ଓଡ଼ିଶାଲାଇଭ୍‌ ବ୍ୟୁରୋ

  • କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଛି ଅନଶନ
  • ଅନଶନସ୍ଥଳକୁ ଆସିଲେ ପିସିସି ଟିମ୍
  • ମୃତ ଅବିନାଶ ପାଇଟାଳଙ୍କ ଗାଁରେ ସ୍ଥିତି ଅନୁଧ୍ୟାନ କଲା ଟିମ୍
  • କେନ୍ଦ୍ରାପଡ଼ା ଏସ୍‌ପିଙ୍କୁ ଭେଟିଲେ
  • ତତ୍କାଳୀନ ଆଇଆଇସିଙ୍କ ଗିରଫ ଦାବି କଲା ପିସିସି ଟିମ୍

କେନ୍ଦ୍ରାପଡ଼ା: ଅବିନାଶ ପାଇଟାଳ ଓରଫ୍ ମୂଷା ମୃତ୍ୟୁ ରହସ୍ୟ ଉପରୁ ଉଠୁନି ପରଦା। ଘଟଣାକୁ ୨୧ ଦିନ ବିତିଥିଲେ ବି ତତ୍କାଳୀନ ମହାକାଳପଡ଼ା ଥାନା ଅଧିକାରୀଙ୍କ ଗିରଫ ଦାବିରେ ଜିଲ୍ଲାପାଳଙ୍କ ଅଫିସ ଆଗରେ ଚାଲିଥିବା ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି। ଆଜି ପିସିସିର ଏକ ଟିମ୍ ଅନଶନସ୍ଥଳ, ମୂଷାଙ୍କ ଗାଁକୁ ଯାଇ ତଥ୍ୟ ସଂଗ୍ରହ କରିବା ସହ ଏସ୍‌ପିଙ୍କୁ ଭେଟିଥିଲେ। ଅଭିଯୁକ୍ତଙ୍କ ଗିରଫ ଦାବି କରିଛନ୍ତି ପିସିସି ଟିମ୍।

କେନ୍ଦ୍ରାପଡ଼ା ଜିଲା ମହାକାଳପଡ଼ା ଥାନା ପୋଲିସ ଏକ ଚୋରି ଅଭିଯୋଗରେ ମୂଷା ଓରଫ ଅବିନାଶ ପାଇଟାଳଙ୍କୁ ଗିରଫ କରିଥିଲା। ହେଲେ ମୂଷାଙ୍କର ମୃତଦେହ ଜଣକ ସିଡି ଘର ତଳୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଥିଲା। ଏହାକୁ ହତ୍ୟାକାଣ୍ଡ ଦାବି କରି ପରିବାର ଲୋକ ମହାକାଳପଡ଼ା ଥାନାର ପୂର୍ବତନ ଆଇଆଇସି ଶ୍ୟାମଘନ ବେହେରାଙ୍କ ନାଁରେ  ନରହତ୍ୟା ମାମଲା ରୁଜୁ କରିଥିଲେ। ଶ୍ୟାମଘନକୁ ପୋଲିସ ଡିଜି ନିଲମ୍ବନ କରିବା ସହ କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଥିଲେ।

ହେଲେ ତଦନ୍ତରେ ଶିଥିଳତା ଯୋଗୁଁ ମୃତ୍ୟୁ ରହସ୍ୟ ଉପରୁ ପରଦା ହଟିପାରୁନି। ଫଳରେ ତତ୍କାଳୀନ ଆଇଆଇସି ଶ୍ୟାମଘନ ବେହେରାଙ୍କ ଗିରଫ ଦାବିରେ ମୃତ ଅବିନାଶଙ୍କ ପରିବାର ଓ ଗ୍ରାମବାସୀଙ୍କ ଆନ୍ଦୋଳନ ତୀବ୍ର ହୋଇଛି।

କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଅବିନାଶଙ୍କ ସ୍ତ୍ରୀ ଓ ତାଙ୍କର ଦେଢ ବର୍ଷର କୁନି ପୁଅ ବି ଅନଶନରେ ସାମିଲ ହୋଇଛନ୍ତି। ଆଜି ଅନଶନ ଚତୁର୍ଥ ଦିନରେ ପହଞ୍ଚିଛି। ଅନଶନସ୍ଥଳରେ ପିସିସିର ତଥ୍ୟ ଅନୁସନ୍ଧାନକାରୀ ଦଳ  ପହଞ୍ଚି ଘଟଣା ସମ୍ପର୍କରେ ପଚାରି ବୁଝିଥିଲେ।

ଏହି ଦଳରେ ସାମିଲ ଥିଲେ ପିସିସି ଆଇନ ସେଲର ଅଧ୍ୟକ୍ଷ ତଥା ବରିଷ୍ଠ ଆଇନଜୀବୀ ଧରଣୀଧର ନାୟକ, ପୂର୍ବତନ ପୋଲିସ ଆଇଜି ବଟକୃଷ୍ଣ ତ୍ରିପାଠୀ ଓ ପିସିସି ସଂପାଦକ ଶିବାନନ୍ଦ ରାୟ। ପିସିସିର ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ସହିତ ସାମିଲ ହୋଇଥିଲେ କେନ୍ଦ୍ରାପଡ଼ା ଜିଲ୍ଲାର ବହୁ ବରିଷ୍ଠ କଂଗ୍ରେସ ନେତା।

ଅନଶନସ୍ଥଳରେ ଅବିନାଶଙ୍କ ପରିବାର ଲୋକମାନଙ୍କ ସହିତ ପିସିସି ଟିମ୍ ଘଟଣା ସମ୍ପର୍କରେ ଆଲୋଚନା କରିବା ସହ ଅବିନାଶଙ୍କ ଗାଁ ବାଲଣାକୁ ଯାଇ ଗ୍ରାମବାସୀମାନଙ୍କ ସହିତ ଆଲୋଚନା କରିଥିଲେ। ଏହାପରେ ସେମାନେ ଅବିନାଶର ମୃତାଦେହ ଠାବ କରାଯାଇଥିବା ସ୍ଥାନକୁ ଯାଇ ସ୍ଥିତି ଅନୁଧ୍ୟାନ କରିଥିଲେ। ଘଟଣା ସମ୍ପର୍କରେ ସବିଶେଷ ତଥ୍ୟ ହାସଲ କରିବା ପରେ ଏହି ଟିମ୍ କେନ୍ଦ୍ରାପଡ଼ା ଏସପିଙ୍କୁ ଭେଟି ପୂର୍ବତନ ଆଇଆଇସି ଶ୍ୟାମଘନ ବେହେରାଙ୍କୁ ତୁରନ୍ତ ଗିରଫ କରିବାକୁ ଦାବି କରିଥିଲେ। ଏହି ଘଟଣାରେ ତଦନ୍ତ ଭାର କ୍ରାଇମବ୍ରାଞ୍ଚ ହାତରେ ରହିଥିବାରୁ ଜିଲ୍ଲା ପୋଲିସର କିଛି କରିବାର ନାହିଁ ବୋଲି ଏସ୍‌ପି କହିଥିଲେ।

ପିସିସିର ଏହି ତଥ୍ୟ ଅନୁସନ୍ଧାନକାରୀ ଦଳ ଆସନ୍ତାକାଲି ପିସିସି ସଭାପତିଙ୍କୁ ସେମାନଙ୍କର ତଦନ୍ତ ରିପୋର୍ଟ ଦେବେ ବୋଲି କହିଛନ୍ତି।

Comment