ଓଡ଼ିଶାଲାଇଭ୍ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଓଲିଉଡର ନମ୍ବରୀ ନାୟିକା ଅନୁ ଚୌଧୁରୀ ଅନ୍ୟ ନାୟିକାଙ୍କୁ ରିପ୍ଲେସ କରିଥିଲେ। ସମ୍ପୂର୍ଣ୍ଣ ଘଟଣା ଜାଣନ୍ତୁ, କିଏ ସେହି ନାୟିକା ଓ କାହିଁକି ସେମିତି ଘଟିଥିଲା!

ଯେଉଁ ସମୟରେ ଓଲିଉଡରେ ରଚନା ବାନାର୍ଜୀ ରାଜ୍ କରୁଥିଲେ, ସେହି ସମୟରେ ଅନୁ ଚୌଧୁରୀଙ୍କ ଏଣ୍ଟ୍ରି ହୋଇଥିଲା। ଅନୁଙ୍କ ଅଭିନୀତ ପ୍ରଥମ ଓଡ଼ିଆ ସିନେମା ହେଲା ‘ମା’ ଗୋଜବାୟାଣୀ’। ଏହି ଫିଲ୍ମରେ ପ୍ରଥମେ ନାୟିକା ଭାବେ ଦେଖା ଦେଇଥିଲେ ଅନୁ।

ଅନୁ ଚୌଧୁରୀଙ୍କୁ ଓଲିଉଡରେ ବ୍ରେକ୍ ଦେଇଥିଲେ ନିର୍ମାତା ସନକ ଦେବତା। ‘ମା’ ଗୋଜବାୟାଣୀ’ର ନିର୍ଦ୍ଦେଶନା ଦେଇଥିଲେ ବସନ୍ତ ସାହୁ। ଏଥିରେ ମନୋଜ ପଣ୍ଡା, କୁନା ତ୍ରିପାଠୀ ଓ ପ୍ରିୟମ୍ବଦା ରାୟ ପ୍ରମୁଖ ମଧ୍ୟ ଅଭିନୟ କରିଥିଲେ। ଅନୁ ଚୌଧୁରୀଙ୍କ ଅଭିନୀତ ଏହି ସିନେମା ସୁପରହିଟ୍ ହୋଇଥିଲା।

‘ମା’ ଗୋଜବାୟାଣୀ’ ପରେ ନିର୍ମାତା ସନକ ଦେବତା ନିର୍ମାଣ କରିଥିଲେ ‘ମା ଓ ମମତା’। ଏହି ସିନେମାରେ ବି ଅନୁ ଚୌଧୁରୀଙ୍କୁ ନିଆଯାଇଥିଲା ନାୟିକା ଭୂମିକାରେ। ଏଥିରେ ସିଦ୍ଧାନ୍ତଙ୍କ ସହ ନଜର ଆସିଥିଲେ ଅନୁ। ଏହାର ନିର୍ଦ୍ଦେଶନା ଦେଇଥିଲେ ଜ୍ୟୋତି ପ୍ରକାଶ।

‘ମା ଓ ମମତା’ ପରେ ପ୍ରଯୋଜକ ସନକ ଦେବତା ନିର୍ଦ୍ଦେଶନା କ୍ଷେତ୍ରକୁ ଆସିଥିଲେ। ସେ ଏକ ନୂଆ ସିନେମା ନିର୍ମାଣ କରିଥିଲେ ‘ପୁଅ ମୋର ଜଗତଜିତା’। ଏହି ସିନେମାରେ କିନ୍ତୁ ପ୍ରଯୋଜକ – ନିର୍ଦ୍ଦେଶକ ସନକ ଦେବତା ପ୍ରଥମେ ନାୟିକା ଭାବେ ନେଇଥିଲେ ରେଖା ଜୈନଙ୍କୁ। ସେତେବେଳେ ରେଖା ଥିଲେ ମଡେଲ୍‌।

