ଓଡ଼ିଶାଲାଇଭ୍‌ ବ୍ୟୁରୋ

ବ୍ରହ୍ମପୁର: ଗୋସାଇଁନୂଆଗାଁ ଥାନା ଅନ୍ତର୍ଗତ ସନ୍ତୋଷୀ ମା’ ମନ୍ଦିର ନିକଟରେ ଗତ ମାସ ୯ ତାରିଖରେ ହୋଇଥିବା ୫ ଲକ୍ଷ ଟଙ୍କା ଲୁଟ୍ ଘଟଣା ଉପରୁ ପରଦା ହଟିଛି। ପୋଲିସ ଆଜି ଟଙ୍କା ଲୁଟ୍ କରିଥିବା ଲୁଟେରାକୁ ଗିରଫ କରିଛି।

ଆଙ୍କୁଲି ନିଗମ ନଗରର ଜଗଦୀଶ ପାତ୍ର ଗୋସାଇଁନୂଆଗାଁ ଆନ୍ଧ୍ର ବ୍ୟାଙ୍କରୁ ୫ ଲକ୍ଷ ଟଙ୍କା ଉଠାଣ କରି ଅନ୍ଧପସରା ରୋଡ୍‌ର ରାଜାରାଣୀ ଆପାର୍ଟମେଣ୍ଟରେ ରହୁଥିବା ସିମାଞ୍ଚଳ ପାତ୍ରଙ୍କ ପାଖକୁ ଯାଉଥିଲେ।

ଏହି ସମୟରେ ଦୁଇ ଜଣ ଅଜଣା ବ୍ୟକ୍ତି ବାଇକରେ ଟଙ୍କା ଲୁଟି ନେଇଥିଲେ। ଏନେଇ ଗୋସାଇଁନୂଆଗାଁ ଥାନାରେ ଏକ ମାମଲା ରୁଜୁ ହେବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଆସିକା ଥାନା ଠେଙ୍ଗାପାଲି ଅଞ୍ଚଳର ଏ. ନବୀନାଙ୍କୁ ଗିରଫ କରିବା ସହ ତାଙ୍କ ନିକଟରୁ ୧ଲକ୍ଷ ୮୦ହଜାର ଟଙ୍କା ଜବତ କରିଛି। ଏହାସହ ମୋଟର ସାଇକେଲ ମଧ୍ୟ ଜବତ କରିଛି। ଆଉ ଜଣେ ଦୁର୍ବୃତ୍ତ ଫେରାର୍ ଅଛନ୍ତି।

ତାଙ୍କୁ ଅତିଶୀଘ୍ର ଧରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନୀରେ ବ୍ରହ୍ମପୁର ଏସ୍‌ପି ପ୍ରଭାତ ରାଉତରାୟ ସୂଚନା ଦେଇଛନ୍ତି। ସାମ୍ବାଦିକ ସମ୍ମିଳନୀରେ ଥାନା ଅଧିକାରୀ କୁଳମଣି ସେଠୀ ମଧ୍ୟ ଉପସ୍ଥିତ ଥିଲେ।

Comment