ବ୍ରହ୍ମପୁରରୁ ଦୀପକ କୁମାର ପଣ୍ଡା

ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ଥିଲା। ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଛି ପୋଲିସ।

ବ୍ରହ୍ମପୁର ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ଗୌଡ଼ଙ୍କ ହତ୍ୟାକାଣ୍ଡ ଉପରୁ ଧିରେ ଧିରେ ପରଦା ହଟୁଛି। ତ୍ରିକୋଣୀୟ ପ୍ରେମଜନିତ କାରଣରୁ ଏହି ହତ୍ୟାକାଣ୍ଡ ଘଟିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ପୋଲିସ ଏକ ବେନାମୀ ଫୋନ କଲ୍‌କୁ ଟ୍ରାକ୍‌ କରି ଏହି ହତ୍ୟାକାଣ୍ଡର ରହସ୍ୟ ଉପରୁ ପର୍ଦ୍ଦା ଉଠାଇଛି।

ଏହି ହତ୍ୟାକାଣ୍ଡର ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ଡାକ୍ତର ହୃଷିକେଶ ତ୍ରିପାଠୀ ଫେରାର୍ ହୋଇଯାଇଛନ୍ତି। ଏପଟେ ଡାକ୍ତରଙ୍କ ଡ୍ରାଇଭର ଶାନ୍ତନୁ ପାତ୍ର, ମାଳି ଗଙ୍ଗାଧର ବେହେରାଙ୍କୁ ପୋଲିସ କାବୁ କରି ଜେରା କରିବା ପରେ ସତ ଓଗାଳିଛନ୍ତି ମାଳି ଗଙ୍ଗାଧର।

ଘଟଣା ଦିନ ବିଷ୍ଣୁଙ୍କ ଖଣ୍ଡ ବିଖଣ୍ଡିତ ଶବକୁ ଡ୍ରାଇଭର ସହ କାରରେ ନେଇ ବଡ଼ଗୁମଳା ଗ୍ରାମ ନିକଟରେ ଥିବା ଏକ ଜମିରେ କ୍ଲିନିକର ବର୍ଜ୍ୟବସ୍ତୁ ପୋତିବା ପାଇଁ ଡାକ୍ତର ନିର୍ମାଣ କରିଥିବା କୂଅରେ ପୋତି ଦେଇଥିବା ସ୍ୱୀକାର କରିଛି ମାଳି। ପୋଲିସ ମୃତ ଶବକୁ ଉଦ୍ଧାର କରି ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡର ରହସ୍ୟ ଉନ୍ମୋଚନ କରୁଛି।

କେମିତି ହୋଇଥିଲା ହତ୍ୟାକାଣ୍ଡ?

ପୋଲିସର କହିବା କଥା ହେଉଛି ଗତ କିଛିଦିନ ତଳେ ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁଙ୍କୁ ହତ୍ୟା କରିବା ପାଇଁ ଡାକ୍ତର ତ୍ରିପାଠୀ ଯୋଜନା କରିଥିଲେ। ହେଲେ ତାହା ସଫଳ ହୋଇପାରୁ ନଥିଲା। ୧୯ ତାରିଖରେ ଏହି ଯୋଜନା ଡାକ୍ତରଙ୍କର ସଫଳ ହୋଇଥିଲା।

୧୯ ତାରିଖ ଦିନ ଡାକ୍ତର ତ୍ରିପାଠୀଙ୍କ ପତ୍ନୀ ଘରେ ନଥିଲେ। ଏହି ସୁଯୋଗରେ ଡାକ୍ତର ବିଷ୍ଣୁଙ୍କୁ ତାଙ୍କ ଘରକୁ ଡାକିଥିଲେ। କ୍ଲୋରଫର୍ମ ସୁଙ୍ଘାଇ ବେହୋସ କରିବା ପରେ ପୁଣି ନିଶା ଇଞ୍ଜକ୍ସନ ଦେଇ ସମ୍ପୂର୍ଣ୍ଣ ଭାବେ ନିସ୍ତେଜ କରିଦେଇଥିଲେ। ପରେ ବିଷ୍ଣୁଙ୍କ ଦୁଇଟି ଗୋଡ଼କୁ ଅଣ୍ଟାରୁ ଅଲଗା କରି ଦେଇଥିଲେ। ପରେ ଶରୀରରୁ ମୁଣ୍ଡ ମଧ୍ୟ ଅଲଗା କରିଥିଲେ ଡାକ୍ତର। ରକ୍ତ ବନ୍ଦ ହେବା ପାଇଁ ଡାକ୍ତରୀ ପଦ୍ଧତିରେ ବ୍ୟବସ୍ଥା କରିଥିଲେ ସେ।

ରକ୍ତ ନିର୍ଗତ ବନ୍ଦ ହେବା ପରେ ପ୍ରଥମେ ଶରୀରକୁ ଏକ ଅଖାରେ ଭର୍ତ୍ତି କରିଥିଲେ। ପରେ ମୁଣ୍ଡ ଏବଂ ଗୋଡ଼ ଦୁଇଟିକୁ ଭର୍ତ୍ତି କରିଥିଲେ ଅଖାରେ। ଅଖାକୁ ନିଜ କାର ଡିକିରେ ରଖି ଏକ ନିକାଞ୍ଚନ ଅଞ୍ଚଳକୁ ପୋତିବାକୁ ନେଇ ଥିଲେ ବୋଲି ପୋଲିସ କହିଛି।

