ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ପାର୍ବତୀଗିରି ମେଗା ଉଠା ଜଳସେଚନ ପ୍ରକଳ୍ପ ଲୋକାର୍ପିତ କରିଛନ୍ତି। ସଚିବାଳୟରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ଏହି ପ୍ରକଳ୍ପ ଶୁଭାରମ୍ଭ କରିଛନ୍ତି।

୯ଟି ଜିଲ୍ଲାର ଅତିରିକ୍ତ ୫୦ ହଜାର ହେକ୍ଟର ଚାଷଜମିକୁ ଜଳ ସେଚନ କରିବା ପାଇଁ ଏହି ପ୍ରକଳ୍ପ ସହାୟତା କରିବ।

ଗଜପତି, କଳାହାଣ୍ଡି, ନବରଙ୍ଗପୁର, ବରଗଡ଼, ସୋନପୁର, ବଲାଙ୍ଗିର, ଝାରସୁଗୁଡ଼ା, ସମ୍ବଲପୁର, ବୌଦ୍ଧ ଜିଲ୍ଲାର ଚାଷୀମାନେ ଏହି ପ୍ରକଳ୍ପ ଦ୍ୱାରା ଉପକୃତ ହେବେ।

“ପାର୍ବତୀ ଗିରି ବୃହତ ଉଠା ଜଳସେଚନ ପ୍ରକଳ୍ପ ଆଜିଠାରୁ କାର୍ଯ୍ୟକ୍ଷମ ହେଲା। ୧୯୯ଟି ବୃହତ ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ୩ ଲକ୍ଷ ହେକ୍ଟର ଅତିରିକ୍ତ ଜଳସେଚନ ସୁବିଧା ମିଳିବ। ଏହି ଉଠା ଜଳସେଚନ ପ୍ରକଳ୍ପ ଜରିଆରେ ଆରମ୍ଭ କରାଯାଇଥିବା ୧୭୦ଟି ପ୍ରକଳ୍ପ ମଧ୍ୟରୁ ୪୬ଟି ପ୍ରକଳ୍ପର କାମ ଶେଷ ହୋଇଛି। ୨୦୧୯ ଶେଷ ସୁଦ୍ଧା ଆଉ ୯୦ଟି ପ୍ରକଳ୍ପ ସମ୍ପୂର୍ଣ୍ଣ କରାଯାଇ ୧ ଲକ୍ଷ ହେକ୍ଟରରୁ ଅଧିକ ଚାଷଜମିକୁ ପାଣି ଯୋଗାଣର ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର”, କହିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଅଗାମୀ ୫ ବର୍ଷ ଭିତରେ ଅଧିକରୁ ଅଧିକ ଚାଷୀଙ୍କୁ ଏହି ଯୋଜନାରେ ସାମିଲ କରାଯିବ। ଏଥିପାଇଁ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ।

ଭିଡିଓ କନଫରେନ୍ସଂ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ଚାଷୀମାନଙ୍କ ସହ ଭାବ ବିନିମୟ କରିଥିଲେ। ଏହି ଅବସରରେ ସେ ଜଳସେଚନ ପ୍ରକଳ୍ପ ଉପରେ ଏକ ପୁସ୍ତକ ଉନ୍ମୋଚନ କରିଥିଲେ।

ଏହି ଅବସରରେ ବିରୋଧୀ ଦଳ ନେତା ନରସିଂହ ମିଶ୍ର ଏବଂ ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ମଧ୍ୟ ଉପସ୍ଥିତ ଥିଲେ।

Comment