ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ସହରୀକରଣ ଓ ବିଶ୍ୱତାପନ ପ୍ରଭାବରେ ଘରଚଟିଆ ବିଲୁପ୍ତ ହୋଇଗଲେଣି। ଏହି ଘରଚଟିଆଙ୍କ ସଂରକ୍ଷଣ ପାଇଁ ଗଞ୍ଜାମ ଜିଲ୍ଲାରେ ଏକ ଅଭିନବ ପଦେକ୍ଷପ ଗ୍ରହଣ କରାଯାଇଛି। ଦକ୍ଷିଣପୁର ନିକଟସ୍ଥ ଗୁଣ୍ଠବନ୍ଦ ଆଞ୍ଚଳିକ ବିକାଶ ପରିଷଦର ଉଦ୍ୟମରେ ବ୍ରହ୍ମପୁର ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟଳୟର ସହଯୋଗରେ ଏହି ବିଲୁପ୍ତପ୍ରାୟ ପକ୍ଷୀଙ୍କ ସଂରକ୍ଷଣ ପାଇଁ ଯୋଜନା ପ୍ରସ୍ତୁତ ହୋଇଛି।

ପକ୍ଷୀଙ୍କ ପାଇଁ ବ୍ରହ୍ମପୁର ସହର ସମେତ ଜିଲ୍ଲାର ସମସ୍ତ ବ୍ଲକରେ କୃତ୍ରିମ ବସା ସ୍ଥାପନ ସହ ଲୋକଙ୍କୁ ଏନେଇ ସଚେତନ କରିବାକୁ ଅଭିଯାନ ଆରମ୍ଭ କରାଯାଇଛି।

ବ୍ରହ୍ମପୁର ଆଞ୍ଚଳିକ ବନ ମୁଖ୍ୟ ସଂରକ୍ଷକ (ଆରସିସିଏଫ) ଙ୍କ ସମ୍ମିଳନୀ କକ୍ଷରେ ଘରଚଟିଆଙ୍କ ସଂରକ୍ଷଣ କାର୍ଯ୍ୟକ୍ରମ  ଅନୁଷ୍ଠିତ ହୋଇଥିଲା। ବନଖଣ୍ଡ ଅଧିକାରୀ ଆଶିଷ କୁମାର ବେହେରାଙ୍କ ସଭାପତିତ୍ୱରେ ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ବି ନାଗେଶ୍ୱର ରାଓ ସୁବୁଦ୍ଧି ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ସହକାରୀ ବନ ସଂରକ୍ଷକ ଅଶୋକ କୁମାର ବେହେରା, ଆଂଚଳିକ ବିକାଶ ପରିଷଦର ସଭାପତି ସାଗର କୁମାର ପାତ୍ର, ମାରୱାଡି ମହିଳା ସମିତିର ସଭାନେତ୍ରୀ ମମତା ଚୌଧୁରୀ, ସବୁଜ ବାହିନୀର ସଭାପତି ଶିବରାମ ପାଣିଗ୍ରାହୀ, ବକ୍ସିଂ ଓଡ଼ିଶାର ସମ୍ପାଦକ କବିରାଜ ଗୌଡ଼, ଓଡ଼ିଶା ପର୍ଯ୍ୟବରଣ ସୁରକ୍ଷା ସମିତିର ସଭ୍ୟ ସୌମ୍ୟରଞ୍ଜନ ବିଶ୍ୱାଳ ପ୍ରମୁଖ ଉପସ୍ଥିତ ଥିଲେ।

ଜିଲ୍ଳା ଇକୋ କ୍ଳବ ସଂଯୋଜକ ଡକ୍ଟର ଶଙ୍କରନାରାୟଣ ବେଜଙ୍କ ସଂଯୋଜନାରେ ୧୧ଟି ବ୍ଲକରୁ ପ୍ରତିନିଧି ଯୋଗଦେଇ ଘରଚଟିଆ ବିଲୁପ୍ତର କାରଣ, ନିରାକରଣ ଏବଂ ସଂରକ୍ଷଣ ବିଷୟରେ ବୁଝିଥିଲେ। ଆଗାମୀ ଦିନରେ ସମସ୍ତ ୨୨ଟି ବ୍ଲକର ବିଭିନ୍ନ ଗ୍ରାମରେ ଘରଚଟିଆଙ୍କ ପାଇଁ କୃତ୍ରିମ ବସା ସହ ଖାଦ୍ୟଉତ୍ସ ସୃଷ୍ଟି କରାଯିବାକୁ ଯୋଜନା  ରହିଥିବା ଡିଏଫଓ ଶ୍ରୀ ବେହେରା କହିଥିଲେ।

ସ୍ୱେଚ୍ଛାସେବୀଙ୍କୁ ମାଗଣାରେ କୃତ୍ରିମ ବସା ବଣ୍ଟନ କରାଯାଇଥିଲା। ଏହି ଅବସରରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ପ୍ରକୃତିପ୍ରେମୀ, ଅନୁଷ୍ଠାନ, ସଂଗଠନ ଓ ସ୍ୱେଚ୍ଛାସେବୀଙ୍କୁ ଗୋଟିଏ ଛାତ ତଳେ ଏକତ୍ରିତ କରିବା ଲକ୍ଷ୍ୟରେ ‘ନେଚର ଲଭର ଓଡିଶା’ ଗଠନ କରାଯିବ ବୋଲି ଘୋଷଣା କରାଯାଇଥିଲା।

କାର୍ଯ୍ୟକ୍ରମ ପରିଚାଳନାରେ ବନ ବିଭାଗ କର୍ମଚାରୀଙ୍କ ସହ ବିଜେନ୍ଦ୍ର ମାଝି, ସିଲୁ ମହାନ୍ତି, ସଂଜୟ ପାତ୍ର, ଏମ ଦିଲ୍ଲୀପ କୁମାର, ସିଲୁ ଚୌଧୁରୀ, ନିଳମାଧବ ସାହୁ ସହଯୋଗ କରିଥିଲେ।

Comment