କପିଳାସ ଭୂୟାଁ

ସ୍ମାର୍ଟ ସିଟି ଭୁବନେଶ୍ୱରରେ ପଦଚାରୀମାନେ ଦୁର୍ଦ୍ଦଶା ଭୋଗୁଛନ୍ତି। ସେମାନଙ୍କ ଯିବା ଆସିବା ପାଇଁ ଯେଉଁ ସୁବିଧା କରାଯାଇଛି ତାହା ନଥିବା ଭଳି।

ଯାତାୟାତ ଦୃଷ୍ଟିରୁ ରାଜଧାନୀ ଭୁବନେଶ୍ଵରରେ ସାଧାରଣ ପଥଚାରୀମାନେ ହେଲେ ସର୍ବାଧିକ ଉପେକ୍ଷିତ ନାଗରିକ। ରାସ୍ତା ଚଉଡ଼ା କରାଗଲା ଯାନବାହାନଗୁଡ଼ିକ ପାଇଁ। ସେଗୁଡ଼ିକୁ ଦ୍ରୁତ ଗତିରେ ଯିବା ପାଇଁ ରାସ୍ତା ମଝିରେ ଡିଭାଇଡର କରି ୱାନ ୱେ କରାଗଲା। ଡିଭାଇଡରର ଦୁଇ କଡ଼ରେ ଲୁହା ବାଡ଼ କରି ମଝିରେ ଫୁଲ ଗଛ ଲଗାଗଲା। ଏହା ଦ୍ଵାରା ରାସ୍ତାଗୁଡ଼ିକ ଅତି ସୁନ୍ଦର ମଧ୍ୟ ଦିଶିଲା।

ପଦଚାରୀମାନଙ୍କ ପାଇଁ ମନୋରମ ଫୁଟପାଥ ମଧ୍ୟ ତିଆରି ହେଲା। ସାଇକେଲ ଆରୋହୀମାନଙ୍କ ପାଇଁ ମଧ୍ୟ ସ୍ଵତନ୍ତ୍ର ରାସ୍ତା ରହିଲା। ଏସବୁ ତିଆରି କରିଲା ବେଳେ ଜଳ ନିଷ୍କାସନ ପ୍ରଣାଳୀ କଥା ସଭିଏଁ ଭୁଲିଗଲେ। ତା’ ସହିତ ରାସ୍ତାର ଉଚ୍ଚତାକୁ ଯେ ସମାନ ରଖି କ୍ରମାନ୍ଵୟରେ ଉଭୟ ପାର୍ଶ୍ୱକୁ ଗଡ଼ାଣିଆ କରିବା ଦରକାର ସେ କଥା ମଧ୍ୟ ଅଭିଜ୍ଞ ଇଞ୍ଜିନିୟରମାନେ ପାସୋରି ଦେଲେ। ମାଟି ଗଦାକୁ ସମାନ କରି ତା’ ଉପରେ ଫୁଟପାଥ ଓ ସାଇକେଲ ଟ୍ରାକ ତିଆରି କରିଦେଲେ। ତେଣୁ, ଏବେ ଦଶ ପନ୍ଦର ମିନିଟ ପାଇଁ ବର୍ଷା ହେଇଗଲେ ରାସ୍ତା ଉପରେ ଆଣ୍ଠୁଏ ପାଣି ଜମି ଯାଉଛି। ସ୍ଥଳ ବିଶେଷରେ ଇସ୍କନ ମନ୍ଦିର ଭଳି ଜାଗାରେ ନିଷ୍କାସନ ବାଟ ନପାଇ ପାଣି ଜମି ରାସ୍ତା ନଈ ଭଳି ଦିଶୁଛି ଓ ଗାଡି ମଟର ଭସାଇ ନେବା ଭଳି ଅଭାବିତ କଥା ଘଟୁଛି। ଏ ବର୍ଷ ବର୍ଷାଦିନ ଆରମ୍ଭରେ ରାଜଧାନୀବାସୀ ଯେଉଁ ଭଳି ଘୋର ଦୁର୍ଦ୍ଦିନର ସମ୍ମୁଖୀନ ହେଲେ ତାହା ବେଶ କିଛି ଦିନ ସମସ୍ତଙ୍କର ନିଶ୍ଚୟ ମନେ ରହିବ।