ପୋଲିସର ଏହି ସୂଚନା ପରେ ସାଇଣ୍ଟିଫିକ୍ ଟିମ୍‌ ଡାକ୍ତରଙ୍କ ଘରେ ପଶି ତନ୍ନ ତନ୍ନ ଯାଞ୍ଚ ଆରମ୍ଭ କରିଛି।

ତ୍ରିକୋଣୀୟ ପ୍ରେମ!

ବ୍ରହ୍ମପୁରର ଏହି ନୃଶଂସ ହତ୍ୟାକାଣ୍ଡ ପଛରେ ପ୍ରେମ ସମ୍ପର୍କ ମୁଖ୍ୟ କାରଣ ବୋଲି କୁହାଯାଉଛି। ଜଣେ ନର୍ସଙ୍କ ପାଇଁ ଏଭଳି କାଣ୍ଡ ଘଟିଥିବା ଚର୍ଚ୍ଚା ହେଉଛି।

ବ୍ୟାଙ୍କ ଏଜେଣ୍ଟ ବିଷ୍ଣୁ ବିବାହ କରିଥିଲେ ମଧ୍ୟ ନର୍ସ ମମତାଙ୍କ ପ୍ରେମ ଜାଲରେ ପଡ଼ିଥିଲେ। ୮ ବର୍ଷ ତଳୁ ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ିଉଠିଥିଲା। ଏ ସମ୍ପର୍କରେ ବିଷ୍ଣୁଙ୍କ ପରିବାର ଲୋକେ ଜାଣିଥିଲେ।

ପରେ ନର୍ସ ଜଣକ ଡାକ୍ତର ହୃଷିକେଶ ତ୍ରିପାଠୀଙ୍କ କ୍ଲିନିକରେ ଯୋଗ ଦେଇଥିଲେ। କ୍ଲିନିକରେ କାମ କରୁଥିବା ବେଳେ ଡାକ୍ତର ତ୍ରିପାଠୀ ଏବଂ ନର୍ସଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା ହେଲେ ବିଷ୍ଣୁ ମଧ୍ୟ ଏହି ନର୍ସଙ୍କୁ ଭଲ ପାଉଥିବା ଜଣାପଡ଼ିବା ପରେ ଡାକ୍ତର ରାଗରେ ଜଳିଥିଲେ। ଏମିତିକି ଡାକ୍ତର ଏବଂ ବିଷ୍ଣୁଙ୍କ ମଧ୍ୟରେ କଥା କଟାକଟି ମଧ୍ୟ ହୋଇଥିଲା।

ଡାକ୍ତର ଖଲ୍ଲିକୋଟ ଯାଇ ବିଷ୍ଣୁଙ୍କ ପରିବାର ଲୋକଙ୍କୁ ମଧ୍ୟ ଧମକାଇଥିଲେ। ଅଭିଯୋଗ ଥାନାରେ ପହଞ୍ଚିଥିଲା। ହେଲେ କୌଣସି ସମାଧାନ ହୋଇପାରି ନଥିଲା। ନର୍ସଙ୍କୁ ନେଇ ବିଷ୍ଣୁ ଓ ଡାକ୍ତରଙ୍କ ଭିତରେ ମହାଭରତ ସୃଷ୍ଟି ହୋଇଥିଲା। ହେଲେ ବିଷ୍ଣୁ ନର୍ସଙ୍କୁ ଛାଡ଼ିପାରି ନଥିଲେ। ଶେଷରେ ନର୍ସଙ୍କୁ ପାଇବା ପାଇଁ ଡାକ୍ତର ବିଷ୍ଣୁଙ୍କୁ ହଟାଇବା ଲାଗି ଯୋଜନା କଲେ।

ପୋଲିସକୁ ଚକ୍‌ମା ଦେଲେ ଡାକ୍ତର

ବ୍ୟାଙ୍କ ଏଜେଣ୍ଟ  ବିଷ୍ଣୁ ଗୌଡ଼ ନିଖୋଜ ଘଟଣା ଥାନାରେ ପହଞ୍ଚିଥିଲା। ଏଥିରେ ଡାକ୍ତର ଏବଂ ନର୍ସଙ୍କ ହାତ ଥିବା ଅଭିଯୋଗ କରିଥିଲେ ପରିବାର ଲୋକ। ପୁଲିସ ଅଭିଯୋଗ ପାଇବା ପରେ ଡାକ୍ତର ଏବଂ ନର୍ସଙ୍କୁ ଡାକି ଜେରା କରିଥିଲା। ଦୀର୍ଘ ୧୦ ଦିନ ଧରି ପୋଲିସ ଜେରା କରିଥିଲେ ସୁଦ୍ଧା ଡାକ୍ତରଙ୍କଠାରୁ କୌଣସି ସୁରାଗ ପାଇପାରିନଥିଲା।

