ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦାମଙ୍କ ବହିଷ୍କାର ପରେ ନୂଆ ଦଳ ଗଠନକୁ ନେଇ ବଢ଼ିଲା ଚର୍ଚ୍ଚା।

ବିଜେଡିରୁ ବହିଷ୍କୃତ ନେତା ଡାକ୍ତର ଦାମୋଦର ରାଉତଙ୍କୁ ଭେଟିଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା। ଦାମ-ବୈଜୟନ୍ତଙ୍କ ଭେଟ୍‌ଘାଟ୍‌କୁ ନେଇ ଏବେ ଚର୍ଚ୍ଚା ବଢ଼ିଛି। ୨୦୧୯ ପୂର୍ବରୁ ବିଜେଡି ସହ ସମ୍ପର୍କ ତୁଟାଇଥିବା ବୈଜୟନ୍ତ ଏବଂ ବିଜେଡିରୁ ବହିଷ୍କୃତ ନେତା ଦାମ ଗୋଟିଏ ମଞ୍ଚରେ ହାତ ମିଳାଇ ପାରନ୍ତି ବୋଲି କୁହାଯାଉଛି।

ଦାମ ଏବଂ ବୈଜୟନ୍ତ ଏହି ଭେଟ୍‌ଘାଟରେ କୌଣସି ରାଜନୀତିକ ଉଦ୍ଦେଶ୍ୟ ନାହିଁ ବୋଲି ଏଡ଼ାଇଥିଲେ ମଧ୍ୟ ରାଜନୀତି ପଣ୍ଡିତ ଏନେଇ ଭିନ୍ନ ଆକଳନ କରୁଛନ୍ତି। ୨୦୧୯ ପୂର୍ବରୁ ଏହି ଦୁଇ ପୂର୍ବତନ ବିଜେଡି ନେତା କିଛି ବଡ଼ ଧରଣର ଖେଳ ଖେଳିପାରନ୍ତି ବୋଲି ମତ ଦେଉଛନ୍ତି।

ବୈଜୟନ୍ତ ପଣ୍ଡା କହିଛନ୍ତି, “ଦାମ ବାବୁ ଜଣେ ବରିଷ୍ଠ ନେତା। ତାଙ୍କ ସହ ଯାହା କରାଗଲା ତାହା ଶୋଭନୀୟ ନୁହେଁ।”

ଏହାସହ ଦାମଙ୍କ ମନୋବଳ ବଢ଼ାଇବା ପାଇଁ ଆସିଥିବା କହିଥିଲେ ବୈଜୟନ୍ତ।

ଏପଟେ ଦାମ ବି ନୂଆ ଦଳ ଗଠନ ପ୍ରସଙ୍ଗରେ କିଛି ଖୋଲା ମନ୍ତବ୍ୟ ଦେଇ ନାହାନ୍ତି। ଆଗାମୀ ପଦକ୍ଷେପ କ’ଣ ହେବ  ତାହା ସେ ପାରାଦୀପବାସୀଙ୍କ ଉପରେ ଛାଡ଼ି ଦେଇଛନ୍ତି।

ସବୁଠୁ ବଡ଼ କଥା ହେଉଛି ଦାମଙ୍କୁ ବହିଷ୍କାର କରିବା ପରେ ବୈଜୟନ୍ତ ଟୁଥଟ କରି ବିଜେଡିକୁ ସମାଲୋଚନା କରିଥିଲେ। ଆଉ ମଧ୍ୟ ବୈଜୟନ୍ତ ହେଉଛନ୍ତି ପ୍ରଥମ ବ୍ୟକ୍ତି ଯିଏ ଦାମଙ୍କୁ ସାକ୍ଷାତ କରିଛନ୍ତି। ଏହି ଭେଟଘାଟ୍ ଏବେ ରାଜନୀତି କରିଡ଼ରରେ ଚର୍ଚ୍ଚାର ବିଷୟ ପାଲଟିଛି।

ଏକାଠି ହେବେ କି ବିଜୁ ଅନୁଗତ?

ବିଜୁ ଜନତା ଦଳରେ ଯେଉଁ କେତେଜଣ ବିଜୁ ଅମଳର ନେତା ଥିଲେ ସେମାନଙ୍କ ଭିତରେ ଦାମ ଥିଲେ ଅନ୍ୟତମ। ଦାମଙ୍କ ପାଖରେ ଦୀର୍ଘ ୪୦ ବର୍ଷର ରାଜନୀତିକ ଅଭିଜ୍ଞତା ରହିଛି। ସେ ସବୁବେଳେ ବିଜୁ ଆଦର୍ଶ କଥା କହିଥାନ୍ତି। ଏବେ ଏହି ବିଜୁ ଅନୁଗତଙ୍କୁ ଦଳରୁ ବହିଷ୍କାର କରାଯାଇଛି। ଏହା ପୂର୍ବରୁ ବିଜୁ ବାବୁଙ୍କ କଥା କହୁଥିବା କେନ୍ଦ୍ରାପଡ଼ାର ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା ମଧ୍ୟ ବିଜେଡି ସହ ସବୁ ସମ୍ପର୍କ ତୁଟାଇଛନ୍ତି।