ବିଳମ୍ବରେ ହେଉ ପଛେ ଆମ ସରକାରଙ୍କ ଅଭିଜ୍ଞ ଇଞ୍ଜିନିୟରମାନେ ସେମାନଙ୍କର ଭୁଲ ସୁଧାରିବା ପାଇଁ ଏବେ ଅଣ୍ଟା ଭିଡ଼ି ଲାଗି ପଡ଼ିଛନ୍ତି। ଫୁଟପାଥ ସବୁ ଖୋଳା ଚାଲିଛି, କାହିଁକି ନା ଡ୍ରେନ ତିଆରି ହେବ। ଥରକରେ କାମ ନସାରି, କୌଣସି ଦୂରଦୃଷ୍ଟି ଉପଯୋଗ ନକରି କିମ୍ବା ଉପଯୁକ୍ତ ପ୍ଲାନିଂ ନକରି ଠିକାଦାର-ଇଞ୍ଜିନିୟରମାନଙ୍କର ଗୋଟିଏ କାମକୁ ଏତାଦୃଶ ବାରମ୍ବାର କରିବା ପଛରେ କେଉଁ ନିହିତ ଉଦ୍ଦେଶ୍ୟ ରହିଛି ତାହା ଆମ ସମସ୍ତଙ୍କୁ ଜଣା। ସାଧାରଣ ଲୋକଙ୍କ ଚୁଟି ଭିଡ଼ି ଆଦାୟ କରାଯାଉଥିବା କରର ଏହା କ’ଣ ସଦୁପଯୋଗ?

ଗୋଟିଏ କାମକୁ ବାରମ୍ବାର କରିବା ପଛରେ ଠିକାଦାର-ଇଞ୍ଜିନିୟରମାନଙ୍କୁ ଅଧିକ ଲାଭବାନ କରିବା, ଓ ତଦ୍ୱାରା ହାତ ଚିକ୍କଣ କରିବା ପାଇଁ ରାଜନୈତିକ ପୃଷ୍ଠପୋଷକତା ନଥିବ ବୋଲି କିଏ ବା ହଲପ କରି କହି ପାରିବ?

ମୂଳ ପ୍ରସଙ୍ଗ ପଦଚାରୀମାନଙ୍କ ଦୟନୀୟ ସ୍ଥିତି କଥାକୁ ଫେରିଗଲେ ଆମେ ଦେଖିବା ଯେ ଫୁଟପାଥ ଓ ସାଇକେଲ ଟ୍ରାକ ଉପରେ ରଙ୍ଗ ସାଇଡରେ ଯାଉଥିବା ସ୍କୁଟର ମଟର ସାଇକେଲ ସଂଖ୍ୟା ଅଧିକ। ନଚେତ ସେଠାରେ ଉଠା ଦୋକାନୀଙ୍କ ଆଧିପତ୍ୟ। କଥା ଏତିକିରେ ସୀମିତ ନୁହେଁ। ପଥଚାରୀମାନଙ୍କ ସର୍ବାଧିକ ଦୁର୍ଦ୍ଦଶା ହେଉଛି କି ସେ ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବ କେମିତି? ଏ ବାବଦରେ ସତେ ଯେମିତି ସମସ୍ତେ ବିସ୍ମୃତ ହୋଇ ଯାଇଛନ୍ତି!

ଗାଡି ମଟର ରାସ୍ତାର ଗୋଟିଏ ପାର୍ଶ୍ୱରୁ ଅନ୍ୟ ପାର୍ଶ୍ୱକୁ ଯିବା ପାଇଁ ବିଭିନ୍ନ ସ୍ଥାନରେ ୟୁ-ଟର୍ଣ୍ଣ ରହିଛି। କିନ୍ତୁ ପଦଚାରୀମାନେ କେମିତି ଯିବେ? ଅବଶ୍ୟ ଟ୍ରାଫିକ ପୋଷ୍ଟ ଗୁଡ଼ିକ ନିକଟରେ ଜେବ୍ରା କ୍ରସିଂ ଅଛି, କିନ୍ତୁ ଲାଲବତୀ ଦେଖି ଗାଡ଼ି ମଟରଗୁଡ଼ିକ ସେଠାରେ ଯାଇ ଜେବ୍ରା କ୍ରସିଂ ଉପରେ ହିଁ ଅଟକୁଛନ୍ତି। ଗାଡ଼ି ମଟରଗୁଡ଼ିକ ପାଇଁ ଥିବା ୟୁ-ଟର୍ଣ୍ଣଠାରେ ବି ପଦଚାରୀମାନେ ରାସ୍ତା ପାରି ହୋଇପାରିବେ ନାହିଁ। ସ୍ଥଳ ବିଶେଷରେ ଟ୍ରାଫିକ ଛକ ହେଉ କିମ୍ବା ୟୁ-ଟର୍ଣ୍ଣ, ଏଗୁଡ଼ିକ ଜଣେ ପଦଚାରୀଙ୍କ ଗନ୍ତବ୍ୟସ୍ଥଳଠାରୁ ବହୁ ଦୂରରେ ମଧ୍ୟ ଥାଇପାରେ। ତେବେ ସେ ରାସ୍ତା ପାର କେମିତି ହେବ?