ଏପରିକି ଡାକ୍ତର ନିଜକୁ ଜଣେ ଡାଇବେଟିସ ଏବଂ ବ୍ଲଡପ୍ରେସର ରୋଗୀ ବୋଲି କହିଥିଲେ। ତେଣୁ ପୋଲିସ ଡାକ୍ତରଙ୍କ ଉପରେ କୌଣସି ଚାପ ପକାଇବା ପାଇଁ  ମଧ୍ୟ ସାହସ କରିନଥିଲା।

ଏଣେ ଡାକ୍ତରଙ୍କୁ ଛାଡ଼ି ଦେବା ପାଇଁ ସହରର ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ପୋଲିସକୁ ଅନୁରୋଧ କରିଥିଲେ। ଫଳରେ ଡାକ୍ତର ଖସି ଆସିଥିଲେ। ପରେ ଡାକ୍ତର ସହର ଛାଡ଼ି ଫେରାର ହୋଇଯାଇଥିଲେ।

ମାତ୍ର ୩୫୦ ଟଙ୍କା ପାଇଁ ଶବକୁ ପୋତିଲା ମାଳି

ବିଷ୍ଣୁ ଗୌଡ଼କୁ ନିର୍ମମ ଭାବେ ହତ୍ୟା କରିବା ପରେ ଡାକ୍ତର ଏହି ଶବକୁ କିପରି ବାହାରେ ଫିଙ୍ଗିବେ ତାକୁ ନେଇ ଚିନ୍ତାରେ ପଡ଼ିଥିଲେ। ହେଲେ ଉପାୟ ବାହାର କରି ଡାକ୍ତର ହଠାତ୍ ଗେଟ୍ ବଜାର ଯାଇ ମାଳି ଗଙ୍ଗାକୁ ଡାକି ଆଣିଥିଲେ। କ୍ଲିନିକର କିଛି ବର୍ଜ୍ୟବସ୍ତୁ ଏବଂ ଅଳିଆକୁ ନେଇ ବଡ଼ଗୁମଳାରେ ପୋତି ଦେବା ପାଇଁ କହିବା ସହ ଏକ ଖଣ୍ଡବିଖଣ୍ଡିତ ଶବ ମଧ୍ୟ ପୋତିବା ପାଇଁ ଗଙ୍ଗାକୁ ଡାକ୍ତର କହିଥିଲେ। ଗଙ୍ଗା ଏଥିପାଇଁ ୩୫୦ ଟଙ୍କା ଡାକ୍ତରଙ୍କୁ ମାଗିଥିଲେ। ଡାକ୍ତର ଏଥିରେ ରାଜି ମଧ୍ୟ ହୋଇଥିଲେ।

ବେନାମୀ ଫୋନକଲ୍

ବିଷ୍ଣୁଙ୍କ ହତ୍ୟା ପରେ ପୋଲିସ ନର୍ସ, ଡାକ୍ତର ଏବଂ ବିଷ୍ଣୁଙ୍କ ପରିବାର ଲୋକଙ୍କୁ ନେଇ ପଚରା ଉଚରା କରିଥିଲା ହେଲେ କିଛି ଟେର୍ ପାଇନଥିଲା। ତେବେ ଗତ ମାସ ୨ ତାରିଖରେ ଆସିଥିବା ବେନାମୀ ଫୋନକଲ୍ ହିଁ ସବୁ ରହସ୍ୟ ଖୋଲିଥିଲା।

ଡାକ୍ତର ଫେରାର ହୋଇଯିବା ପରେ ପୋଲିସ ତାଙ୍କ ମୋବାଇଲ ଟ୍ରାକ୍ କରୁଥିଲା। ତେବେ ଅଚାନକ ଡାକ୍ତରଙ୍କ ପାଖକୁ ଏକ ଅଜଣା ନମ୍ବରରୁ ଫୋନ ଆସିଥିଲା।

ଏହି ଫୋନ କରିଥିଲା ଡାକ୍ତରଙ୍କ ପୂର୍ବତନ ଡ୍ରାଇଭର ସୁଶାନ୍ତ ପାତ୍ର। ସୁଶାନ୍ତକୁ ପୋଲିସ କାବୁ କରିବାସହ ହତ୍ୟାକାଣ୍ଡ ଉପରୁ ପର୍ଦ୍ଦା ହଟାଇଛି।

କେବଳ ଡାକ୍ତର ଏବଂ ମାଳି ନୁହଁନ୍ତି ଆହୁରି ତିନି ଚାରି ଜଣ ଏହି ହାଇପ୍ରୋଫାଇଲ୍ ହତ୍ୟାକାଣ୍ଡ ସହ ସଂପୃକ୍ତ ବୋଲି ପୋଲିସ ସନ୍ଦେହ କରୁଛି। ନର୍ସଙ୍କଠାରୁ ଅଧିକ ତଥ୍ୟ ବାହାର କରିବା ପାଇଁ ପୋଲିସ ଉଦ୍ୟମ ଜାରି ରଖିଛି।

Comment