ଓଡ଼ିଶାଲାଇଭ୍‌ ବ୍ୟୁରୋ

ଛାତ୍ର ସଂସଦ ନିର୍ବାଚନ ପାଇଁ ଆଜି ଆଶାୟୀ ପ୍ରାର୍ଥୀମାନେ କରିଛନ୍ତି ପ୍ରାର୍ଥିପତ୍ର ଦାଖଲ।

ଦୁଲୁଦୁଲିରେ ଦୁଲୁକିଲା କ୍ୟାମ୍ପସ। ଜିନ୍ଦାବାଦ୍ ଧ୍ୱନିରେ ଫାଟି ପଡୁଥିଲା ପ୍ରମୁଖ ବିଶ୍ୱବିଦ୍ୟାଳୟ ଓ କଲେଜ ପରିସର। ବାଜାର ତାଳେତାଳେ ନାଚି ଯାଉଥିଲେ ସମର୍ଥକ। ଶନିବାର ଛାତ୍ର ସଂସଦ ନିର୍ବାଚନ ଲାଗି ହୋଇଥିବା ପ୍ରାର୍ଥିପତ୍ର ଦାଖଲ ବେଳେ ଏମିତି ଚିତ୍ର ଦେଖିବାକୁ ମିଳିଛି ରାଜ୍ୟର ପ୍ରମୁଖ କ୍ୟାମ୍ପସରେ।

ରାଜଧାନୀ ଭୁବନେଶ୍ୱରର ପ୍ରମୁଖ କ୍ୟାମ୍ପସରେ ମଧ୍ୟ ଆଜି ପ୍ରାର୍ଥୀମାନେ ସମର୍ଥକଙ୍କ ଗହଣରେ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି। ରମାଦେବୀ ବିଶ୍ୱବିଦ୍ୟାଳୟ, ବିଜେବି କଲେଜ, ରାଜଧାନୀ କଲେଜରେ ପ୍ରାର୍ଥିପତ୍ର ଦାଖଲ ବେଳେ ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଥିଲା।

“ବିଜେବି କଲେଜରେ ୨ ବର୍ଷ ହେଲା ବନ୍ଦ ରହିଥିଲା ଛାତ୍ର ସଂସଦ ନିର୍ବାଚନ। ୨ ବର୍ଷ ଭିତରେ କଲେଜର ଯେଉଁ ଉନ୍ନୟନମୂଳକ କାମ ହେବାର ଥିଲା ତାହା ହୋଇପାରିନି। ଅଧୁରା ରହିଥିବା କାମକୁ ପୂର୍ଣ୍ଣାଙ୍ଗ କରିବା ପାଇଁ ମୁଁ ସଭାପତି ପ୍ରାର୍ଥୀ ହୋଇଛି। ଆମ ପଛରେ କୌଣସି ରାଜନୈତିକ ଦଳର ସମର୍ଥନ ନାହିଁ। କଲେଜରେ ଶାନ୍ତି ପ୍ରତିଷ୍ଠା କରିବା ହେଉଛି ମୋର ଲକ୍ଷ୍ୟ”, କହିଛନ୍ତି ସଭାପତି ପ୍ରାର୍ଥୀ ସୌମିତ୍ରୀ ବତ୍ସଳ ଦାଶ।

କଲେଜରେ ଲାଇବ୍ରେରୀ ସମସ୍ୟା ରହିଛି। ଅଧ୍ୟାପକ ମଧ୍ୟ ଆବଶ୍ୟକ ସଂଖ୍ୟାରେ ନାହାଁନ୍ତି। ଏସବୁ ସମସ୍ୟା ସମାଧାନ କରିବା ପାଇଁ ଚେଷ୍ଟା କରିବି ବୋଲି ସୌମିତ୍ରୀ କହିଛନ୍ତି।

“ରମାଦେବୀ ବିଶ୍ୱବିଦ୍ୟାଳୟର ଉନ୍ନତି କରିବା ଆମର ଲକ୍ଷ୍ୟ। ଛାତ୍ରଛାତ୍ରୀଙ୍କ ପାଇଁ ୨୪ ଘଣ୍ଟିଆ ଲାଇବ୍ରେରୀ ଖୋଲା ରଖିବାକୁ ଆମେ ଉଦ୍ୟମ କରିବୁ। କ୍ୟାମ୍ପସରେ ଶାନ୍ତି ବଜାୟ ରଖିବା ପାଇଁ ଚେଷ୍ଟା ଜାରି ରଖିବି”, କହିଛନ୍ତି ରମାଦେବୀ ବିଶ୍ୱବିଦ୍ୟାଳୟର ସଭାପତି ପ୍ରାର୍ଥିନୀ ଇପ୍ସିତା ତ୍ରିପାଠୀ।

“ରମାଦେବୀ ବିଶ୍ୱବିଦ୍ୟାଳୟରୁ କଲେଜକୁ ଅଲଗା କରିବା ପାଇଁ ଯେଉଁ ଯୋଜନା ରହିଛି ତାହା ଆମେ କରିବାକୁ ଦେବୁ ନାହିଁ। ବିଶ୍ୱବିଦ୍ୟାଳୟ ପରିସରରେ କଲେଜକୁ ରଖିବା ପାଇଁ ବ୍ୟବସ୍ଥା କରିବୁ। କ୍ୟାମ୍ପସରେ ଥିବା ବିଭିନ୍ନ ସମସ୍ୟା ଦୂର କରିବା ପାଇଁ ଚେଷ୍ଟା କରିବି”, କହିଛନ୍ତି ସଭାପତି ପ୍ରାର୍ଥୀ ସୁକୃତି ମିଶ୍ର।

“ରମାଦେବୀରେ ରାଜ୍ୟ ସ୍ତରୀୟ ବିଭିନ୍ନ ପ୍ରତିଯୋଗୀତା କରିବା ପାଇଁ ଲକ୍ଷ୍ୟ ରଖିଛି। ନାଚ, ଗୀତ, ନାଟକ ଭଳି କାର୍ଯ୍ୟକ୍ରମ କରିବାକୁ ମୁଁ ଚେଷ୍ଟା କରିବି”, କହିଛନ୍ତି ଡ୍ରାମାଟିକାଲ ସେକ୍ରେଟାରୀ ସୁଭସ୍ମିତା ପଲାଇ।

ଆଜି ସକାଳ ୯ଟାରୁ ୧୨ଟା ଯାଏଁ ଚାଲିଥିଲା ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା। ଆସନ୍ତା କାଲି ପ୍ରାର୍ଥିପତ୍ର ପ୍ରତ୍ୟାହାର ସହ ଚୂଡ଼ାନ୍ତ ପ୍ରାଥି ତାଲିକା ପ୍ରକାଶ ପାଇବ। ୧୦ ତାରିଖରେ ହ୍ୱାଇ ହାଇ ଷ୍ଟାଣ୍ଡ ଫର୍ ମିଟିଙ୍ଗ ହେବା ସହ ୧୧ ତାରିଖରେ ଭୋଟ ହେବ। ସେହିଦିନ ସନ୍ଧ୍ୟାରେ ଫଳାଫଳ ପ୍ରକାଶ ପାଇବ।

ଛାତ୍ର ଅଶାନ୍ତି ଯୋଗୁଁ ଚଳିତ ବର୍ଷ ବାଣୀବିହାର, ରେଭେନ୍ସା, ସମ୍ବଲପୁର ଜ୍ୟୋତି ବିହାର ବିଶ୍ୱବିଦ୍ୟାଳୟରେ ନିର୍ବାଚନ ବାତିଲ କରାଯାଇଛି।

Comment