ବିଶ୍ଵର ବଡ଼ ବଡ଼ ସହରରେ ପଦଚାରୀ ଓ ସାଇକେଲ ଆରୋହୀମାନଙ୍କ ପାଇଁ ଗୋଟିଏ ରାସ୍ତାର ଏକାଧିକ ସ୍ଥାନରେ ସ୍ଵତନ୍ତ୍ର ଜେବ୍ରା ଲାଇନ ସହ ଟ୍ରାଫିକ ଆଲୋକ ବ୍ୟବସ୍ଥା ମଧ୍ୟ ରହିଛି। ଯେଉଁ ଜେବ୍ରା ଲାଇନଠାରେ ଟ୍ରାଫିକ ଆଲୋକ ବ୍ୟବସ୍ଥା ରହିନାହିଁ ସେଠାରେ ରାସ୍ତା ପାର ହେବା ପାଇଁ ପଦଚାରୀ ଓ ସାଇକେଲ ଆରୋହୀମାନଙ୍କୁ ପ୍ରାଥମିକତା ଦିଆ ଯାଇଥାଏ। ଏପରିକି ହଠାତ ଜଣେ ପଦଚାରୀ ପଶି ଆସିଲେ କେବଳ ଗାଡ଼ି ମଟର ନୁହେଁ, ଟ୍ରାମ ଓ ବସ୍ ମଧ୍ୟ ଅଟକି ରହି ପଦଚାରୀଙ୍କୁ ପ୍ରଥମେ ଯିବାକୁ ଦେଇଥାନ୍ତି।

ବିଶ୍ଵର ବଡ଼ ବଡ଼ ସହର କଥା ଛାଡ଼ି ମୁମ୍ବାଇ ସହରର ଉଦାହରଣ ନିଆଯାଉ। ଏହା ଏକ ବ୍ୟସ୍ତ ବହୁଳ ସହର। ଗାଡ଼ି ମଟର ସଂଖ୍ୟା ମଧ୍ୟ ଅତି ପ୍ରବଳ। ତେବେ ବି ସେଠାରେ ମୁଖ୍ୟ ରାସ୍ତାର ଡିଭାଇଡରଗୁଡ଼ିକ ମଝିରେ ମଝିରେ ପଥଚାରୀମାନଙ୍କ ପାଇଁ ବାଟ ରହିଥାଏ। କିଛି ପଥଚାରୀ ଏକାଠି ହୋଇଗଲା ପରେ ସମସ୍ତେ ମିଶି ରାସ୍ତା ପାର ହୁଅନ୍ତି। ସେଭଳି ବ୍ୟବସ୍ଥା ମଧ୍ୟ ଆମ ତଥାକଥିତ ସ୍ମାର୍ଟ ସିଟିରେ ଏ ପର୍ଯ୍ୟନ୍ତ ହୋଇନାହିଁ।

ହଁ, ଆମ ସ୍ମାର୍ଟ ସିଟିର ଯୋଜନା ପ୍ରଣୟନକାରୀମାନେ ପାଲ ହାଇଟସ ନିକଟରେ ପଥଚାରୀମାନେ ରାସ୍ତା ପାରି ହେବା ପାଇଁ ଗୋଟିଏ ଫୁଟ ଓଭର ବ୍ରିଜ କରିଛନ୍ତି। କିନ୍ତୁ ତା’ର ଅବସ୍ଥିତି ଏପରି ଏକ ସ୍ଥାନରେ ହୋଇଛି ଯେ ସେଥିରେ ଚଢ଼ି କେହି ରାସ୍ତା ପାର ହେଉଥିବାର ଦେଖାଯାଉ ନାହିଁ। ଏହାକୁ ଜୟଦେବ ବିହାର ଛକ ନିକଟରେ କରିଥିଲେ ବରଂ ଲୋକେ ନିଶ୍ଚୟ ବ୍ୟବହାର କରି ଉପକୃତ ହୋଇଥାନ୍ତେ ବୋଲି ଅଧିକାଂଶ ଲୋକ ମତ ଦିଅନ୍ତି। କାରଣ ଜୟଦେବ ବିହାର ଛକ ହେଉଛି ଏହି ସମୁଦାୟ ଅଞ୍ଚଳର ପ୍ରବେଶ ଓ ପ୍ରସ୍ଥାନ ସ୍ଥାନ। ତେବେ ଟ୍ରାଫିକ ନିୟନ୍ତ୍ରଣ ପାଇଁ ଏଠାକାର ରାସ୍ତାକୁ ଡିଭାଇଡର ଦ୍ଵାରା ବନ୍ଦ କରିଦିଆଯାଇଛି।

