ଓଡ଼ିଶାଲାଇଭ୍ ବ୍ୟୁରୋ

ଆଧାରକୁ ନେଇ ସୁପ୍ରିମକୋର୍ଟ ବୁଧବାର ଏକ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏବେ ମୋବାଇଲ ଓ ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ଜରୁରୀ ନୁହେଁ।
ବୁଧବାର ଆଧାର ବୈଧତାକୁ ନେଇ ସୁପ୍ରିମକୋର୍ଟ ଗୁରୁତ୍ୱପୂର୍ଣ୍ଣ ରାୟ ଶୁଣାଇଛନ୍ତି। ଏହାର ବିଚାର କରି ୫ ଜଣିଆ ଖଣ୍ଡପୀଠ କହିଛନ୍ତି ଯେ, ଏହା ବୈଧ ଓ ସମ୍ପୂର୍ଣ୍ଣ ସୁରକ୍ଷିତ। ଏହି ରାୟ ଜଷ୍ଟିସ୍ ଏ.କେ. ସିକ୍ରି ଶୁଣାଇଛନ୍ତି।
ଏହାଦ୍ୱାରା ଦେଶର ଗରିବ ଜନତାଙ୍କୁ ପରିଚୟ ମିଳିଛି। ଏଥିରେ ଖୁବ୍ କମ୍ ତଥ୍ୟ ନିଆଯାଉଥିବାରୁ ବ୍ୟକ୍ତିଗତ ଗୋପନୀୟତା ଉପରେ ପ୍ରଭାବ ପଡ଼ିବ ନାହିଁ। ଏବେ ଦେଶର ପ୍ରାୟ ୧.୨୧ ଆରବ ଲୋକ ଆଧାର ସହ ଯୋଡ଼ି ହୋଇଛନ୍ତି। ବ୍ୟାଙ୍କ ଖାତା, ସବସିଡ଼ି ଠାରୁ ଆରମ୍ଭ କରି ଅନେକ ଜନ କଲ୍ୟାଣକାରୀ ଯୋଜନାର ଲାଭ ଉଠାଇବା ପାଇଁ ଆଧାର ଦରକାର ହୋଇଥାଏ।

ଏହାଛଡ଼ା ଆଧାରକୁ ଅନେକ କେନ୍ଦ୍ରୀୟ ଯୋଜନା ସହ ଯୋଡ଼ା ଯାଇଛି। ଏହାଫଳରେ ଗରିବଙ୍କ ପର୍ଯ୍ୟନ୍ତ ଯୋଜନାଗୁଡ଼ିକର ଲାଭ ସିଧାସଳଖ ପହଞ୍ଚି ପାରୁଛି। ଆଧାର କାର୍ଡ଼ ଗରିବଙ୍କ ସାମର୍ଥ୍ୟର ମାଧ୍ୟମ ପାଲଟିଛି।
ସୁପ୍ରିମକୋର୍ଟ କହିଛନ୍ତି, “ଆଧାରର ନକଲ କରିବାର ସମ୍ଭାବନା ନାହିଁ। ଆଧାର ଉପରେ ଅଙ୍ଗୁଳି ଉଠାଇବା ଅର୍ଥାତ୍ ସମ୍ବିଧାନ ବିରୋଧରେ ଯିବା।“ ଅନ୍ୟପକ୍ଷରେ ଘରୋଇ କମ୍ପାନି ଆଧାର ମାଗି ପାରିବେ ନାହିଁ। ସେହିପରି ସ୍କୁଲରେ ନାମ ଲେଖା ସମୟରେ ଏହା ମାଗିବା ଅନାବଶ୍ୟକ। ଏବେ ମୋବାଇଲ ଓ ବ୍ୟାଙ୍କ୍ ଖାତାରେ ଆଧାର ସଂଯୋଗ ଜରୁରୀ ନୁହେଁ।
ଏହାବ୍ୟତୀତ ଆୟକର ରିଟର୍ଣ୍ଣ ପାଇଁ ଆଧାରକୁ ବାଧ୍ୟତାମୂଳକ କରାଯାଇଛି। ଏହାସହ ସିବିଏସଇ ଓ ୟୁଜିସରେ ଆଧାର ଅନିବାର୍ଯ୍ୟ ନୁହେଁ ବୋଲି ସୁପ୍ରମକୋର୍ଟ ଶୁଣାଣି କରିଛନ୍ତି।












