ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ହେଲିକପ୍ଟର ଲୋ ଫ୍ଲାଇଙ୍ଗ କରି ବିବାଦରେ ପଡ଼ିଛନ୍ତି ବୈଜୟନ୍ତ ପଣ୍ଡା। ଏହି ଘଟଣାରେ ବୈଜୟନ୍ତ ଆଜି ଦିଲ୍ଲୀ ଡିଜିସିଏ ଅଫିସରେ ହାଜର ହୋଇ ପକ୍ଷ ରଖିଛନ୍ତି। ଡିଜିସିଏ ଅଫିସରେ ବୈଜୟନ୍ତ ପ୍ରାୟ ତିନି ଘଣ୍ଟା ଧରି ରହିଥିଲେ।

ଡିଜିସିଏ ଅଫିସରେ ହାଜର ହେବା ପାଇଁ ବୈଜୟନ୍ତଙ୍କୁ ୨୩ ତାରିଖରେ ନୋଟିସ ହୋଇଥିଲା। ଡିଜିସିଏ ଅଫିସରୁ ବାହାରିବା ପରେ ବୈଜୟନ୍ତ ପ୍ରତିକ୍ରିୟା ଦେଇଛନ୍ତି।

“ହେଲିକପ୍ଟର ବାବଦରେ ଡିଜିସିଏ କର୍ତ୍ତୃପକ୍ଷ ଯାହା ପଚାରିଲେ ତାହା ମୁଁ କହିଛି। ସମସ୍ତ ତଥ୍ୟ ମୁଁ ଡିଜିସିଏ ଅଧିକାରୀଙ୍କୁ ଦେଇଛି। ଡିଜିସିଏ ମତେ ନ୍ୟାୟ ଦେବେ ବୋଲି ଆଶା କରିଛି”, କହିଛନ୍ତି ବୈଜୟନ୍ତ।

ବୈଜୟନ୍ତ ପୁଣିଥରେ ଷଡ଼ଯନ୍ତ୍ର କଥା ଦୋହରାଇଛନ୍ତି। ସେ କହିଛନ୍ତି, “ମତେ ଫସାଇବା ପାଇଁ ଏବଂ ରାଜନୈତିକ ଆକ୍ରୋଶ ରଖି ଷଡ଼ଯନ୍ତ୍ର କରାଯାଇଛି। ଚିଲିକାରେ ଅନ୍ୟ ହେଲିକପ୍ଟର ବି ଉଡ଼ିଛି। ହେଲେ ମୋ ହେଲିକପ୍ଟରକୁ ସିଜ୍ କରାଯାଇଛି। ଗୋଟିଏ ହେଲିକପ୍ଟର ନାଁରେ ଅଭିଯୋଗ ହୋଇଥିଲେ ମଧ୍ୟ ପୂରା ହ୍ୟାଙ୍ଗରକୁ ସିଜ୍ କରାଯାଇଛି। ଏହା ଠିକ୍ ନୁହେଁ।”

ସେପ୍ଟେମ୍ବର ୧୭ ତାରିଖରେ ପୁରୀ ପୋଲିସ ଭୁବନେଶ୍ୱର ବିମାନବନ୍ଦରରୁ ଇମ୍ଫା ହ୍ୟାଙ୍ଗର ସିଜ୍ କରିଥିଲା। ୧୫ ତାରିଖରେ ବୈଜୟନ୍ତଙ୍କ ହେଲିକପ୍ଟର ଚିଲିକାର ନୋ ଫ୍ଲାଇଙ୍ଗ ଜୋନରେ ଲୋ ଫ୍ଲାଇଙ୍ଗ କରିବା ଅଭିଯୋଗରେ ଏହି ସିଜ୍ କରାଯାଇଥିଲା। ଏହାସହ ଥାନାରେ ହାଜର ହୋଇ ପକ୍ଷ ରଖିବାକୁ ପୁରୀ ପୋଲିସ ବୈଜୟନ୍ତଙ୍କୁ ନୋଟିସ ଦେଇଥିଲା।

ବିବାଦ ବଢ଼ିବାରୁ ଡିଜିସିଏକୁ ତଦନ୍ତ ନିର୍ଦ୍ଦେଶ ଦିଆଯାଇଥିଲା।

Comment