ଓଡ଼ିଶାଲାଇଭ୍‌ ବ୍ୟୁରୋ

କରୋନାରେ ବାପା, ମା’ଙ୍କୁ ହରାଇ ଅନାଥ ହୋଇପଡ଼ିଥିବା ପିଲାମାନଙ୍କ ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ବଡ଼ ଘୋଷଣା କରିଛନ୍ତି। ‘ପିଏମ୍ କେୟାର ଫର ଚିଲଡ୍ରେନ’ ଯୋଜନା ମାଧ୍ୟମରେ କୋଭିଡ ଅନାଥଙ୍କୁ ଆର୍ଥିକ ସହାୟତା ଯୋଗାଇ ଦିଆଯିବ ବୋଲି ରବିବାର ଏକ ଭିଡିଓ କନଫରେନ୍ସିଂ ମାଧ୍ୟମରେ ପ୍ରଧାନମନ୍ତ୍ରୀ କହିଛନ୍ତି । ଏହି ଯୋଜନା ଅଧୀନରେ ଅନାଥ ପିଲାମାନଙ୍କୁ ସରକାରଙ୍କ ପକ୍ଷରୁ ସ୍ୱାସ୍ଥ୍ୟ କାର୍ଡ ମଧ୍ୟ ଯୋଗାଇ ଦିଆଯିବ।

‘‘କରୋନା ମହାମାରୀ କାରଣରୁ ଯେଉଁମାନେ ସେମାନଙ୍କର ମାତା ପିତାଙ୍କୁ ହରାଇଛନ୍ତି ତାଙ୍କ ଜୀବନରେ ଯେଉଁ ପରିବର୍ତ୍ତନ ଆସିଛି ତାହାକୁ ସଜାଡିବା କଠିନ, ଦୈନିକ ସଂଘର୍ଷ ଓ ସେମାନଙ୍କ କଷ୍ଟକୁ ଶବ୍ଦରେ କୁହାଯାଇପାରିବ ନାହିଁ। ତେଣୁ ‘ପିଏମ୍ କେୟାର ଫର ଚିଲଡ୍ରେନ’ ସେମାନଙ୍କ କଷ୍ଟ ଦୂର କରିବା ପାଇଁ ଏକ ଛୋଟିଆ ପ୍ରୟାସ’’, କହିଛନ୍ତି ମୋଦୀ।

ଏହି ଯୋଜନା ଜରିଆରେ ପିଲାଙ୍କ ଶିକ୍ଷାର ସମସ୍ତ ଖର୍ଚ୍ଚ ସରକାର ଉଠାଇବେ। ସେମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ ମାସିକ ୪ ହଜାର ଟଙ୍କା ସରକାର ଦେବେ। ଏହି ପିଲାମାନେ ଯେତେବେଳେ ବଡ଼ ହେବେ ଉଚ୍ଚ ଶିକ୍ଷା ପାଇଁ ସେମାନଙ୍କୁ ଆହୁରି ଟଙ୍କାର ଆବଶ୍ୟକତା ପଡ଼ିବ। ତେଣୁ ସରକାର ୧୮ ବର୍ଷରୁ ୨୩ ବର୍ଷ ପିଲାମାନଙ୍କୁ ମାସିକ ଭତ୍ତା ଦିଆଯିବ। ପିଲାମାନେ ୨୩ ବର୍ଷର ହେବା ପରେ ପିଏମ କେୟାର ଫଣ୍ଡରୁ ୧୦ ଲକ୍ଷ ଟଙ୍କା ଦିଆଯିବ।

ସେହିପରି ସ୍ୱାସ୍ଥ୍ୟ ପାଇଁ ଏହି ଯୋଜନା ଅଧୀନରେ ପିଲାମାନଙ୍କୁ ସ୍ୱାସ୍ଥ୍ୟ କାର୍ଡ ଦିଆଯିବ। ଏହି କାର୍ଡ ମାଧ୍ୟମରେ ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ସେମାନେ ମାଗଣାରେ ସ୍ୱାସ୍ଥ୍ୟ ସେବା ପାଇପାରିବେ।

Comment