ଓଡ଼ିଶାଲାଇଭ୍ ବ୍ୟୁରୋ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସବୁଠୁ ବଡ଼ ସ୍ୱପ୍ନ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ଲାଗିଲା ବ୍ରେକ୍। ମୋଦିଙ୍କ ସ୍ୱପ୍ନ ସତ ହେବ କି ନାହିଁ, ତାହାକୁ ନେଇ ଉଠୁଛି ପ୍ରଶ୍ନ।
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସ୍ୱପ୍ନ ବୁଲେଟ୍ ଟ୍ରେନ୍ ପ୍ରକଳ୍ପରେ ଏକ ବଡ଼ ଝଟକା ଲାଗିଛି। ଦେଶରେ ବୁଲେଟ୍ ଟ୍ରେନ୍ ଗଡ଼ିବ ବୋଲି ସମସ୍ତେ ଆଶା ବାନ୍ଧିଥିଲେ। କିନ୍ତୁ ଏବେ ପ୍ରଧାନମନ୍ତ୍ରୀଙ୍କ ଏହି ସ୍ୱପ୍ନ ସତ ହେବ କି ନାହିଁ, ତାହାକୁ ନେଇ ଅନେକ ପ୍ରଶ୍ନ ଉଠୁଛି।
ମୋଦିଙ୍କ ବୁଲେଟ୍ ଟ୍ରେନ ପ୍ରକଳ୍ପରେ ଅସୁବିଧା ଦେଖାଦେଇଛି। ଏବେ ବୁଲେଟ୍ ଟ୍ରେନରେ ଲାଗିଛି ବ୍ରେକ୍। ଏହି ପ୍ରକଳ୍ପ ପାଇଁ ଅର୍ଥ ଯୋଗାଉଥିବା ଜାପାନ କମ୍ପାନି ଜାପାନ ଇଣ୍ଟରନ୍ୟାସନାଲ କର୍ପୋରେସନ୍ (ଜାଇକା) ବୁଲେଟ୍ ଟ୍ରେନ୍ ନେଟୱର୍କ ପାଇଁ ଅର୍ଥ ବନ୍ଦ କରିଦେଇଛି। ମୋଦିଙ୍କୁ ଜାପାନ କମ୍ପାନି କହିଛି, “ଏହି ପ୍ରକଳ୍ପକୁ ଆଗକୁ ବଢ଼ାଇବା ପୂର୍ବରୁ ପ୍ରଥମେ ଦେଶର କୃଷକଙ୍କ ସମସ୍ୟା ଉପରେ ଧ୍ୟାନ ଦିଅନ୍ତୁ।“
ଏକ ଲକ୍ଷ କୋଟି ଟଙ୍କା ବ୍ୟୟ କରାଯାଇଥିବା ବୁଲେଟ୍ ଟ୍ରେନ୍ ଯୋଜନାର ନିର୍ମାଣରେ ମହାରାଷ୍ଟ୍ର ଓ ଗୁଜୁରାଟର କୃଷକଙ୍କଠାରୁ ଜମି ଅଧିଗ୍ରହଣ କରାଯାଇଥିବା ମାମଲା ଏବେ ବିବାଦ ଘେର ରହିଛି। ଏହି ବିବାଦକୁ ଆଖି ଆଗରେ ରଖି କେନ୍ଦ୍ର ସରକାର ଏକ ସ୍ୱତନ୍ତ୍ର କମିଟି ମଧ୍ୟ ଗଠନ କରିଛନ୍ତି।
ଅନ୍ୟପଟେ ଜାପାନ କମ୍ପାନି ପ୍ରଥମେ ଚାଷୀଙ୍କ ସମସ୍ୟାର ସମାଧାନ କରିବାଲାଗି ପରାମର୍ଶ ଦେଇଛି। ଏହି ପ୍ରକଳ୍ପକୁ ୨୦୨୨ ସୁଦ୍ଧା ପୁରା କରିବାର ଲକ୍ଷ୍ୟ ରଖିଥିଲେ ମୋଦି ସରକାର। ଏପଟେ ଜାପାନ ଅର୍ଥ ଦେବାକୁ ମନା କରିବା ପରେ ପଶ୍ନ ଉଠୁଛି ଠିକ୍ ସମୟରେ ଏହି ପ୍ରକଳ୍ପ ତିଆରି ହୋଇପାରିବ କି ନାହିଁ?
ବୁଲେଟ ଟେନ୍ ପ୍ରକଳ୍ପରେ ସାମିଲ ହୋଇଥିବା ଦୁଇ ରାଜ୍ୟ ଗୁଜରାଟ ଓ ମହାରାଷ୍ଟ୍ରର କୃଷକମାନେ ନିଜ ଜମି ପାଇଁ ଅଧିକ କ୍ଷତିପୂରଣ ଦାବି କରୁଛନ୍ତି। ଏହି କ୍ଷତିପୂରଣ ବ୍ୟତୀତ କୃଷକମାନେ ଅନ୍ୟ ଦାବି ମଧ୍ୟ ରଖିଛନ୍ତି। କୃଷକଙ୍କ ଦାବି ଅନୁସାରେ, “ସରକାର ଉକ୍ତ ଅଞ୍ଚଳରେ ପୋଖରୀ, ସ୍କୁଲ, ସୋଲାର ଲାଇଟ୍, ଗ୍ରାମ୍ୟାଞ୍ଚଳରେ ମେଡ଼ିକାଲ ଓ ଚିକିତ୍ସା ସୁବିଧା ଆଦି ଯୋଗାଇ ଦିଅନ୍ତୁ।“
ବୁଲେଟ୍ ଟେନ୍ ପ୍ରକଳ୍ପ ପାଇଁ ଜାପାନୀ ଏଜେନ୍ସି ଏପର୍ଯ୍ୟନ୍ତ ପାଖାପାଖି ୧୨୫ କୋଟି ଟଙ୍କା ଜାରି କରିସାରିଛି । ଭାରତ ଓ ଜାପାନ ମଧ୍ୟରେ ହୋଇଥିବା ବୁଝାମଣା ଅନୁସାରେ, ଏହି ପ୍ରକଳ୍ପକୁ ୨୦୨୨ ପର୍ଯ୍ୟନ୍ତ ପୁରା କରିବା ପାଇଁ ଜାପାନ ପାଖାପାଖି ୮୦ହଜାର କୋଟି ଟଙ୍କା ନିବେଶ କରୁଥିବାବେଳେ ବଳକା ୨୦,୦୦୦ ଟଙ୍କାକୁ କେନ୍ଦ୍ର ସରକାର ଯୋଜନାରେ ଲଗାଯିବ।