ଓଡ଼ିଶାଲାଇଭ୍ ବ୍ୟୁରୋ

 

  • ଆଗାମୀ ବିଶ୍ୱକପ୍ ପାଇଁ ହେବ ବେଶ୍ ଲାଭପ୍ରଦ
  • ବିକାଶ ପଥରେ ଓଡ଼ିଶା ପର୍ଯ୍ୟଟନ
  • ପର୍ଯ୍ୟଟକ ଆଗମନ ବର୍ଷକୁ ବଢ଼ୁଛି ୯%

“ଓଡ଼ିଶାର ପ୍ରାକୃତିକ ସୌନ୍ଦର୍ଯ୍ୟ, ଐତିହ୍ୟ ଓ ସଂସ୍କୃତି ବିଶ୍ୱସ୍ତରୀୟ, ଯାହା ସବୁ ସମୟରେ ପର୍ଯ୍ୟଟକମାନଙ୍କର ଆକର୍ଷଣର କେନ୍ଦ୍ରବିନ୍ଦୁ ରହିଆସିଅଛି, ବିଗତ ଦିନରେ ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧି ଘଟିଛି ଏବଂ ଆଗକୁ ଥିବା ହକି ବିଶ୍ୱକପ୍‌ରେ ମଧ୍ୟ ଏହି ସଂଖ୍ୟାରେ ଆଖିଦୃଶିଆ ଅଭିବୃଦ୍ଧି ଘଟିବ’’ କହିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଫିକି ଓ ଓଡ଼ିଶା ପର୍ଯ୍ୟଟନ ବିଭାଗର ମିଳିତ ସହଯୋଗରେ ଆୟୋଜିତ ହୋଇଥିବା ଓଡ଼ିଶା ଟ୍ରାଭେଲ୍ ବଜାରର ଦ୍ୱିତୀୟ ସଂସ୍କରଣକୁ ଉଦ୍‌ଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଓଡ଼ିଶାରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟାରେ ବୃଦ୍ଧିକୁ ଆଖିରେ ରଖି ଖୁବ୍ ଶୀଘ୍ର ଆଗକୁ ଭୁବନେଶ୍ୱରରୁ ମାଲେସିଆ ବିମାନ ଚଳାଚଳ କରିବ।

୨୦୧୬-୧୭ ତୁଳନାରେ ଚଳିତବର୍ଷ ରାଜ୍ୟରେ ବିଦେଶୀ ପର୍ଯ୍ୟଟକଙ୍କ ସଂଖ୍ୟା ୩୧ ପ୍ରତିଶତ ବୃଦ୍ଧି ପାଇଛି। ଠିକ୍ ସେହିପରି ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟାରେ ମଧ୍ୟ ୯ ପ୍ରତିଶତ ବୃଦ୍ଧି ଘଟିଛି। ଏହା ଓଡ଼ିଶା ପର୍ଯ୍ୟଟନ ପାଇଁ ଅତ୍ୟଧିକ ବିକାଶ ସୂଚକ। ଏହାବ୍ୟତୀତ ଦେଶର ଅନ୍ୟତମ ଆକର୍ଷଣୀୟ ପର୍ଯ୍ୟଟନ ନୀତି ଓଡ଼ିଶାର ରହିଛି, ଯାହା ୨୦୧୬ରୁ କାର୍ଯ୍ୟକାରୀ ହୋଇସାରିଲାଣି। ଏହାକୁ ଦୃଷ୍ଟିରେ ରଖି ଆଗାମୀ ହକି ବିଶ୍ୱକପ୍ ପୂର୍ବରୁ ବିଜୁ ପଟ୍ଟନାୟକ ବିମାନ ବନ୍ଦରକୁ ଇ-ଟ୍ୟୁରିଷ୍ଟ ଭିଜା ଅନ୍ତର୍ଭୁକ୍ତ କରିବା ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ଦାବି ଉପସ୍ଥାପନା କରାଯିବ ବୋଲି କହିଛନ୍ତି, ପର୍ଯ୍ୟଟନ ସଚିବ ବିଶାଲ ଦେବ।

