ତୁତ କରାଯାଇଛି। ବିଶ୍ୱର ନାମିଦାମୀ ପୁସ୍ତକ ପ୍ରକାଶନ ସଂସ୍ଥା ଯଥା ଅକ୍ସଫୋର୍ଡ ୟୁନିଭରସିଟି ପ୍ରେସ ମଧ୍ୟ ଗାନ୍ଧୀଙ୍କ ଉପରେ ବେଶ୍ କିଛି ପୁସ୍ତକ ପାଇଁ ଲେଖକମାନଙ୍କ ସହ ଚୁକ୍ତିବଦ୍ଧ ହୋଇଛି।ଖୁସିର ବିଷୟ ଯେ, ଓଡ଼ିଶାରେ ମଧ୍ୟ ଗାନ୍ଧୀଙ୍କୁ ନେଇ କିଛି ପୁସ୍ତକ ପ୍ରକାଶର ଯୋଜନା ହେଉଛି।

ଓଡ଼ିଶାରେ ଯେଉଁ ଅଳ୍ପ କେତେଜଣ ଗାନ୍ଧୀ ସାହିତ୍ୟର ପାଠକ, ଲେଖକ ଓ ବିଦ୍ୱାନ ଅଛନ୍ତି ସେମାନଙ୍କ ମଧ୍ୟରେ ଗୌରାଙ୍ଗ ଚରଣ ପରିଡ଼ା ଅନ୍ୟତମ। ସେ ଗାନ୍ଧୀ ସାହିତ୍ୟର ଜଣେ ସତ୍ୟନିଷ୍ଠ ରସଗ୍ରାହକ। ଗାନ୍ଧୀଙ୍କ ଉପରେ ସେ ଆଗରୁ ଦୁଇଟି ପୁସ୍ତକ ରଚନା କରିଛନ୍ତି-‘ଗାନ୍ଧୀ ଚର୍ଚ୍ଚା’ ଓ ‘ମୋହନରୁ ମହାତ୍ମା’। ଏବେ ଏବେ ତାଙ୍କର ତୃତୀୟ ପୁସ୍ତକଟି ବଜାରକୁ ଆସିଛି।ପୁରୀ ନିବାସୀ ଶ୍ରୀ ପରିଡ଼ା ଜାତୀୟ ଅଡିଟ ମହାସଂଘର ଜଣେ ପ୍ରାକ୍ତନ ରାଷ୍ଟ୍ରୀୟ ଅଧ୍ୟକ୍ଷ ଓ ବର୍ତ୍ତମାନ ସେବାନିବୃତ୍ତ।କିନ୍ତୁ ତାଙ୍କର ଅସଲ ପରିଚୟ ଗାନ୍ଧୀ ରଚନାରେ।

ଆଲୋଚ୍ୟ ପୁସ୍ତକ ସମ୍ପର୍କରେ ଲେଖକ ତାଙ୍କ ଅଭିମତରେ ଲେଖିଛନ୍ତି, ‘ଗାନ୍ଧୀ ମହାତ୍ମା ଏକ ପାରମ୍ପରିକ ଜୀବନ ଇତିହାସ ନୁହେଁ।ଭାରତରେ ଗାନ୍ଧୀ ସଂଗ୍ରାମ ଏବଂ ଗାନ୍ଧୀ ଜୀବନାଦର୍ଶର ଏହା ଏକ ଜୀବନ୍ତ ସାହିତ୍ୟ। କୌଣସି ଐତିହାସିକ ତଥ୍ୟକୁ ବିକୃତ ନ କରି ନୂଆ ଢଙ୍ଗରେ ବର୍ଣ୍ଣିତ ଏହା ଏକ ଐତିହାସିକ ଦଲିଲ। ‘ବାସ୍ତବିକ ନୂଆ ଢଙ୍ଗରେ ଓ ଅତି ପ୍ରାଞ୍ଜଳ ଭାବରେ ଗାନ୍ଧୀଙ୍କ ଜୀବନର ଶେଷ ତିନି ବର୍ଷକୁ ଆଙ୍କିବାରେ ଲେଖକ ପ୍ରୟାସ କରିଛନ୍ତି ଓ ସଫଳ ମଧ୍ୟ ହୋଇଛନ୍ତି।