ରେଖା ଜୈନ୍‌ଙ୍କୁ ‘ପୁଅ ମୋର ଜଗତଜିତା’ରେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନିଆଯାଇଥିଲା। ତା’ ଭିତରେ ଫିଲ୍ମର ସୁଟିଂ ଆରମ୍ଭ ହେବା ଲାଗି ତାରିଖ ସ୍ଥିରୀକୃତ ହେଲା। ସୁଟିଂ ଆରମ୍ଭ ହେବାର କିଛି ଦିନ ପୂର୍ବରୁ ରେଖା ଏକ ମର୍ମନ୍ତୁଦ ଦୁର୍ଘଟଣାର ଶିକାର ହୋଇଥିଲେ। ସେହି ଦୁର୍ଘଟଣାରେ ରେଖାଙ୍କର ଏଭଳି ବ୍ୟବସ୍ଥା ଦେଖି ପ୍ରଯୋଜକ – ନିର୍ଦ୍ଦେଶକ ସନକ ଦେବତା ନାୟିକାଙ୍କୁ ବଦଳାଇବାକୁ ବାଧ୍ୟ ହୋଇଥିଲେ। ସେତେବେଳେ ସେ ଚିନ୍ତା କରିଥିଲେ ରେଖା ଜୈନଙ୍କ ଜାଗାରେ କାହାକୁ ନେବେ।

ସେତେବେଳେ ସନକ ଦେବତାଙ୍କ ଆଖି ଆଗରେ ନାଚିଲେ ଅନୁ ଚୌଧୁରୀ। ଏହା ପରେ ସନକ ଅନୁଙ୍କୁ ‘ପୁଅ ମୋର ଜଗତଜିତା’ରେ ନାୟିକା ଭୂମିକା ଲାଗି ଅଫର୍ ଦେଲେ। ଅନୁ ବି ମନା କରିଲେ ନାହିଁ। ଏପରି ଭାବେ ରେଖା ଜୈନଙ୍କ ସ୍ଥାନରେ ଅନୁ ଚୌଧୁରୀ ଆସିଥିଲେ।

ଠିକ୍ ସେହିପରି ଅନ୍ୟ ଏକ ସିନେମା କ୍ଷେତ୍ରରେ ବି ତାହା ଘଟିଥିଲା। ଏହି ଫିଲ୍ମ ହେଲା ‘ଅଗ୍ନି ପରୀକ୍ଷା’। ଏହି ସିନେମାର ନିର୍ମାଣ ଯେତେବେଳେ ଆରମ୍ଭ ହୋଇଥିଲା, ସେତେବେଳେ ସିଦ୍ଧାନ୍ତଙ୍କ ବିପକ୍ଷରେ ନାୟିକା ଭୂମିକାରେ ନିଆଯାଇଥିଲା ରଚନା ବାନାର୍ଜୀଙ୍କୁ।

ନାରାୟଣ ରାଉତଙ୍କ ପ୍ରଯୋଜିତ ଏହି ସୂରଜ ମିଶ୍ରଙ୍କ ନିର୍ଦ୍ଦେଶିତ ସିନେମା ‘ଅଗ୍ନି ପରୀକ୍ଷା’ର ନିର୍ମାଣରେ ବିଳମ୍ବ ହେଲା। ୧୯୯୭ରେ ଏହାର କାମ ଆରମ୍ଭ ହୋଇଥିଲା। କିନ୍ତୁ ତାହା ବାଧାପ୍ରାପ୍ତ ହେଲା।

ପ୍ରାୟ ଛଅ ବର୍ଷ ପରେ ପୁଣି ‘ଅଗ୍ନି ପରୀକ୍ଷା’ର କାମ ଆରମ୍ଭ ହେଲା, ସେତେବେଳେ ରଚନା ବାନାର୍ଜୀ ଓଲିଉଡରୁ ବିଦାୟ ନେଇ ସାରିଥିଲେ। ଏଣୁ ପୁଣି ଥରେ ଆରମ୍ଭ ହେବା ବେଳକୁ ଅନ୍ୟ ନାୟିକାଙ୍କୁ ନେବା ଲାଗି ଚିନ୍ତା କରାଗଲା। ସେତେବେଳେ ସିଦ୍ଧାନ୍ତ- ଅନୁ ଚୌଧୁରୀଙ୍କ ଯୋଡ଼ି ବେଶ୍ ଲୋକପ୍ରିୟ ହୋଇସାରିଥାଏ। ଏଣୁ ରଚନାଙ୍କ ଜାଗାରେ ଅନୁ ଚୌଧୁରୀଙ୍କୁ ନିଆଯାଇଥିଲା ଫିଲ୍ମ। ‘ଅଗ୍ନି ପରୀକ୍ଷା’ ୨୦୦୪ରେ ରିଲିଜ୍ ହୋଇଥିଲା।

Comment