ବିଜୁ ବାବୁଙ୍କ ପ୍ରମୁଖ ସହଯୋଗୀ ବିଜୟ ମହାପାତ୍ର, ଦିଲ୍ଲୀପ ରାୟ ମଧ୍ୟ ଦଳରୁ ବିଦା ହୋଇଛନ୍ତି। ବିଜୟ-ଦିଲ୍ଲୀପ ବିଜେପିରେ ଯୋଗ ଦେଇଥିଲେ ବି ସେମାନେ ଅଲୋଡ଼ା ହୋଇ ରହିଛନ୍ତି। ଦାମ ବିଜେଡିରୁ ବହିଷ୍କୃତ ହେବା ପରେ ବଏହି ବିଜୁ ଲିଗାସୀ ନେତାମାନେ ଗୋଟିଏ ପ୍ଲାଟଫର୍ମରେ ଏକାଠି ହୋଇପାରନ୍ତି ବୋଲି ଏବେ ଜୋରଦାର ଚର୍ଚ୍ଚା ଚାଲିଛି।

ଦାମ ମନ୍ତ୍ରିମଣ୍ଡଳରୁ ବିଦା ହେବାର କିଛିଦିନ ପୂର୍ବରୁ ଏକ ଅପୂର୍ବ ଦୃଶ୍ୟ ଦେଖିଥିଲେ ଓଡ଼ିଶାବାସୀ। ୨୦୧୭ ଡିସେମ୍ବର ୧୫ ତାରିଖରେ ଦାମ ବାବୁ ୭୬ ବର୍ଷରେ ପଦାର୍ପଣ କରିଥିଲେ। ଏଥିପାଇଁ ପାରାଦୀପରେ ଆୟୋଜିତ ହୋଇଥିଲା ସ୍ୱତନ୍ତ୍ର ଉତ୍ସବ। ଉତ୍ସବରେ ଦାମ ପହଞ୍ଚିବା ପରେ ତାଙ୍କୁ ବିଭିନ୍ନ ବର୍ଗର ଲୋକ ଫୁଲତାଡ଼ା ଦେଇ ସମ୍ବର୍ଦ୍ଧିତ କରିଥିଲେ। ହେଲେ ଏହି ଭିଡ଼ ଭିତରେ ଦେଖିବାକୁ ମିଳିଥିଲେ ବିଜେପି ନେତା ବିଜୟ ମହାପାତ୍ର। ବିଜୟ ଦାମଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଜଣାଇବା ସହ ମିଠା ଖୁଆ କୋଳେଇ ନେଇଥିଲେ। ଏହି ଚିତ୍ର କଏଦ କରିଥିଲା ଗଣମାଧ୍ୟମର କ୍ୟାମେରା। ସେତେବେଳେ ଚର୍ଚ୍ଚା ହେଲା ଯେ ରାଜ୍ୟ ରାଜନୀତିରେ ଏକ ନୂଆ ସମୀରକରଣ ବଦଳିବାକୁ ଯାଉଛି। ଏହାର କିଛିଦିନ ପରେ ଦାମ ମନ୍ତ୍ରୀପଦ ଏବଂ ବିଜେଡିର ବିଭିନ୍ନ ପଦ ପଦବୀ ହରାଇଥିଲେ।

ବିଜୁ ବିଚାର ମଞ୍ଚ ହୋଇପାରେ ରାଜନୀତିକ ଦଳ!

ବିଜେଡିରେ ପ୍ୟାରୀ ଯୁଗ ଚାଲିଥିବା ବେଳେ ବିଜୁ ଅନୁଗତ ହତାଦର ବୋଲି ଦାମ ସେତେବେଳେ ଅଭିଯୋଗ କରୁଥିଲେ। ସେ ପ୍ୟାରୀଙ୍କୁ ବିଭିନ୍ନ ସମୟରେ ଆକ୍ଷେପ ମଧ୍ୟ କରୁଥିଲେ। ବିଜେଡିରେ ପ୍ୟାରୀଙ୍କ କର୍ତ୍ତୃତ୍ବକୁ ଗ୍ରହଣ ନକରିବାରୁ ୨୦୦୭-୨୦୦୮ରେ ଦାମଙ୍କୁ ମନ୍ତ୍ରିମଣ୍ଡଳରୁ ବିତାଡ଼ିତ ହେବାକୁ ପଡ଼ିଥିଲା। ଫଳରେ ସେ ବିଜୁ ବିଚାର ମଞ୍ଚ ଗଠନ କରିଥିଲେ। ହେଲେ ୨୦୦୯ ପରେ ଏହି ମଞ୍ଚର କୌଣସି କାର୍ଯ୍ୟକ୍ରମ ଦେଖିବାକୁ ମିଳିନାହିଁ। ଏବେ ଦାମ ବିଜେଡିରୁ ବହିଷ୍କୃତ ହୋଇଥିବାରୁ ଏବଂ ବିଜୁ ଅନୁଗତ ପୁଣି ଏକାଠି ହେବେ ବୋଲି ଚର୍ଚ୍ଚା ହେଉଥିବାରୁ ପୁଣି ବିଜୁ ବିଚାର ମଞ୍ଚ ଫ୍ରଣ୍ଟଲାଇନକୁ ଆସିପାରେ ବୋଲି କୁହାଯାଉଛି। ୨୦୧୯ ପୂର୍ବରୁ ବିଜୁ ବିଚାର ମଞ୍ଚକୁ ରାଜନୀତିକ ଦଳ ରୂପ ଦେଇ ବିଜୁ ଅନୁଗତ ଏକାଠି ହୋଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।

Comment