ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଅକ୍ଟୋବର ୩ରେ ନାମାଙ୍କନପତ୍ର ଦାଖଲ ଓ ଯାଞ୍ଚ
  • ୪ରେ ପ୍ରାର୍ଥିପତ୍ର ପ୍ରତ୍ୟାହାର
  • ୧୦ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ

ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ବିଗୁଲ ବାଜିଛି। ଅକ୍ଟୋବର ୧୧ ତାରିଖରେ ରାଜ୍ୟର ସମସ୍ତ କଲେଜ ଏବେ ବିଶ୍ୱବିଦ୍ୟାଳୟରେ ଭୋଟ ହେବ ବୋଲି ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି।

ଅକ୍ଟୋବର ୩ ତାରିଖରେ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ। ସେହିଦିନ ପ୍ରାର୍ଥିପତ୍ର ଯାଞ୍ଚ ହେବ। ୪ ତାରିଖରେ ପ୍ରାର୍ଥି ତାଲିକା ପ୍ରକାଶ ପାଇବା ସହ ଯେଉଁମାନେ ଚାହିଁବେ ସେହିଦିନ ହିଁ ପ୍ରାର୍ଥିପତ୍ର ପ୍ରତ୍ୟାହାର କରିପାରିବେ।

୧୦ ତାରିଖରେ ହ୍ୱାଇ ଆଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ ହେବ। ୧୧ ତାରିଖରେ ଭୋଟ ହେବ ଏବଂ ସେହିଦିନ ସନ୍ଧ୍ୟା ସୁଦ୍ଧା ଫଳ ପ୍ରକାଶ ପାଇବ।

ଏପଟେ ତାରିଖ ଘୋଷଣା ପୂର୍ବରୁ କଲେଜ କ୍ୟାମ୍ପସ ସର୍‌ଗରମ୍‌ ହୋଇଯାଇଛି। ଆଶାୟୀ ପ୍ରାର୍ଥୀମାନେ ନିଜ ସମର୍ଥକଙ୍କୁ ନେଇ କ୍ୟାମ୍ପସରେ ପ୍ରଚାର ଜୋରଦାର କରିଛନ୍ତି।

କଲେଜ ଆଗରେ ହୋର୍ଡିଂ ଏବଂ ବ୍ୟାନର ମାରି ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛନ୍ତି ଆଶାୟୀ ପ୍ରାର୍ଥୀମାନେ।

ନିର୍ବାଚନ ତାରିଖ ଘୋଷଣା ହେବା ପୂର୍ବରୁ ରମାଦେବୀ ବିଶ୍ୱବିଦ୍ୟାଳୟରେ ଛାତ୍ର ବିଜେଡି ଏବଂ ଏବିଭିପି ପ୍ରାର୍ଥୀ ଦେଇ ରାଜନୀତି ପାଣିପାଗକୁ ଉଷ୍ମ କରିଛି।

ଏବିଭିପି ସଭାପତି, କ୍ରୀଡ଼ା ସମ୍ପାଦକ, ନାଟ୍ୟ ସମ୍ପାଦକ ପଦବୀ ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ପିଜି ଦ୍ୱିତୀୟ ବର୍ଷର ଛାତ୍ରୀ ଇପ୍‌ସିତା ତ୍ରିପାଠୀଙ୍କୁ ଏବିଭିପି ସଭାପତି ପ୍ରାର୍ଥୀ ଭାବେ ଘୋଷଣା କରିଛି। ଯୁକ୍ତ ତିନି ଛାତ୍ରୀ ସୁଚିତ୍ରାଙ୍କୁ କ୍ରୀଡ଼ା ସମ୍ପାଦିକା ଏବଂ ଅର୍ପିତା ପ୍ରିୟଦର୍ଶିନୀଙ୍କୁ ନାଟ୍ୟ ସମ୍ପାଦିକା ପ୍ରାର୍ଥୀ ଭାବେ ଘୋଷଣା କରାଯାଇଛି।

ଛାତ୍ର ବିଜେଡି ଯୁକ୍ତ ତିନି ଶେଷ ବର୍ଷର ଛାତ୍ରୀ ସ୍ୱୀକୃତି ମିଶ୍ରଙ୍କୁ ସଭାପତି ଓ ପିଜି ଛାତ୍ରୀ ମଧୁସ୍ମିତା ନାୟକଙ୍କୁ ସାଧାରଣ ସମ୍ପାଦକ ଭାବେ ପ୍ରାର୍ଥୀ କରାଯାଇଛି।

Comment