୧୯୪୫ରୁ ୧୯୪୮ ଏହି ତିନିବର୍ଷ ଭିତରେ ଗାନ୍ଧୀ ବ୍ରିଟିଶ ସାମ୍ରାଜ୍ୟ ବିରୁଦ୍ଧରେ ଯେଉଁ ତିନୋଟି ଅସ୍ତ୍ର ପ୍ରୟୋଗ କରିଥିଲେ ତାହା ହେଉଛି ସତ୍ୟ,ଅହିଂସା ଓ ସତ୍ୟାଗ୍ରହ। ବିଶ୍ୱ ତମାମ ବାପୁଙ୍କ ଏହି ତିନୋଟି ଦର୍ଶନ ଗ୍ରହଣୀୟ ହୋଇଛି ଓ ଏହାକୁ ନେଇ କେତେ ଯେ ପୁସ୍ତକ ଲେଖା ଯାଇଛି ତା’ର ହିସାବ ନାହିଁ।

‘ଗାନ୍ଧୀ ମହାତ୍ମା’ ପୁସ୍ତକର ବିଶେଷତ୍ୱ ହେଉଛି ଏହାର ବିଷୟ ପ୍ରବେଶ। ଶୁଷ୍କ ଗଦ୍ୟ ଢଙ୍ଗରେ ପୁସ୍ତକଟିକୁ ନଲେଖି ଏହାକୁ ପଠନପ୍ରିୟ କରିବା ପାଇଁ ଲେଖକ ଉଦ୍ୟମ କରିଛନ୍ତି। କିଛି ସ୍ଥାନରେ ସେ ନାଟକୀୟତାର ଆଶ୍ରୟ ନେଇଛନ୍ତି ତ ଆଉ କେଉଁଠି କେଉଁଠି କଥୋପକଥନ ଶୈଳୀରେ ବିଷୟର ଅବତାରଣା କରାଯାଇଛି। ଗାନ୍ଧୀଙ୍କ ଜୀବନର ପ୍ରତିଟି ଘଟଣା ଓ ଜୀବନ ଦର୍ଶନକୁ ପଢ଼ିବା, ବୁଝିବା ଓ ଅନ୍ୟମାନେ ଏ ନେଇ କଣ କହିଛନ୍ତି ତାକୁ ଆହରଣ କରିବା ପରେ ଏକ ସ୍ୱଚ୍ଛ ଓ ବୋଧଗମ୍ୟ ଭାଷାରେ ଲେଖିବା ନିଶ୍ଚିତରେ କଷ୍ଟକର କାର୍ଯ୍ୟ। ଶ୍ରୀ ପରିଡ଼ା କିନ୍ତୁ ଅତି ଗମ୍ଭୀରତାର ସହିତ ଏହା କରିପାରିଛନ୍ତି। ଅନ୍ତତଃ ୧୫ଟି ପୁସ୍ତକର ସହାୟତାରେ ‘ଗାନ୍ଧୀ ମହାତ୍ମା’ ଲେଖା ଯାଇଥିବାରୁ,ପାଠକଙ୍କୁ ଗାନ୍ଧୀଙ୍କ ସମ୍ପର୍କରେ ଅନ୍ୟ କେଉଁଠି କିଛି ଖୋଜିବାକୁ ପଡିବ ନାହିଁ।

ଶ୍ରୀ ପରିଡ଼ାଙ୍କ ପୁସ୍ତକର ରୋଚକ ରଚନା ଶୈଳୀରୁ ଗୋଟିଏ ଦୁଇଟି ଉଦାହରଣ ଦିଆଯାଇପାରେ: ‘ସମଗ୍ର ଭାରତରେ ଭୟ ଆଉ ଆଶଙ୍କା-ଗାନ୍ଧିଜୀ ଆମରଣ ଅନଶନରେ ବସୁଛନ୍ତି।ଖାଦ୍ୟ ଖାଇବେ ନାହିଁ, କେବଳ ପାଣି ପିଇବେ।ଏ ବୟସରେ ବାପୁ ଏହା ସହ୍ୟ କରି ପାରିବେ ତ?’ ଅଥବା: ‘ଜାନୁଆରୀ ପ୍ରଥମ ସପ୍ତାହ। ଶୀତୁଆ ଜଡ଼ରେ ଦିଲ୍ଲୀ ଥରୁଥିଲା। ଘନ କୁହୁଡି କାକରରେ ଭର୍ତ୍ତି ହୋଇଯାଇଥିଲା ଦିଲ୍ଲୀ। ଦିଲ୍ଲୀରୁ କିନ୍ତୁ ସାମ୍ପ୍ରଦାୟିକ ଦଙ୍ଗା କମିନଥିଲା। ହିନ୍ଦୁ,ମୁସଲିମ, ଶିଖ ଭିତରେ ହିଂସା ଲାଗି ରହିଥିଲା।’