ଏହି ଅବସରରେ ରାଜ୍ୟ ସଂସ୍କୃତି ଓ ପର୍ଯ୍ୟଟନ ମନ୍ତ୍ରୀ ଶ୍ରୀଯୁକ୍ତ ଅଶୋକ ପଣ୍ଡା କହିଛନ୍ତି ଯେ, “ଆମେ ଓଡ଼ିଶାକୁ ଦେଶର ପ୍ରମୁଖ ପର୍ଯ୍ୟଟନସ୍ଥଳୀରେ ପରିଣତ କରିବାପାଇଁ କଠିନ ପରିଶ୍ରମ କରୁଛୁ। ଓଡ଼ିଶାରେ ଥିବା ପର୍ଯ୍ୟଟନ ସୁଯୋଗ ବିଷୟରେ ଆନ୍ତର୍ଜାତିକସ୍ତରରେ ସଚେତନତା ସୃଷ୍ଟି କରିବା ପାଇଁ ଆମେ ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଆୟୋଜିତ ହେଉଥିବା କାର୍ଯ୍ୟକ୍ରମରେ ଭାଗ ନେବାସହ ରୋଡ୍ ସୋ’ର ମଧ୍ୟ ଆୟୋଜନ କରୁଛୁ।“ ସେ ଆହୁରି ମଧ୍ୟ କହିଛନ୍ତି,  ଆଗାମୀ ଦିନରେ ଭୁବନେଶ୍ୱରରୁ ବିଶ୍ୱର ଅନ୍ୟ ପ୍ରାନ୍ତକୁ ବିମାନ ସଂଯୋଗ ମିଳିବ। ଖୁବ୍‌ଶୀଘ୍ର ଏୟାର ଏସିଆ ପକ୍ଷରୁ ବ୍ୟାଙ୍କକ୍ ଓ କଲମ୍ବୋକୁ ବିମାନ ସେବା ପ୍ରଦାନ କରାଯିବ ବୋଲି ସେ ଆଶା ପ୍ରକଟ କରିଛନ୍ତି।

ଏହି ଉଦ୍‌ଘାଟନୀ ଉତ୍ସବରେ ଯୋଗ ଦେଇ ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ କହିଛନ୍ତି, ଭାରତ ହେଉଛି ଓଡ଼ିଶାର ଆତ୍ମା ଏବଂ ଭାରତର ସବୁଠାରୁ ସୁନ୍ଦର ରହସ୍ୟ ହେଉଛି ଓଡ଼ିଶା। ଏହି ପରିପ୍ରେକ୍ଷୀରେ ସେ ଖଣ୍ଡଗିରି ଓ କୋଣାର୍କ ମନ୍ଦିରର ମଧ୍ୟ ଉଦାହରଣ ଦେଇଥିଲେ। ଆଗକୁ ହକି ବିଶ୍ୱକପ୍‌ରେ ଅଧିକ ସଂଖ୍ୟକ ବିଦେଶୀ ପର୍ଯ୍ୟଟକ ଏଠାକୁ ଆସି ଏହାର ଲୁକ୍କାୟିତ ସୌନ୍ଦର୍ଯ୍ୟକୁ ଉପଭୋଗ କରନ୍ତୁ ବୋଲି ସେ ଉପସ୍ଥିତ ବିଦେଶୀ ଟୁର୍ ଅପରେଟରମାନଙ୍କୁ କହିଛନ୍ତି।

ଫିକି ଓଡ଼ିଶା ଟୁରିଜିମ୍ ପ୍ୟାନେଲ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେକେ ମହାନ୍ତି ଓଡ଼ିଶାରେ ଏଭଳି ଏକ କାର୍ଯ୍ୟକ୍ରମ ଆୟୋଜନ କରିବା ସହ ଓଡ଼ିଶା ପର୍ଯ୍ୟଟନର ବିକାଶ ପାଇଁ କ୍ରୀଡ଼ା ଓ ପର୍ଯ୍ୟଟନକୁ ଏକତ୍ରିତ କରିଥିବାରୁ ଓଡ଼ିଶାର ମୁଖ୍ୟମନ୍ତ୍ରୀଙ୍କୁ ସେ ଅଶେଷ ଧନ୍ୟବାଦ ଜଣାଇଛନ୍ତି।

