ଓଡ଼ିଶାଲାଇଭ୍‌ ବ୍ୟୁରୋ

  • ଛଟେଇର ପ୍ରତିବାଦ କଲେ ଆଶା ସାଥୀ
  • କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ ଅଫିସ ସମ୍ମୁଖରେ ପ୍ରତିବାଦ
  • ଜିଲ୍ଲାପାଳଙ୍କ ଅଫିସରେ ଧସେଇ ପଶିବାକୁ ଉଦ୍ୟମ
  • ପୋଲିସ ଦେଲା ବାଧା
  • ସାରା ରାଜ୍ୟରେ ୨୮୦୦, କେନ୍ଦ୍ରାପଡ଼ାରେ ୭୧ ଆଶା ସାଥୀ

କେନ୍ଦ୍ରାପଡ଼ା: ଆଶା ସାଥୀ ପଦବୀ ଉଚ୍ଛେଦର ଜୋରଦାର ପ୍ରତିବାଦ। କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ମଧ୍ୟକୁ ଧସେଇ ପଶିବା ବେଳେ ପୋଲିସ – ଆଶା ସାଥୀଙ୍କ ମଧ୍ୟରେ ଧସ୍ତାଧସ୍ତି।

ସରକାର ମା’ ଓ ଶିଶୁ ମୃତ୍ୟୁହାରକୁ ହ୍ରାସ କରିବା ପାଇଁ ୨୦୦୫ ମସିହାରେ ଜାତୀୟ ସ୍ୱାସ୍ଥ୍ୟ ମିଶନ ଗଠନ କରି ଆଶାମାନଙ୍କୁ ନିଯୁକ୍ତି ଦେଇଥିଲେ। ଦୁର୍ଗମ ଗାଁ ଠାରୁ ସହର ଯାଏଁ ସ୍ୱାସ୍ଥ୍ୟ ବିଭାଗ ସହିତ ଛାଇ ପରି ରହି ସାରା ଦେଶରେ ହଜାର ହଜାର ଆଶା କର୍ମୀମାନେ କାର୍ଯ୍ୟ କରି ଆସୁଛନ୍ତି।

ଆଶା କର୍ମୀମାନଙ୍କ କାର୍ଯ୍ୟକୁ ଅଧିକ ତ୍ୱରାନ୍ୱିତ କରିବାକୁ ଯାଇ ସରକାର ଅଧିକ ଶିକ୍ଷାଗତ ଯୋଗ୍ୟତା ଥିବା ଓ କାର୍ଯ୍ୟ ଦକ୍ଷତା ଭିତ୍ତିରେ କେତେକ ଆଶା କର୍ମୀଙ୍କୁ ଆଶା ସାଥି ଭାବେ ଚୟନ କରିଥିଲେ। ଏହି ଆଶା ସାଥିମାନଙ୍କ ମଧ୍ୟରେ ବହୁ ଆଶା ସାଥୀ ମଧ୍ୟ ସ୍ନାତକ ଓ ସ୍ନାତକୋତ୍ତର ଶିକ୍ଷାଗତ ଯୋଗ୍ୟତା ଥାଇ କାର୍ଯ୍ୟ କରୁଛନ୍ତି। ଏମାନଙ୍କୁ ସରକାର ମାସିକ ୫ ହଜାର ଟଙ୍କା ଲେଖାଏଁ ପ୍ରୋତ୍ସାହନ ଦେଇଥାନ୍ତି।

ସାରା ରାଜ୍ୟରେ ଆଶା କର୍ମୀମାନଙ୍କ ସଂଖ୍ୟା ପ୍ରାୟ ୪୫ ହଜାର ରହିଥିବା ବେଳେ ଆଶା ସାଥୀମାନଙ୍କ ସଂଖ୍ୟା ୨୮୦୦ ରହିଛି। କେନ୍ଦ୍ରାପଡ଼ା ଜିଲ୍ଲାରେ ଏହି ଆଶା ସାଥୀମାନଙ୍କ ସଂଖ୍ୟା ୭୧ ଥିବା ବେଳେ ଆଶା କର୍ମୀମାନଙ୍କ ସଂଖ୍ୟା ୧୩୭୯ ରହିଛି।

ସାରା ରାଜ୍ୟରେ ଆଶା ସାଥୀମାନେ ୨୦୧୩ ମସିହାରୁ କାର୍ଯ୍ୟ କରି ଆସୁଥିବା ବେଳେ ଏବେ ରାଜ୍ୟ ସରକାର ଏମାନଙ୍କୁ ଛଟେଇ କରିବା ଆରମ୍ଭ କରିଛନ୍ତି। ଏହାର ପ୍ରତିବାଦ କରିଛି କେନ୍ଦ୍ରାପଡା ଜିଲା ଆଶାସାଥୀ ସଂଘ। କେନ୍ଦ୍ରାପଡା ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ସଂଘର କର୍ମକର୍ତ୍ତାମାନେ ଦାବିପତ୍ର ପ୍ରଦାନ କରିବାକୁ ଆସିଥିବା ବେଳେ ଅପ୍ରୀତିକର ପରିସ୍ଥିତି ସୃଷ୍ଟି ହୋଇଛି।

ଆଶା ସାଥୀ ସଂଘର ପ୍ରତିନିଧିମାନଙ୍କୁ ଅତିରିକ୍ତ ଜିଲ୍ଲାପାଳ ଆଲୋଚନା ପାଇଁ ଡାକିବା ବେଳେ ସମସ୍ତ ସଦସ୍ୟ ଜିଲ୍ଲାପାଳଙ୍କ ଅଫିସକୁ ଧସେଇ ପଶିବାକୁ ଉଦ୍ୟମ କରିଥିଲେ। ପୋଲିସ ସେମାନଙ୍କୁ ବାଧା ଦେଇଥିଲା। ଫଳରେ ପୋଲିସ ଏବଂ ଆଶା ସାଥୀଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା।

ଫଳରେ ବହୁ ଆଶା ସାଥୀ ଆହତ ହୋଇଥିବା ଅଭିଯୋଗ ହୋଇଛି। ଆଶା ସାଥୀ ସଂଘ ପକ୍ଷରୁ କେନ୍ଦ୍ରାପଡ଼ା ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ଜରିଆରେ ମଧ୍ୟ ସରକାରଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି।

ଏହି ଆନ୍ଦୋଳନରେ ଜିଲ୍ଲା ଆଶା ସାଥୀ ସଂଘର ସଭାନେତ୍ରୀ ଚନ୍ଦନା ଲେଙ୍କା, ସମ୍ପାଦିକା ସଂଯୁକ୍ତା ରାଉତ, ମଧୁସ୍ମିତା ଓଝା, ମଞ୍ଜୁଲତା ସାମଲ, କବିତା ବେହେରା, କୁସୁମ ମଞ୍ଜରୀ ତ୍ରିପାଠୀ, ମମତା ପ୍ରଧାନ, ସନ୍ଧ୍ୟାରାଣୀ ସାହୁ, ପୁଷ୍ପା ପରିଡ଼ା, କବିତା ରାଉତ ପ୍ରମୁଖ ସାମିଲ ହୋଇଥିଲେ। ସରକାର ଆଶା ସାଥୀମାନଙ୍କର ଦାବି ନମାନିଲେ ଆସନ୍ତା ୧୦ ତାରିଖରେ ଭୁବନେଶ୍ୱରରେ ଜୋରଦାର ପ୍ରତିବାଦ କରିବାକୁ ଚେତାବନୀ ଦେଇଛନ୍ତି।

Comment