ରଚନାରେ ଏହି ଭଳି ନାଟକୀୟତା ଓ ପାଠକକୁ ବାନ୍ଧି ରଖିବା ଭଳି ଶବ୍ଦଚୟନ ଗଭୀର ଅଧ୍ୟୟନ ଓ ଅନ୍ତର୍ଦୃଷ୍ଟିରୁ ହିଁ ସମ୍ଭବ ହୋଇଥାଏ। ଜାଣତରେ ହେଉକି ଅଜାଣତରେ ହେଉ ଲେଖକ ଗାନ୍ଧୀଙ୍କ ସମର୍କରେ କୌଣସି ସୂଚନା ଓ ତଥ୍ୟକୁ ବାଦ ଦେଇନାହାନ୍ତି। ଦୃଷ୍ଟାନ୍ତସ୍ୱରୂପ ବାପୁଙ୍କ ଶେଷ କେଇଟି ମୁହୂର୍ତ୍ତର ବର୍ଣ୍ଣନା ପଢ଼ନ୍ତୁ: ‘ପୂର୍ବାହ୍ନ ୧୧.୩୦ରେ ଗାନ୍ଧିଜୀଙ୍କ ଶବ ଶୋଭାଯାତ୍ରା ବାହାରିଲା। ଆଗରେ ଚାଲିଥିଲେ ଲର୍ଡ ଓ ଲେଡି ମାଉଣ୍ଟବାଟେନ ଏବଂ ଅନ୍ୟ ପଦସ୍ଥ ଅଫିସର। ଏମାନଙ୍କ ପାଇଁ କଡ଼ା ନିରାପତ୍ତା ବ୍ୟବସ୍ଥା ହୋଇଥିଲା। ଶବ ଶୋଭାଯାତ୍ରାରେ ଥିଲା ଅଭୂତପୂର୍ବ ଜନସମାଗମ।ପ୍ରାୟ ଦଶ ଲକ୍ଷ ଲୋକ ଯୋଗ ଦେଇଥିଲେ ପ୍ରୋସେସନରେ। ଟ୍ରକ ଆସ୍ତେ ଚାଲିଥିଲା।ଇଞ୍ଚ ପରେ ଇଞ୍ଚ। ପିଲା ଓ ଯୁବକମାନେ ଇଲେକ୍ଟ୍ରି ଖୁଣ୍ଟ ଉପରେ ଚଢ଼ି ଦେଖୁଥିଲେ। ଗାନ୍ଧୀଙ୍କ ଦର୍ଶନ ପାଇଁ ବାଟରେ ଲୋକେ ଟ୍ରକ ଅଟକାଉଥିଲେ। ନେହରୁ ବାରମ୍ବାର ବାହାରକୁ ବାହାରି ଆସୁଥିଲେ ଟ୍ରକରୁ। ରକ୍ଷା କରି ପାରିନଥିବା ଜଣେ ବ୍ୟକ୍ତିଙ୍କୁ କାହିଁକି ଅଟକାଉଛ ବୋଲି ଲୋକଙ୍କୁ ତାଗିଦ କରୁଥିଲେ।ହାତ ଥରୁଥିଲା ନେହରୁଙ୍କର। ଆଖି ଫୁଲି ଯାଇଥିଲା। ବିବର୍ଣ୍ଣ ଦେଖାଯାଉଥିଲେ ନେହରୁ।

ଗାନ୍ଧୀ ଶୋଭାଯାତ୍ରାର ପଟାନ୍ତର ନଥିଲା।ମନେ ହେଉଥିଲା,ମଧ୍ୟଯୁଗୀୟ ଇଟାଲୀର ସାମ୍ରାଟମାନେ ଯେମିତି ତାଙ୍କର ଯୁଦ୍ଧ ବିଜୟ ଶୋଭାଯାତ୍ରା କରନ୍ତି,ଠିକ୍ ସେମିତି ଥିଲା ଏହି ଶୋଭାଯାତ୍ରା।’

