ମାଲକାନଗିରିରୁ ଇଶ୍ୱର ପଟ୍ଟନାୟକ

ମାଓବାଦୀଙ୍କ ଟାର୍ଗଟେରେ ସାଧାରଣ ଲୋକ। ଏହାର ନମୁନା ଦେଖିବାକୁ ମିଳିଛି ଆଜି ସୀମାନ୍ତ ଛତିଶଗଡ଼ର ସୁକୁମା ଜିଲ୍ଲାର ମୁରଲିଗୁଡ଼ାରେ। ଜଣେ ଛାତ୍ରକୁ ମାଓବାଦୀମାନେ ଅପହରଣ କରିନେବା ଘଟଣା ଏଠାରେ ହଇଚଇ ସୃଷ୍ଟି କରିଛି। ଏହାକୁ ନେଇ ଗ୍ରାମାଞ୍ଚଳରେ ଭୟର ବାତାବରଣ ଦେଖିବାକୁ ମିଳିଛି।

ମୁରଲିଗୁଡା ଗ୍ରାମର ପୋଡିଏମ ମୁକେଶ କୋଣ୍ଟା ଆଶ୍ରମରେ ରହି ପାଠ ପଢ଼ୁଥିଲେ। ନିଜର ସମ୍ପର୍କୀୟଙ୍କୁ ଭେଟିବା ଲାଗି ସେ ଭେଜି ଗ୍ରାମକୁ ଯାଇଥିଲା। ଫେରିବା ବାଟରେ କୋତାଚେରୁ ନିକଟରେ ମାଓବାଦୀମାନେ ତାକୁ ଅପହରଣ କରିନେଇଛନ୍ତି।

ପିଡିଏସ ସାମଗ୍ରୀ ନେଇ ଯାଉଥିବା ଏକ ଗାଡ଼ିକୁ ମାଓବାଦୀମାନେ ଜଳାଇଦେବାକୁ ଚେଷ୍ଟା କରିଥିଲେ। ହେଲେ ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ସେଠାରୁ ଗାଡ଼ିକୁ ଖସାଇନେବାରେ ସଫଳ ହୋଇଥିଲା। ମାଓବାଦୀମାନେ ଗାଡ଼ିକୁ ଟାର୍ଗେଟ କରି ଗୁଳି ଚଳାଇଥିଲେ। ଏହି ସମୟରେ ମୁକେଶ ମଟର ସାଇକେଲରେ ଫେରୁଥିଲା। ଗୁଳି ଶବ୍ଦ ଶୁଣି ବାଇକ ଛାଡ଼ି ଦୌଡ଼ିବାରେ ଲାଗିଲା। ହେଲେ ମାଓବାଦୀମାନେ ତାକୁ ଧରିଥିଲେ ଓ ସେଠାରୁ ଅପହରଣ କରିନେଇଥିଲେ।

ମୁକେଶର ପରିବାର ଲୋକେ କୋତାଚେରୁ ଥାନାରେ ଅଭିଯୋଗ କରିବା ପରେ ସର୍ଚ୍ଚିଂ ଅପରେସନରେ ବାହାରିଛନ୍ତି ଜବାନମାନେ। ମୁକେଶକୁ କୌଣସି କ୍ଷତି ନପହଞ୍ଚାଇବା ସହ ଛାଡ଼ିଦେବାକୁ ପରିବାର ଲୋକେ ମାଓବାଦୀଙ୍କୁ ନିବେଦନ କରିଛନ୍ତି। ଛାତ୍ର ପୋଡିଏମ ମୁକେଶକୁ ମାଓବାଦୀମାନେ ଅପହରଣ ନେବା ପରେ ସୀମାନ୍ତ କୋଣ୍ଟା ଗ୍ରାମରେ ଏକ ଶୋଭାଯାତ୍ରା ଆୟୋଜନ ହୋଇଛି। ଏଥିରେ ବିଭିନ୍ନ ବର୍ଗର ଲୋକଙ୍କ ସମେତ ଛାତ୍ରଛାତ୍ରୀ ସାମିଲ ହୋଇଥିଲେ। ନିରୀହଙ୍କୁ ହତ୍ୟା କରିବା ବନ୍ଦ କରିବା, ଅପହୃତ ମୁକେଶକୁ ଛାଡ଼ିବା ଆଦି ଲିଖିତ ପ୍ଲାକାର୍ଡ ଧରି ନାରା ମଧ୍ୟ ଦେଇଥିଲେ।

Comment