ଓଡ଼ିଶାଲାଇଭ୍‌ ବ୍ୟୁରୋ

ବନ୍ୟା ପ୍ରଭାବିତ ୩ଟି ଜିଲ୍ଲା ପାଇଁ ରିଲିଫ୍ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଭଦ୍ରକ, ଯାଜପୁର ଓ କେନ୍ଦ୍ରାପଡ଼ା ଜିଲ୍ଲାର ବନ୍ୟା ପ୍ରଭାବିତଙ୍କ ପାଇଁ ରିଲିଫ୍ ମିଳିବ। ବୟସ୍କମାନଙ୍କୁ ଦୈନିକ ୬୦ ଟଙ୍କା ଏବଂ ୧୨ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କୁ ୪୫ ଟଙ୍କା ହିସାବରେ ରିଲିଫ୍ ପ୍ରଦାନ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଗୃହପାଳିତ ପଶୁଙ୍କୁ ମାଗଣା ଚିକିତ୍ସା ସହ ଟୀକାକରଣ କରିବାକୁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି।

ମୁଖ୍ୟମନ୍ତ୍ରୀ ଆଜି ସଚିବାଳୟରେ ସମ୍ପର୍କରେ ଭିଡିଓ କନଫରେନ୍ସିଂ ଜରିଆରେ ତିନି ଜିଲ୍ଲାର ବନ୍ୟା ସ୍ଥିତି ସମୀକ୍ଷା କରିଥିଲେ।

ବ୍ରାହ୍ମଣୀ ନଦୀରେ ଆସିଥିବା ବନ୍ୟାରେ ୧୭ଟି ବ୍ଲକ, ୪ଟି ପୌର ପରିଷଦ ଏବଂ ୯୦୩ଟି ଗାଁ ପ୍ରଭାବିତ ହୋଇଛି। ସାଢ଼େ ୭ ଲକ୍ଷ ଲୋକ ବନ୍ୟାରେ ପ୍ରଭାବିତ ହୋଇଥିବା ଜଣାପଡ଼ିଛି।

୫୦ ହେକ୍ଟର ଚାଷଜମି କ୍ଷତିଗ୍ରସ୍ତ ହୋଇଥିବା ବେଳେ ୪୦ ହଜାର ଲୋକଙ୍କୁ ନିରାପଦ ସ୍ଥାନକୁ ସ୍ଥାନାନ୍ତର କରାଯାଇ ରନ୍ଧାଖାଦ୍ୟ ଦିଆଯାଉଛି।

ବନ୍ୟା ପ୍ରଭାବିତ ୩ ଜିଲ୍ଲାରେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ମାଗଣା ଚିକିତ୍ସା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ। ଲୋକମାନଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଇ ଦେବାକୁ ମୁଖ୍ୟମନ୍ତ୍ରୀ ସମୀକ୍ଷା ବୈଠକରେ କହିଛନ୍ତି।

ବନ୍ୟା କ୍ଷୟକ୍ଷତିର ଆକଳନ କରିବା ପାଇଁ ମୁଖ୍ୟମନ୍ତ୍ରୀ ସଂପୃକ୍ତ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comment