ଲୋକମାନଙ୍କୁ ଏଠାରେ ରାସ୍ତା ପାର ହେବାରୁ ନିରୁତ୍ସାହିତ କରିବା ପାଇଁ ଡିଭାଇଡର ଉପର ଭାଗକୁ ଗଡ଼ାଣିଆ କରାଯାଇଛି। କିନ୍ତୁ ଲୋକେ କୌଣସି ପ୍ରକାର ପ୍ରତିରୋଧକୁ ଭୃକ୍ଷେପ ନକରି ଜୀବନକୁ ପାଣି ଛଡ଼ାଇ ଡିଭାଇଡର ଉପରେ ଚଢି ଏଠାରେ ରାସ୍ତା ପାର ହେଇ ଯିବା ଆସିବା କରୁଛନ୍ତି। କିନ୍ତୁ ସେଥିପ୍ରତି କାହାରି ନିଘା ନାହିଁ। ବରଂ ତେଲିଆ ମୁଣ୍ଡରେ ତେଲ ମାରିବା ନ୍ୟାୟରେ ପାଲ୍‌ ହାଇଟସକୁ ସୁବିଧାରେ ଯିବା ଆସିବା କରିବା ପାଇଁ ସେଠାରେ ଏହି ଫୁଟ ଓଭର ବ୍ରିଜଟି ତିଆରି କରା ଯାଇଛି।

ଅବଶ୍ୟ ପାଲ ହାଇଟସ ପରି ମଲ ଓ ହୋଟେଲ ନିକଟରେ ଏହି ଫୁଟ ଓଭର ବ୍ରିଜଟି କରିବା ଦ୍ଵାରା ବିଡିଏ ଓ ବିଏମସି କର୍ତ୍ତୃପକ୍ଷଙ୍କର ଗୋଟିଏ ବଡ଼ ଲାଭ ହୋଇଛି। ଏହି ଫୁଟ ଓଭର ବ୍ରିଜଟିର ଉଭୟ ପାର୍ଶ୍ଵରେ ବହୁ ନାମୀଦାମୀ ବିଜ୍ଞାପନ ସ୍ଥାନିତ କରି ରାଜକୋଷର ଆୟବୃଦ୍ଧି କରାଯାଇ ପାରୁଛି। ତେଣିକି ଲୋକେ ହଇରାଣ ହେଲେ ହୁଅନ୍ତୁ। ତେବେ ଏହି ଉଭୟ କର୍ତ୍ତୃପକ୍ଷ ଭୁଲି ଯାଉଛନ୍ତି ଯେ କରଦାତାମାନଙ୍କ ପଇସାରେ ହିଁ ଏହି ଫୁଟ ଓଭର ବ୍ରିଜଟି ତିଆରି କରା ଯାଇଛି, ଯାହାକି ସର୍ବ ପ୍ରଥମେ ସେହିମାନଙ୍କ ବ୍ୟବହାରରେ ଲାଗିବା ଦରକାର।

ସମ୍ପ୍ରତି କଳିଙ୍ଗ ଷ୍ଟାଡିୟମ ନିକଟରେ ଏଠାରେ ହେବାକୁ ଥିବା ହକି ମହାକୁମ୍ଭକୁ ଦୃଷ୍ଟିରେ ରଖି ଦୁଇ ଦୁଇଟି ଫୁଟ ଓଭର ବ୍ରିଜ ଯୁଦ୍ଧକାଳୀନ ଭିତ୍ତିରେ ତିଆରି ଚାଲିଛି। କଳିଙ୍ଗ ଷ୍ଟାଡିୟମର ବିପରୀତ ପାର୍ଶ୍ଵରୁ ଷ୍ଟାଡିୟମ ଭିତରକୁ ପ୍ରବେଶ କରିବା ପାଇଁ ଏହି ଫୁଟ ଓଭର ବ୍ରିଜ ଦୁଇଟି ନିଶ୍ଚୟ ଅତି ସହାୟକ ହେବ।

କିନ୍ତୁ ରାଜଧାନୀ ଭୁବନେଶ୍ଵରରେ ଦୈନନ୍ଦିନ ଜୀବନ ବିତାଉଥିବା ପଥଚାରୀମାନେ ଏଠାକାର ଅନ୍ୟତ୍ର ଥିବା ପ୍ରଶସ୍ତ ରାସ୍ତାଗୁଡ଼ିକୁ କିପରି ସହଜରେ ପାରି ହେବେ ସେ ଦିଗରେ ସରକାର ତୁରନ୍ତ ସମୁଚିତ ପଦକ୍ଷେପ ନେବା ଅତି ଜରୁରୀ।

(ଲେଖକ ଜଣେ ବରିଷ୍ଠ ସାମ୍ବାଦିକ ତଥା ଜାତୀୟ ପୁରସ୍କାରପ୍ରାପ୍ତ ଚଳଚିତ୍ର ନିର୍ଦ୍ଦେଶକ) 

Comment