ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଓଡ଼ିଶା ମ୍ୟୁନସିପାଲ ସଂଶୋଧନ ବିଲ୍-୨୦୧୮ ପାରିତ
  • ଓଡ଼ିଶା ମ୍ୟୁନସିପାଲ କର୍ପୋରେସନ ସଂଶୋଧନ ବିଲ୍-୨୦୧୮ ପାରିତ
  • ପୌର ଭୋଟରେ ପ୍ରାର୍ଥୀ ହୋଇପାରିବେ କୁଷ୍ଠ ରୋଗୀ

ମେୟର ଏବଂ ପୌରାଧ୍ୟକ୍ଷ ଏଣିକି ଲୋକମାନଙ୍କ ଦ୍ୱାରା ସିଧାଳସଳଖ ନିର୍ବାଚିତ ହେବେ। ମଙ୍ଗଳବାର ଦିନ ବିଧାନସଭାରେ ଓଡ଼ିଶା ମ୍ୟୁନସିପାଲ ସଂଶୋଧନ ବିଲ୍-୨୦୧୮ ଏବଂ ଓଡ଼ିଶା ମ୍ୟୁନସିପାଲ କର୍ପୋରେସନ ସଂଶୋଧନ ବିଲ୍-୨୦୧୮ ପାରିତ ହେବା ପରେ ଏହା ସ୍ପଷ୍ଟ ହୋଇଛି।

ମେୟର ଏବଂ ପୌରାଧ୍ୟକ୍ଷଙ୍କୁ କର୍ପୋରେଟର ଓ କାଉନସିଲରମାନେ ଭୋଟ ଦେଇ ନିର୍ବାଚିତ କରୁଥିଲେ।

“ମେୟର ଏବଂ ପୌରାଧ୍ୟକ୍ଷଙ୍କୁ ଏଣିକି ଲୋକମାନେ ସିଧାସଳଖ ଭୋଟ ଦେବେ। ଏହାଦ୍ୱାରା ନିର୍ବାଚିତ ମେୟର ଏବଂ ପୌରାଧ୍ୟକ୍ଷଙ୍କ ଲୋକପ୍ରିୟତା ଜଣାପଡ଼ିବ। ସହରାଞ୍ଚଳ ଭୋଟରଙ୍କ ହାତରେ ମନପସନ୍ଦର ମେୟର ଏବଂ ପୌରାଧ୍ୟକ୍ଷ ବାଛିବା ପାଇଁ କ୍ଷମତା ରହିବ”, କହିଛନ୍ତି ନଗର ଉନ୍ନୟନ ମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଏଣିକି ମହାନଗର ନିଗମର ଭୋଟରମାନେ କର୍ପୋରେଟରଙ୍କୁ ଭେଟ ଦେବା ବେଳେ ମେୟରଙ୍କୁ ଭୋଟ ଦେବେ। ସେହିପରି ଏନଏସି ଏବଂ ପୌରାଞ୍ଚଳର ଭୋଟରମାନେ କାଉନସିଲରଙ୍କୁ ଭୋଟ ଦେବା ବେଳେ ଅଧ୍ୟକ୍ଷମାନଙ୍କ ଭୋଟ ଦେଇ ନିର୍ବାଚିତ କରିବେ।

ସେହିପରି କୁଷ୍ଠ ରୋଗୀମାନେ ପୌର ଭୋଟରେ ସାମିଲ ହୋଇପାରିବେ। ସେମାନେ ଏନଏସି, ପୌର ଏବଂ ମହାନଗର ନିଗମ ଭୋଟରେ ପ୍ରାର୍ଥୀ ହୋଇପାରିବେ ବୋଲି ମନ୍ତ୍ରୀ ଶ୍ରୀ ପୂଜାରୀ କହିଛନ୍ତି।

ମଧ୍ୟପ୍ରଦେଶ, ଛତିଶଗଡ଼, ରାଜସ୍ଥାନ, ଉତ୍ତରାଖଣ୍ଡ, ଉତ୍ତରପ୍ରଦେଶରେ ଲୋକେ ମେୟର ଏବଂ ପୌରାଧ୍ୟକ୍ଷଙ୍କୁ ସିଧାସଳଖ ଭୋଟ ଦେଇ ନିର୍ବାଚିତ କରୁଛନ୍ତି।

Comment