ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୁପ୍ରିମକୋର୍ଟଙ୍କ ଦ୍ୱାରା ନିଯୁକ୍ତ ଅମିକସ୍ କ୍ୟୁରୀ ଗୋପାଳ ସୁବ୍ରମଣ୍ୟମ ଆସନ୍ତା ୨୦ ତାରିଖରେ ପୁରୀ ଗସ୍ତରେ ଆସୁଛନ୍ତି। ଶ୍ରୀଜଗନ୍ନାଥ ମନ୍ଦିରର ସଂସ୍କାର ସଂପର୍କରେ ସେ ବିଭିନ୍ନ ବର୍ଗର ଲୋକଙ୍କ ସହ ଆଲୋଚନା କରିବେ।

କାର୍ଯ୍ୟକ୍ରମ ଅନୁଯାୟୀ ସେ ଶୁକ୍ରବାର ଓ ଶନିବାର ଦୁଇ ଦିନ ଧରି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ,ପୁରୀ ଶଙ୍କରାଚାର୍ଯ୍ୟ ନିଶ୍ଚଳାନନ୍ଦ ସରସ୍ୱତୀ ଓ ଶ୍ରୀମନ୍ଦିର ପ୍ରଶାସନର କର୍ମକର୍ତ୍ତା ତଥା କିଛି ସେବାୟତଙ୍କ ସହ ସାକ୍ଷାତ ଆଲୋଚନା କରିବେ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ପ୍ରଦୀପ୍ତ ମହାପାତ୍ରଙ୍କ କହିବା ଅନୁଯାୟୀ ସୁପ୍ରିମକୋର୍ଟ ଶ୍ରୀମନ୍ଦିର ପରିଚାଳନା ନେଇ ଯେଉଁସବୁ ପ୍ରସ୍ତାବ ଦେଇଥିଲେ ସେନେଇ ସୁବ୍ରମଣ୍ୟମ ଆଲୋଚନା କରିବେ।

ମନେପକାଇ ଦିଆଯାଇପାରେ ଯେ ଶ୍ରୀମନ୍ଦିର ପରିଚାଳନା ସମ୍ପର୍କରେ ଦାୟର ଜନସ୍ୱାର୍ଥ ମାମଲାର ଶୁଣାଣି ଜୁନ ୮ ଓ ଜୁଲାଇ ୫ରେ ହୋଇଥିଲା। ବିଭିନ୍ନ ପକ୍ଷର ଯୁକ୍ତି ଶୁଣିବା ପରେ ବିଚାରପତିମାନେ ଶ୍ରୀମନ୍ଦିର ପରିଚାଳନା ପାଇଁ ଏକ ବାର-ସୁତ୍ରୀ ପ୍ରସ୍ତାବ/ନିର୍ଦ୍ଦେଶ ଦେଇଥିଲେ।

ଏହି ନିର୍ଦ୍ଦେଶ ଭିତରେ ଥିଲା ବଂଶ ପରମ୍ପରା ଅନୁଯାୟୀ ଚାଲିଆସିଥିବା ସେବାୟତ ନିଯୁକ୍ତିକୁ ବନ୍ଦ କରିବା, ଭକ୍ତଙ୍କଠାରୁ ଦକ୍ଷିଣା ନେବା ପ୍ରଥା ଶେଷ କରିବା ଇତ୍ୟାଦି। ଗୋପାଳ ସୁବ୍ରମଣ୍ୟମ ମୁଖ୍ୟତଃ ଏହି ଦୁଇଟି ବିବାଦୀୟ ବିଷୟ ଉପରେ ସବୁ ପକ୍ଷକୁ ଶୁଣିବେ। ସମସ୍ତଙ୍କଠାରୁ ଶୁଣିବା ପରେ ସେ ସୁପ୍ରିମକୋର୍ଟରେ ତାଙ୍କର ରିପୋର୍ଟ ଦାଖଲ କରିବେ।

ଶ୍ରୀଜଗନ୍ନାଥ ମନ୍ଦିରରେ ପ୍ରବେଶ ଓ ପୂଜାର୍ଚ୍ଚନା ବେଳେ ଯାତ୍ରୀ ଓ ଶ୍ରଦ୍ଧାଳୁ ଯେଉଁଭଳି ହଇରାଣ ହରକତ ହେଉଛନ୍ତି ସେନେଇ ସର୍ବୋଚ୍ଚ ନ୍ୟାୟାଳୟ ଘୋର ଉଦବେଗ ପ୍ରକାଶ କରିଥିଲେ ଓ ମନ୍ଦିର ପରିଚାଳନାକୁ ଶୃଙ୍ଖଳିତ କରିବା ସକାଶେ ନିର୍ଦ୍ଦେଶ ଦେଇଥିଲେ।

Comment