ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଯଲିଉଡର ଜଣେ ଚର୍ଚ୍ଚିତ ନିର୍ଦ୍ଦେଶକ ହେଲେ ତୃପ୍ତି ବିଶ୍ୱାଳ। ଯାତ୍ରା ଜଗତରେ ସେ ‘ଅଙ୍ଗନବାଡ଼ି ଦିଦି’ ଓ ‘ଷ୍ଟାଫନର୍ସ’ ସମେତ ବହୁ ଭିନ୍ନ ସ୍ୱାଦର ନାଟକ ପାଇଁ ଚର୍ଚ୍ଚାରେ ରହିଛନ୍ତି।

ତୃପ୍ତି ବିଶ୍ୱାଳ। ସିନେମା, ସିରିଏଲ ଓ ଯାତ୍ରାଜଗତରେ ଏକ ଚର୍ଚ୍ଚିତ ନାଁ। ସେ ‘ଜୟଶ୍ରୀରାମ’ ସିନେମାର ନିର୍ଦ୍ଦେଶନା ଦେଇଛନ୍ତି। ‘ସୁନା କଳସ’, ‘ଗାୟତ୍ରୀ’  ‘ଆହୂତି’ ଭଳି କେତୋଟି ମେଗା ଧାରାବାହିକର ମଧ୍ୟ ନିର୍ଦ୍ଦେଶନା ଦେଇଛନ୍ତି। ଏହାସହ ସେ ଅନେକ ଯାତ୍ରାରେ ବି ନିର୍ଦ୍ଦେଶନା ଦେଇଛନ୍ତି। ହେଲେ ତାଙ୍କ ଚର୍ଚ୍ଚିତ ଯାତ୍ରା ଭିତରେ ‘ଅଙ୍ଗନବାଡ଼ି ଦିଦି’ ଏବଂ ଷ୍ଟାଫ୍ ନର୍ସ ହେଉଛି ଅନ୍ୟତମ। ଇଣ୍ଡଷ୍ଟ୍ରୀରେ ଏହି ଯାତ୍ରା ଚହଳ ପକାଇଥିଲା। ନିର୍ଦ୍ଦେଶକ ବି ଚର୍ଚ୍ଚାରେ ରହିଥିଲେ।

ଯାତ୍ରା ନାଟକରେ ମିଳେ ବେଶି ଆତ୍ମସନ୍ତୋଷ

ଉଭୟ ଚଳଚ୍ଚିତ୍ର ଓ ଯାତ୍ରା ନାଟକର ନିର୍ଦ୍ଦେଶନା ଦେଇଥିଲେ ବି ତୃପ୍ତି ବିଶ୍ୱାଳଙ୍କର ପ୍ରଥମ ପସନ୍ଦ ହେଉଛି ଯାତ୍ରା ନାଟକ। ତାଙ୍କ ମତରେ ଏଥି ମଧ୍ୟରୁ ଗୋଟିଏ ହେଲା ଯାନ୍ତ୍ରିକ ଓ ଅନ୍ୟଟି ପ୍ରାକୃତିକ। ଯାତ୍ରାରେ ଅଭିନୟକୁ ପ୍ରାଧାନ୍ୟ ଦିଆଯାଏ। କିନ୍ତୁ ସିନେମା ହେଉଛି ନିର୍ଦ୍ଦେଶକଙ୍କ ମିଡିଅମ୍। ତାଙ୍କୁ ସିନେମା ଏବଂ ଧାରାବାହିକ ଅପେକ୍ଷା ଯାତ୍ରାର ନିର୍ଦ୍ଦେଶନା ଅଧିକ ଆତ୍ମସନ୍ତୋଷ ଦେଇଛି ବୋଲି ସ୍ୱୀକାରୋକ୍ତି କରନ୍ତି ତୃପ୍ତି ବିଶ୍ୱାଳ। ଏଥିପାଇଁ ଯାତ୍ରା ପ୍ରତି ତାଙ୍କର ଦୁର୍ବଳତା ମଧ୍ୟ ଅଧିକ।

