ଓଡ଼ିଶାଲାଇଭ୍ ବ୍ୟୁରୋ

ସାମ୍ବାଦିକ ଅଭିଜିତ ଆୟର ମିତ୍ର ନିଜ ଭୁଲ୍ ସ୍ୱୀକାର କରିବା ସହ ବିଧାୟକମାନଙ୍କୁ କ୍ଷମା ମାଗିଛନ୍ତି।

ଓଡ଼ିଶାର ବିଧାୟକମାନଙ୍କୁ ଶେଷରେ କ୍ଷମା ମାଗିଲେ ସାମ୍ବାଦିକ ଅଭିଜିତ ଆୟର ମିତ୍ର। ଓଡ଼ିଶାର ଐତିହ୍ୟ କୋଣାର୍କ ଏବଂ ବିଧାୟକମାନଙ୍କ ପ୍ରତି ଅରୁଚିକର ମନ୍ତବ୍ୟ ଦେଇ ବିବାଦରେ ଫସିଥିବା ଅଭିଜିତ ଆଜି ଏଥିପାଇଁ ନିଜ ଭୁଲ୍ ସ୍ୱୀକାର କରିଛନ୍ତି। ସେ ପୂର୍ବରୁ ଯେଉଁ ଦମ୍ଭ ଦେଖାଉଥିଲେ ତାହା ଭାଙ୍ଗି ଯାଇଛି।

ବିଧାନସଭା ଗୃହ କମିଟିକୁ ମେଲ୍‌ କରି କ୍ଷମା ମାଗିବା ସହ ଆଉ ଗୋଟିଏ ତାରିଖରେ ହାଜର ହେବାକୁ ଅନୁମତି ଦେବାକୁ ନିବେଦନ କରିଛନ୍ତି ଅଭିଜତ।

ଅଭିଜିତ ଆୟର ମିତ୍ରଙ୍କୁ ସମନ କରିଥିଲା ବିଧାନସଭା ଗୃହ କମିଟି। ଅକ୍ଟୋବର ୧୧ ତାରିଖ ସକାଳ ୧୧ଟାରେ ବିଧାନସଭାର ୫୪ ନମ୍ବର ପ୍ରକୋଷ୍ଠରେ ହାଜର ହେବାକୁ କୁହାଯାଇଥିଲା। ହେଲେ ଅଭିଜିତ ଆଜି ଆସିଲେନି। ଓଡ଼ିଶାରେ ତିତ୍‌ଲିର ପ୍ରଭାବ ଥିବାରୁ ସେ ଆସି ନଥିବା ମେଲ୍‌ରେ ଦର୍ଶାଇଛନ୍ତି।

ଅଭିଜିତ ଆଜି ବିଧାନସଭା ଗୃହ କମିଟି ନିକଟକୁ ଦୁଇଟି ମେଲ୍ ପଠାଇଥିଲେ। ଗୋଟିଏ ମେଲ୍‌ରେ ସେ ଓଡ଼ିଶାର ବିଧାୟକମାନଙ୍କ ବିରୋଧରେ ଯେଉଁ ଅପମାନସୂଚକ ମନ୍ତବ୍ୟ ଦେଇଥିଲେ ସେନେଇ କ୍ଷମା ପ୍ରାର୍ଥନା କରିଥିଲେ। ଅନ୍ୟପକ୍ଷେ ଆଉ ଗୋଟି ମେଲ୍ କରି ହାଜର ହେବାକୁ ତାରିଖ ମାଗିଥିଲେ।

ଅଭିଜିତ ଆୟର ମିତ୍ରଙ୍କ ଚିଠି ପାଇବା ପରେ ଆଜି ବିଧାନସଭା ଗୃହ କମିଟିର ବୈଠକ ବସିଥିଲା। ବୈଠକ ପରେ ଅଭିଜିଙ୍କୁ ପୁଣି ସମନ କରିଛି ଗୃହ କମିଟି। ଆସନ୍ତା ୨୩ ତାରିଖରେ ହାଜର ହେବାକୁ ଅଭିଜିତଙ୍କୁ ସମନ କରାଯାଇଛି।

“ଅଭିଜିତ ଆୟର ମିତ୍ର ଆଜି ଦୁଇଟି ମେଲ୍ କରିଛନ୍ତି। ଗୋଟିଏ ମେଲ୍‌ରେ ସେ କ୍ଷମା ମାଗିଥିବା ବେଳେ ଆଉ ଗୋଟିଏ ମେଲ୍‌ରେ ସେ ଗୃହ କମିଟିରେ ହାଜର ହୋଇପାରୁ ନଥିବା ଜଣାଇଛନ୍ତି। ହାଜର ହେବା ପାଇଁ ସେ ଆଉ ଗୋଟିଏ ତାରିଖ ମାଗିଥିଲେ। ତାଙ୍କୁ ୨୩ ତାରିଖରେ ହାଜର ହେବା ପାଇଁ ପୁଣି ସମନ ଜାରି କରାଯାଇଛି”, କହିଛନ୍ତି ଗୃହ କମିଟି ଅଧ୍ୟକ୍ଷ ନରସିଂହ ମିଶ୍ର।

କିଛିଦିନ ତଳେ ଅଭିଜିତ ଆୟର ମିତ୍ର କୋଣାର୍କ ମନ୍ଦିର ପରିସରରେ ଛିଡ଼ା ହୋଇ ଅରୁଚିକର ମନ୍ତବ୍ୟ ଦେଇଥିବା ଏକ ଭିଡିଓ ନିଜ ଟୁଇଟର ହ୍ୟାଣ୍ଡେଲରରେ ପୋଷ୍ଟ କରିଥିଲେ। ଏହାକୁ ନେଇ ଓଡ଼ିଶାରେ ଝଡ଼ ଉଠିଥିଲା। ଅଭିଜିତ ଆୟର ମିତ୍ରଙ୍କୁ ଗିରଫ କରିବାକୁ ବିଧାୟକମାନେ ଦାବି କରିଥିଲେ। ଓଡ଼ିଶା ବିଧାନସଭାରେ ଅଭିଜିତଙ୍କ ଏହି ମନ୍ତବ୍ୟକୁ ଦଳମତ ନିର୍ବିଶେଷରେ ସମସ୍ତେ ନିନ୍ଦା କରିଥିଲେ। ହେଲେ ଏଥିରେ ନରମି ନଥିଲେ ଅଭିଜିତ। ଓଲଟି ବିଧାୟକମାନଙ୍କୁ ‘ବୁଦୁ’ କହିଥିଲେ।

ଏହାପରେ ବିଧାନସଭାରେ ଅଭିଜିତଙ୍କ ବିରୋଧରେ ସ୍ୱାଧିକାର ଭଙ୍ଗ ପ୍ରସ୍ତାବ ଆସିଥିଲା। ଘଟଣାର ତଦନ୍ତ ପାଇଁ ଗୃହ କମିଟି ଗଠନ କରାଯାଇଥିଲା।

Comment