ଏହି ଅବସରରେ ଫିକିର ସେକ୍ରେଟାରି ଜେନେରାଲ୍ ଦିଲ୍ଲୀପ ଚେନୟ କହିଛନ୍ତି, “ଓଡ଼ିଶା ପର୍ଯ୍ୟଟନକୁ ଜାତୀୟ ଏବଂ ଆନ୍ତର୍ଜାତିୟସ୍ତରରେ ପ୍ରୋତ୍ସାହନ ଦେବା ପାଇଁ ଫିକି ଓଡ଼ିଶା ଟ୍ରାଭେଲ ବଜାର ମାଧ୍ୟମରେ ପ୍ରୟାସ ଜାରି ରଖିଛି।

Odisha Travel Bazaar OTB 2018 Inaugural ceremony

 

ଏହି ତିନି ଦିନର ମେଗା ଟ୍ରାଭେଲ୍ ବଜାରରେ ମୋଟ ୨୩ଟି ରାଷ୍ଟ୍ରରୁ ୬୦ ଜଣ ବିଦେଶୀ ଟୁର ଅପରେଟରଙ୍କ ସହ ସମଗ୍ର ଦେଶରୁ ୧୬ ଜଣ ଆଗଧାଡ଼ିର ଟୁର୍ ଅପରେଟର ଯୋଗ ଦେଇଛନ୍ତି। ଉଦ୍‌ଘାଟନୀ ସମାରୋହ ପରେ “ଟେକିଂ ଓଡ଼ିଶା ଟୁରିଜିମ୍ ଟୁ ଦି ନେକ୍ସଟ ଲେବଲ’’ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଇଛି। ଏହି ଆଲୋଚନାରେ ବିଶ୍ୱର ବିଭିନ୍ନ ଦେଶମାନଙ୍କରୁ ତଥା ଭାରତ ମଧ୍ୟରୁ ଆସିଥିବା ଟୁର ଅପରେଟରମାନେ ବିଭିନ୍ନ ଦେଶ ତଥା ବିଭିନ୍ନ ରାଜ୍ୟର ସମୃଦ୍ଧ ପର୍ଯ୍ୟଟନ ଉପରେ ଆଲୋଚନା କରିଛନ୍ତି। ଓଡ଼ିଶା ଟ୍ରାଭେଲ ବଜାର ଆଗକୁ ଆୟୋଜିତ ହେବାକୁ ଥିବା ପୁରୁଷ ହକି ବିଶ୍ୱକପ୍ ପାଇଁ ବେଶ୍ ଲାଭପ୍ରଦ ହେବ ବୋଲି ଆଶା କରାଯାଉଛି।

ଓଡ଼ିଶା ପର୍ଯ୍ୟଟନ ବିଭାଗ ଓ ଫିକିର ମିଳିତ ସହଯୋଗରେ ଭୁବନେଶ୍ୱରରେ ଆୟୋଜିତ ଏହି ତିନି ଦିନିଆ କାର୍ଯ୍ୟକ୍ରମର ଉଦ୍‌ଘାଟନୀ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସମେତ ପର୍ଯ୍ୟଟନ ମନ୍ତ୍ରୀ ଅଶୋକ ପଣ୍ଡା, ଉନ୍ନୟନ କମିଶନର ଆର୍ ବାଲକ୍ରିଷ୍ଣନ, ଫିକି ସେକ୍ରେଟାରୀ ଜେନେରାଲ୍ ଦିଲୀପ ଚିନୟ, ଓଡ଼ିଶା ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶିକା ତଥା ଅତିରିକ୍ତ ସଚିବ ଅର୍ଚ୍ଚନା ପଟ୍ଟନାୟକ ଓ ଫିକି ଓଡ଼ିଶା ଟୁରିଜିମ୍ ପ୍ୟାନେଲ ଅଧ୍ୟକ୍ଷ ତଥା ସ୍ୱସ୍ତି ଗ୍ରୁପର ସିଏମଡି ଜେକେ ମହାନ୍ତି ଓ ଅନେକ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇଥିଲେ।

Comment