ଦାୟିତ୍ୱବୋଧ ଅଧିକ

ତୃପ୍ତି ବିଶ୍ୱାଳ କହିଛନ୍ତି ଯେ ଯେହେତୁ ଯାତ୍ରା ନାଟକରେ ଦର୍ଶକଙ୍କ ପ୍ରତିକ୍ରିୟା ତତ୍‌କ୍ଷଣାତ୍‌ ମିଳିଥାଏ। ଏଣୁ ଏଠି ନିର୍ଦ୍ଦେଶକଙ୍କର ଦାୟିତ୍ୱବୋଧ ଅଧିକ ରହିଥାଏ। ଦାୟିତ୍ୱବୋଧ ରହିବା ନିହାତି ଆବଶ୍ୟକ ବୋଲି ମତ ଦିଅନ୍ତି ସେ। ତାଙ୍କ କହିବା ଅନୁଯାୟୀ ନିର୍ଦ୍ଦେଶକମାନେ ସୁସ୍ଥ ମନୋରଞ୍ଜନ ପରିବେଷଣ ଉପରେ ଗୁରୁତ୍ୱ ଦେବା କଥା।

ସମସ୍ୟା ଘେରରେ ଯାତ୍ରା

“ଯାତ୍ରା ଜଗତରେ ଅନେକ ସମସ୍ୟା ରହିଛି। ଏହାର ସମାଧାନ ଲାଗି କାହାରି ଆନ୍ତରିକତା ନାହିଁ। ଯଲିଉଡର କଳାକାରଙ୍କର ଅହେତୁକ ପାରିଶ୍ରମିକ ବୃଦ୍ଧି ଏହାର ଅନ୍ୟତମ ପ୍ରମୁଖ କାରଣ ବୋଲି କୁହାଯିବ। ଏଥିପ୍ରତି ଯଦି ମୂଳରୁ ପ୍ରଯୋଜକମାନେ ସତର୍କ ରହିଥାନ୍ତେ, ତେବେ ଏଭଳି ଅବସ୍ଥା ହୁଏତ ଆଜି ଦେଖାଦେଇନଥାଆନ୍ତା”, କହିଛନ୍ତି ତୃପ୍ତି ବିଶ୍ୱାଳ।

ଯାତ୍ରାର ଭବିଷ୍ୟତ

ଯଲିଉଡରେ ଭବିଷ୍ୟତକୁ ନେଇ ଅନେକ ଲୋକ ସନ୍ଦିହାନ। ବିଶେଷକରି ଯାତ୍ରା ଟିକେଟର ମୂଲ୍ୟକୁ କମ୍ କରିଦେଲେ ହୁଏତ ଏହାର ସମାଧାନ ହୋଇପାରନ୍ତା। ତଥାପି ଆଶାବାଦୀ ଯେ ଯାତ୍ରା କେବେ ବି ବନ୍ଦ ହେବ ନାହିଁ।

ଅବଶୋଷ

ବିଖ୍ୟାତ ନାଟ୍ୟକାର ସ୍ୱର୍ଗତଃ ଅନନ୍ତ ଓଝାଙ୍କ ନାଟକର ନିର୍ଦ୍ଦେଶନା ଦେବାର ଇଛା ଥିଲା। ସୁନ୍ଦରୀ ଝିଅଙ୍କୁ ଯେମିତି ପ୍ରେମ କରିବାକୁ ଇଛା ହୁଏ, ସେମିତି ତାଙ୍କ ସହ କାମ କରିବାର ପ୍ରବଳ ଆଗ୍ରହ ରହିଥିଲା। ସ୍ୱର୍ଗତଃ ଅନନ୍ତ ଓଝାଙ୍କ ‘ବିଦେଶିନୀ’ ନାଟକ ଦେଖିବା ପରେ ତାଙ୍କର ବଡ଼ ପ୍ରଶଂସକ ହୋଇଥିଲି। ହେଲେ ଅବଶୋଷ ତାଙ୍କ ରଚିତ କୌଣସି ନାଟକର ନିର୍ଦ୍ଦେଶନା ଦେବାର ସୁଯୋଗ ଜୁଟିନଥିଲା।

ନିର୍ଦ୍ଦେଶକ ତୃପ୍ତି ବିଶ୍ୱାଳ କହନ୍ତି ଯେ ତାଙ୍କ ଭିତରେ ପ୍ରବଳ ଇଚ୍ଛା ଶକ୍ତି ରହିଛି। ନିଜ ଭିତରେ ନିଷ୍ଠା ଓ ଆନ୍ତରିକତା ମଧ୍ୟ ଭରପୁର ମାତ୍ରାରେ ରହିଛି, ଯାହା ତାଙ୍କର ପୁଞ୍ଜି ବୋଲି କହନ୍ତି। ଏହା ବଳରେ ସେ ଆଗକୁ ଚାଲିଛନ୍ତି ବୋଲି ମତ ରଖନ୍ତି ତୃପ୍ତି ବିଶ୍ୱାଳ।

Comment