ପାଞ୍ଚ ଶହ ପୃଷ୍ଠା ଓ ୮୦ ଅଧ୍ୟାୟ ବିଶିଷ୍ଟ ଏହି ପୁସ୍ତକର ଶେଷରେ ଗାନ୍ଧିଜୀଙ୍କ ଅନଶନର ତାଲିକା ଓ ତାର କାରଣ,ଗାନ୍ଧୀଙ୍କ ଗିରଫ ଓ ଜେଲ ଜୀବନ ତଥା ଓଡ଼ିଶାରେ ଗାନ୍ଧୀ ଆଦି ଟାଇମଲାଇନ ପୁସ୍ତକର ଗରିମାକୁ ବଢ଼ାଇଛି। କୁହାଯାଏ ଗାନ୍ଧୀଙ୍କ ଜୀବନ ହିଁ ଥିଲା ଗାନ୍ଧିବାଦ।ସେ ଯାହା ଚିନ୍ତା କରୁଥିଲେ ତାହା କରୁଥିଲେ। ଓଜନିଆ ଦର୍ଶନ, ବିଚାରଧାରା ଓ ସବୁ ରକମର ବାଦଠାରୁ ସେ ଦୂରରେ ଥିଲେ। ତାଙ୍କର ଅନ୍ତରାତ୍ମା ହିଁ ଥିଲା ତାଙ୍କର ପଥପ୍ରଦର୍ଶକ ଓ କର୍ମ ହିଁ ଥିଲା ପ୍ରାୟୋଗଶାଳା।

କାକା ସାହେବ କାଲେଲକର କେବେ ଥରେ କହିଥିଲେ ସଂସାରର ଏଭଳି କୌଣସି ସମସ୍ୟା ନାହିଁ ଯାହାର ସମାଧାନ ଗାନ୍ଧୀଙ୍କ ପାଖରେ ନାହିଁ। ଏଭଳି କୌଣସି ସଙ୍କଟ ନାହିଁ ଯାହାର ଉପାୟ ତାଙ୍କ ବିଚାର ଭିତରୁ ବାହାରି ପାରିବ ନାହିଁ।ଗାନ୍ଧିଜୀ ସବୁବେଳେ କହୁଥିଲେ ଲୋକେ ନିଜ ଭିତରେ ଓ ନିଜକୁ ଯଦି ସୁଧାରି ନିଅନ୍ତି ତେବେ ସମାଜ ଓ ବିଶ୍ୱ ଆପଣା ଛାଏଁ ସୁଧୁରି ଯାଆନ୍ତା।

ଗୌରାଙ୍ଗ ଚରଣ ପରିଡ଼ାଙ୍କ ‘ଗାନ୍ଧୀ ମହାତ୍ମା’ ପୁସ୍ତକ ନିଃସନ୍ଦେହରେ ଏକ ଅନବଦ୍ୟ ସୃଷ୍ଟି। ଓଡ଼ିଆ ଭାଷାରେ ଲିଖିତ ଗାନ୍ଧୀ ସାହିତ୍ୟ କ୍ଷେତ୍ରରେ ଏହା ଏକ ବିରଳ ସଂଯୋଜନା କହିଲେ ଭୁଲ ହେବ ନାହିଁ।ପ୍ରତ୍ୟେକଟି ଶିକ୍ଷିତ ଓଡ଼ିଆ ଯିଏ ଗାନ୍ଧୀଙ୍କୁ ଭଲ ପାଆନ୍ତି ଓ ତାଙ୍କ ବିଷୟରେ ଜାଣିବା ପାଇଁ ଏବେ ବି ଆଗ୍ରହୀ ତାଙ୍କ ପାଇଁ ଏହି ପୁସ୍ତକଟି ଅବଶ୍ୟ ସଂଗ୍ରହଣୀୟ।

ଗାନ୍ଧୀ ମହାତ୍ମା

ଲେଖକ: ଗୌରାଙ୍ଗ ଚରଣ ପରିଡ଼ା

ପ୍ରଚ୍ଛଦ:କଲର କାନଭାସ, ପୁରୀ ପ୍ରେମଶୀଳା ପ୍ରକାଶନୀ ସର୍ବୋଦୟ ନଗର, ପୁରୀ-୨ ୨୦୧୮

ମୂଲ୍ୟ: ୫୦୦ ଟଙ୍କା

Comment